ଲର୍ଡସ୍‌ ଟେଷ୍ଟ୍‌ ଅମୀମାଂସିତ: ସ୍ମିଥ୍ ବାଦ୍‌, ଲବୁସାନେଙ୍କ କୀର୍ତ୍ତିମାନ

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଲର୍ଡସ୍‌ରେ ଆୟୋଜିତ ଦ୍ବିତୀୟ ଆସେସ୍ ଟେଷ୍ଟ ଅମୀମାଂସିତ ରହିଛି। ଇଂଲଣ୍ଡ ଶେଷ ଦିନରେ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଅଷ୍ଟ୍ରେଲିଆ ଅନ୍ତିମ ଦିବସ ଖେଳ ଶେଷ ସୁଦ୍ଧା ତା’ର ଅସାମାପ୍ତ ଦ୍ବିତୀୟ ପାଳିରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଛି। ତା’ ସହ ଆସନ୍ନ ପରାଜୟରୁ ଅଳ୍ପକେ ବର୍ତି ଯାଇଛି। ବଦଳ ଖେଳାଳି ମାର୍ନସ ଲବୁସାନେ (୫୯*)ଙ୍କ ଲଢ଼ୁଆ ଅର୍ଧଶତକ ସହ ଟ୍ରାଭିସ୍ ହେଡଙ୍କ ଅପରାଜିତ (୪୨) ପାଳି କଙ୍ଗାରୁ ଦଳକୁ ବଞ୍ଚାଇ ଦେଇଛି। ଅନ୍ତିମ ଦିନ ସୁଦ୍ଧା ଉଭୟ ଦଳର ଦୁଇଟି ଲେଖାଏଁ ପାଳି ‌ଶେଷ ହୋଇ ପାରି ନଥିବାରୁ ମ୍ୟାଚ୍‌ର ଫଳାଫଳ ମିଳି ନଥିଲା।

ପଦାର୍ପଣକାରୀ ଜୋଫ୍ରା ଆର୍ଚର କଙ୍ଗାରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଓ ଉସମାନ ଖୱାଜାଙ୍କୁ ୧୯ ରନ୍ ଭିତରେ ଆଉଟ୍ କରି ଦେଇଥିଲେ। ସେହିଭଳି ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ୟାରେୁନ୍ କନକ୍ରଫ୍ଟ ୧୬, ମାଥ୍ୟୁ ୱାଦେ ୧ ଓ ଅଧିନାୟକ ଟିମ୍ ପେନ୍ ମାତ୍ର ୧ ରନ୍ କରିଥିଲେ। ଆର୍ଚର ପ୍ରଥମ ୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ଦୋହଲାଇ ଦେଇଥିଲେ। ଷ୍ଟିଭେନ୍ ସ୍ମିଥ୍ ଆହତ ହେବା ପରେ ତାଙ୍କ ବଦଳରେ ଦ୍ବିତୀୟ ପାଳି ଖେଳିବାର ସୁଯୋଗ ପାଇଥିବା ଲବୁସାନେ ଓ ହେଡଙ୍କ ମଧ୍ୟରେ ହୋଇଥିବା ୮୫ ରନ୍‌ର ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ପରାଜୟରୁ ବର୍ତି ଯାଇଥିଲା।

ପୂର୍ବରୁ ଏହି ବର୍ଷା ପ୍ରଭାବିତ ମ୍ୟାଚ୍‌ର ପ୍ରଥମ ପାଳିରେ ୨୫୮ ରନ୍ କରିଥିବା ଇଂଲଣ୍ଡ ଦ୍ବିତୀୟ ପାଳିରେ ୮ ୱିକେଟ୍ ହରାଇ ଠିକ୍ ସେହି ୨୫୮ ରନ୍ କରିବା ବେଳେ ଘୋଷଣା କରିଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ଅପରାଜିତ ୧୧୫ ରନ୍‌ର ପାଳି ଖେଳିଛନ୍ତି। ଯାହା ତାଙ୍କ ଖେଳ ଜୀବନର ସପ୍ତମ ଶତକ ହୋଇଛି। ମାତ୍ର ୧୦୨ ରନ୍‌ରେ ଅଧାଦଳ ହରାଇଥିବା ଇଂଲଣ୍ଡ ତାଙ୍କ ଚିତ୍ତାକର୍ଷକ ଶତକ ପାଇଁ ହିଁ ଏକ ସମ୍ମାନଜନକ ସ୍କୋରରେ ପାଳି ଘୋଷଣା କରିଥିଲା। ଆଉ ଅଷ୍ଟ୍ରେଲିଆ ସମ୍ମୁଖରେ ପଞ୍ଚମ ତଥା ଶେଷ ଦିନରେ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦ୍ବିତୀୟ ମୁକାବିଲା ଅମୀମାଂସିତ ରହିବା ପରେ ୫ ଟିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦‌ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ସ୍ମିଥଙ୍କ ଯୁଗଳ ଶତକ ବଳରେ ସହଜରେ ଜିତି ନେଇଥିଲା। ତୃତୀୟ ଟେଷ୍ଟ ଲିଡ୍ସର ଡେଭିଂଲେଠାରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ରବିବାର ୯୬/୪ରୁ ତା’ର ଦ୍ବିତୀୟ ପାଳି ଆରମ୍ଭ କରିଥିଲା।

ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଗୁରୁତର ଆହତ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଲର୍ଡସ ଟେଷ୍ଟ୍‌ର ଦ୍ବିତୀୟ ପାଳିରୁ ବାଦ୍ ପଡ଼ିଛନ୍ତି। ଫଳରେ ତାଙ୍କ ସ୍ଥାନରେ ମାର୍ନସ ଲବୁସାନେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ଖେଳିବାର ସୁଯୋଗ ପାଇଛନ୍ତି। ଜଣେ ଖେଳାଳି ଆଘାତପ୍ରାପ୍ତ ହେବା ପରେ ତାଙ୍କ ସ୍ଥାନରେ ଅନ୍ୟଜଣେ ଖେଳାଳି ଦ୍ବିତୀୟ ପାଳି ଖେଳିବାର ଏହା ପ୍ରଥମ ଘଟଣା। ଲବୁସାନେ ଆଜି ଲର୍ଡସ୍‌ ପଡ଼ିଆକୁ ଓହ୍ଲାଇବା ପରେ ଏହି କ୍ଷେତ୍ରରେ ପ୍ରଥମ ଖେଳାଳି ହେବାର ଗୌର ଲାଭ କରିଛନ୍ତି। ତେବେ ଆର୍ଚର ତାଙ୍କ ହେଲମେଟରେ ମଧ୍ୟ ବଲ୍ ବଜାଇ ଆହୁରି ଚର୍ଚିତ ହୋଇଛନ୍ତି। ଆର୍ଚରଙ୍କ ଲକ୍ଷ୍ୟଭେଦି ବାଉନ୍ସର ଲବୁସାନେଙ୍କ ହେଲମେଟ୍ ଗ୍ରିଲ୍‌ରେ ବାଜି, ତା’ ଭିତରେ ରହିଯାଇଥିଲା। ଫଳରେ ସେ ଅଳ୍ପକେ ବର୍ତି ଯାଇଥିଲେ। ସେପଟେ ସ୍ମିଥ୍ ଲର୍ଡସ ଟେଷ୍ଟର ଦ୍ବିତୀୟ ପାଳି ସହ ହେଡିଂଲେରେ ଖେଳା ଯିବାକୁ ଥିବା‌ ଅଷ୍ଟ୍ରେଲିଆ-ଇଂଲଣ୍ଡ ତୃତୀୟ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ଯାହା ଅଷ୍ଟ୍ରେଲିଆ ପାଇଁ ବଡ଼ ଝଟ୍‌କା ହୋଇଛି। କାରଣ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ସ୍ମିଥ୍ ଯୁଗଳ ଶତକ ହାସଲ କରିଥିଲେ। ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ସେ ମଧ୍ୟ ୯୨ ରନ୍‌ର ମହତ୍ବପୂର୍ଣ୍ଣ ପାଳି ‌ଖେଳିଥିଲେ। ଶନିବାର ଆର୍ଚରଙ୍କ ବାଉନ୍ସର ବେକରେ ବାଜିବା ପରେ ସ୍ମିଥ୍ ପିଚ୍ ଉପରେ ଟଳି ପଡ଼ିଥି‌ଲେ। ଫଳରେ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ପରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ମଧ୍ୟ ଶତକ ପୂରଣ କରି ପାରି ନଥିଲେ।

ସମ୍ବନ୍ଧିତ ଖବର