ଲିଡ୍‌ସରେ ୱିକେଟ୍‌ ଝଡ଼, ଇଂଲଣ୍ଡ ୬୭

ଲିଡ୍‌ସ,: ହେଡିଂଲେ ଚାଲିଥିବା ତୃତୀୟ ଆସେସ୍‌ ଟେଷ୍ଟ୍‌ରେ ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ରହିଛି। କିନ୍ତୁ ଶୃଙ୍ଖଳାରେ ପଛରେ ପଡ଼ିଥିବା ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଗୁରୁବାର ୧୭୯ ରନ୍‌ରେ ସୀମିତ ରଖି ଦେଇଥିବା ଇଂଲଣ୍ଡ ନିଜ ମେଡିସିନ୍‌ର ଶିକାର ହୋଇ ମାତ୍ର ୬୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଛି। ଜବାବରେ ଦ୍ବିତୀୟ ଦିନ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୧୭୧ ରନ୍ ସଂଗ୍ରହ କରିଛି। ଏଥି ସହିତ ହାତରେ ୪ ୱିକେଟ୍‌ ଥାଇ ଭ୍ରମଣକାରୀ ଦଳ ୨୮୩ ରନ୍‌ର ଅଗ୍ରଣୀ ପାଇଯାଇଛି। ଶୁକ୍ରବାର ଇଂଲଣ୍ଡ ସତେଜ ମନରେ ନିଜ ପ୍ରଥମ ପାଳି ଆରମ୍ଭର ସ‌ୁଯୋଗ ପାଇଥିଲା। କିନ୍ତୁ ହେଡିଂଲେର ସିମିଂ ପିଚ୍‌ରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ଘରୋଇ ଦଳକୁ ଝଟକା ପରେ ଝଟକା ଦେଇ ଚାଲିଥିଲେ। ଜୋସ୍ ହାଜେଲଉଡ, ପ୍ୟାଟ୍ କମିନ୍ସ ଏବଂ ଜେମ୍ସ ପାଟିନସନଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର ପ୍ରଥମ ପାଳି ମାତ୍ର ୨୭.୫ ଓଭର ଏବଂ ୬୭ ରନ୍‌ରେ ଶେଷ ହୋଇଯାଇଥିଲା। ହାଜେଲଉଡ୍ ୫ ୱିକେଟ୍ ସଫଳତା ପାଇଥିବା ବେଳେ କମିନ୍ସ ଏବଂ ପାଟିନସନ୍‌ ମିଳିତ ଭାବେ ଅବଶିଷ୍ଟ ୫ ୱିକେଟ୍ ବାଣ୍ଟି ନେଇଥିଲେ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦ୍ବିତୀୟ ବଲ୍‌ ଶୂନରେ ଆଉଟ୍ ହୋଇଥିଲେ। ଜୋ ଡେନଲି କେବଳ ଦୁଇ ଅଙ୍କ (୧୨, ୪୯ ବଲ) ସ୍କୋର କରିପାରିଥିଲେ। ୯ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ଅନ୍ୟୁନ ଚୌକାଟିଏ ମାରିଥିଲେ ମଧ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ପ୍ରଥମ ପାଳିରେ ୧୧୨ ରନ୍ ଆଗୁଆ ରହିବା ପରେ ଦ୍ବିତୀୟ ପାଳି ଖେଳିଥିବା ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫୨ ରନ୍ ଭିତରେ ଭ୍ରମଣକାରୀ ଦଳ ମାର୍କସ ହ୍ୟାରିସ୍ (୧୯), ଡେଭିଡ୍‌ ୱାର୍ନର (୦), ଉସମାନ ଖୱାଜା (୨୩)ଙ୍କୁ ହରାଇଦେଇଥିଲା। ମାର୍ନସ ଲାବୁଚାନ୍ (୫୩*) ଅର୍ଧଶତକ ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୭୯ (ମାର୍ନସ ଲାବୁଚାନ୍‌-୭୪, ଡେଭିଡ୍‌ ୱାର୍ନର-୬୧, ଜୋର୍ଫା ଆର୍ଚର-୬/୪୫, ଷ୍ଟୁଆର୍ଟ ବ୍ରଡ୍-୨/୩୨)। ଇଂଲଣ୍ଡ ପ୍ରଥମ ପାଳି: ୨୭.୫ ଓଭରରେ ୬୭ (‌ଜୋ ଡେନଲି-୧୨, ଜୋସ୍ ହାଜେଲଉଡ୍‌-୫/୩୦, ପ୍ୟାଟ୍ କମିନ୍ସ-୩/୨୩, ଜେମ୍ସ ପାଟିନସନ୍‌-୨/୯)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୫୭ ଓଭରରେ ୧୭୧/୬ (ମାର୍ନସ ଲାବୁଚାନ-୫୩*, ଟ୍ରାଭିସ୍ ହେଡ୍‌-୨୫, ମାଥ୍ୟୁ ୱାଦେ-୩୩, ବେନ୍‌ ଷ୍ଟୋକ୍ସ-୨/୩୪, ଷ୍ଟୁଆର୍ଟ ବ୍ରଡ୍‌-୨/୩୪, କ୍ରିସ୍ ୱକ୍ସ-୧/୩୪, ଜ୍ୟାକ୍ ଲିଚ୍-୧/୪୬)।

ସମ୍ବନ୍ଧିତ ଖବର