ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍‌ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ନେଇଛି। ପ୍ୟାଟ୍ କମିନ୍ସଙ୍କ ଦଳର ପ୍ରଥମ ପାଳି ସ୍କୋର୍‌ ୪୧୬ ରନ୍‌ ଜବାବରେ ଘରୋଇ ଇଂଲଣ୍ଡ ଶୁକ୍ରବାର ପ୍ରଥମ ଅଧିବେସନରେ ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୨୫ ରନ୍‌ରେ ଅଟକିଯାଇଛି। ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିବସ ଖେଳ ଆଗୁଆ ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍‌ ସଂଗ୍ରହ କରିଥିଲା। ମୋଟ ଉପରେ ଅଷ୍ଟ୍ରେଲିଆ ୨୨୧ ରନ୍‌ରେ ଆଗୁଆ ହୋଇ ସ୍ଥିତି ଦୃଢ଼ କରିନେଇଛି।
ଶୁକ୍ରବାର ଇଂଲଣ୍ଡ୍ ପୂର୍ବ ଦିନର ସ୍କୋର୍‌ ୨୭୮/୪ରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ପ୍ରଥମ ଓଭରରେ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ମିଚେଲ୍ ଷ୍ଟାର୍କ ପ୍ୟାଭିଲିଅନ୍ ପଠାଇ ଦେବା ପରେ ଅନ୍ୟ ବ୍ୟାଟର ତାଙ୍କୁ ପିଛା କରିଥିଲେ। ହାରି ବ୍ରୁକ୍ କିଛିଟା ‌‌ଧୈର୍ଯ୍ୟ ଦେଖାଇଥିଲେ ମଧ୍ୟ ଅର୍ଦ୍ଧଶତକ ହାସଲ ପରେ ଷ୍ଟାର୍କଙ୍କ ତୃତୀୟ ଶିକାର ‌ହୋଇ ଫେରିଥିଲେ। ଜନି ବେୟାରଷ୍ଟୋ ପ୍ରାୟ ଏକ ଘଣ୍ଟା ଧରି ଖେଳିଥିଲେ ମଧ୍ୟ ଜୋସ୍ ହାଜେଲଉଡ୍ ତାଙ୍କ ହୋସ୍ ଉଡ଼ାଇ ଦେଇଥିଲେ। ଇଂଲଣ୍ଡର ‌ଲାଞ୍ଜକୁ କାଟିବାରେ ଅଷ୍ଟ୍ରେଲିଆ ବୋଲରଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ିନଥିଲା। ଏପରିକି ସାମୟିକ ବୋଲର ଟ୍ରାଭିସ୍ ହେଡ୍‌ ଗୋଟିଏ ଓଭରରେ ଓଲି ରବିନସନ୍ ଓ ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ୟାଭିଲିଅନ୍‌ ପଠାଇଦେବା ପରେ ଜୋସ ଟଙ୍ଗଙ୍କୁ ଆଉଟ୍ କରି ଅଧିନାୟକ ପ୍ୟାଟ କମିନ୍ସ ଇଂଲଣ୍ଡ ପାଳିକୁ ତୁରନ୍ତ ସମାପ୍ତ କରି ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ଶୁକ୍ରବାର ମାତ୍ର ୧୫.୨ ଓଭର ଖେଳି ୪୭ ରନ୍‌ ଭିତରେ ୬ ୱିକେଟ୍‌ ହରାଇ ମଧ୍ୟାହ୍ନ ଭୋଜନ ପୂର୍ବରୁ ପ୍ରଥମ ପାଳିକୁ ଶେଷ କରିଥିଲା। ଘରୋଇ ଦଳର ଶେଷ ୪ ୱିକେଟ୍ ୧୪ ରନ୍ ଭିତିରେ ଝଡ଼ିପଡ଼ିଥିଲା।

Advertisment

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୧୬ (ଷ୍ଟିଭେନ୍ ସ୍ମିଥ୍‌-୧୧୦, ଜୋସ୍ ଟଙ୍ଗ-୩/୯୮, ଓଲି ରବିନସନ୍‌-୩/୧୦୦)। ଇଂଲଣ୍ଡ ପ୍ରଥମ ପାଳି: ୭୬.୨ ଓଭରରେ ୩୨୫ (ବେନ୍ ଡକେଟ୍‌-୯୮, ହାରି ବ୍ରୁକ୍‌-୫୦, ଜାକ୍ କ୍ରଲି-୪୮, ଓଲି ପୋପ୍‌-୪୨, ‌ବେନ୍ ଷ୍ଟୋକ୍ସ-୧୭, ମିଚେଲ୍ ଷ୍ଟାର୍କ-୩/୮୮, ଟ୍ରାଭିସ୍ ହେଡ୍‌-୨/୧୭, ‌ଜୋସ ହାଜେଲଉଡ୍‌-୨/୭୧, ନାଥନ୍ ଲାୟନ-୧/୩୫, ପ୍ୟାଟ୍ କମିନ୍ସ-୧/୪୬, କାମେରନ୍ ଗ୍ରିନ୍‌-୧/୫୪)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୪୫.୪ ଓଭରରେ ୧୩୦/୨ (ଉସମାନ ଖୱାଜା-୫୮*, ମାର୍ନସ ଲବୁସାନ-୩୦, ଡେଭିଡ୍‌ ୱାର୍ଣ୍ଣର-୨୫, ଷ୍ଟିଭ୍ ସ୍ମିଥ୍‌-୬*, ଜୋସ ଟଙ୍ଗ୍-୧/୨୧, ଜେମ୍ସ ଆଣ୍ଡରସନ୍-୧/୪୧)।