ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ବିଜୟ ଦ୍ବାରରେ ପହଞ୍ଚିଯାଇଛି। ଘରୋଇ ଇଂଲଣ୍ଡ ସମ୍ମୁଖରେ ୩୭୧ ରନ୍ ଲକ୍ଷ୍ୟ ରହିଥିବାବେଳେ ଚତୁର୍ଥ ଦିବସ ଖେଳ ସୁଦ୍ଧା ବେନ୍ ଷ୍ଟୋକ୍ସଙ୍କ ଦଳ ୧୧୪ ରନ୍ରେ ୪ ୱିକେଟ୍ ହରାଇ ଦେଇଛି। ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ସହ ଦଳକୁ ୨-୦ ଅଗ୍ରଣୀ ଦେବା ସମ୍ଭାବନା ସୃ୍ଷ୍ଟି କରିଛନ୍ତି। ଚତୁର୍ଥ ଦିବସରେ କିନ୍ତୁ ଆହତ ନାଥନ୍ ଲାୟନଙ୍କ ସାହସିକ ବ୍ୟାଟିଂ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ଦ୍ବିତୀୟ ଦିବସରେ ଆହତ ହୋଇ ପଡ଼ିଆ ଛାଡ଼ିଥିବା ଏହି ଅଭିଜ୍ଞ ଅଫସ୍ପିନର୍ ଅଷ୍ଟ୍ରେଲିଆର ନବମ ୱିକେଟ୍ ପତନ ପରେ ବାଧ୍ୟ ହୋଇ ବ୍ୟାଟିଂ ପାଇଁ ଆସିଥିଲେ। ଯନ୍ତ୍ରଣା ମଧ୍ୟରେ ଛୋଟେଇ ଛୋଟେଇ ଆସିଥିଲେ। ବ୍ୟାଟିଂ କରିବା ସହ ଶେଷ ୱିକେଟ୍ ପାଇଁ ୧୫ ରନ୍ ଭାଗୀଦାରି କରିବାରେ ସହାୟତା କରିଥିଲେ। ୧୩ ବଲ୍ ଖେଳି ଗୋଟିଏ ଚୌକା ମାରି ଶେଷ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ନିଜର ଲଗାତାର ୧୦୦ ଟେଷ୍ଟ୍ ଖେଳୁଥିବା ଲାୟନଙ୍କୁ ଏଥି ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୧୬ (ଷ୍ଟିଭେନ୍ ସ୍ମିଥ୍-୧୧୦, ଟ୍ରାଭିସ୍ ହେଡ୍-୭୭, ଡେଭିଡ୍ ୱାର୍ଣ୍ଣର-୬୬, ଜୋସ୍ ଟଙ୍ଗ-୩/୯୮, ଓଲି ରବିନସନ୍-୩/୧୦୦)। ଇଂଲଣ୍ଡ ପ୍ରଥମ ପାଳି: ୩୨୫ (ବେନ୍ ଡକେଟ୍-୯୮, ହାରି ବ୍ରୁକ୍-୫୦, ମିଚେଲ୍ ଷ୍ଟାର୍କ-୩/୮୮)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୧୦୧.୫ ଓଭରରେ ୨୭୯ (ଉସମାନ ଖୱାଜା-୭୭, ଷ୍ଟିଭ୍ ସ୍ମିଥ୍-୩୪, ଆଲେକ୍ସ କ୍ୟାରି-୨୧, ଷ୍ଟୁଆର୍ଟ ବ୍ରଡ୍-୪/୬୫, ଓଲି ରବିନସନ୍-୨/୪୮, ଜୋସ ଟଙ୍ଗ୍-୨/୫୩, ବେନ୍ ଷ୍ଟୋକ୍ସ-୧/୨୬, ଜେମ୍ସ ଆଣ୍ଡରସନ୍-୧/୬୪)। ଇଂଲଣ୍ଡ ଦ୍ବିତୀୟ ପାଳି: ୩୧ ଓଭରରେ ୧୧୪/୪ (ବେନ୍ ଡକେଟ୍-୫୦*, ଜୋ ରୁଟ୍-୧୮, ବେନ୍ ଷ୍ଟୋକ୍ସ-୨୯*, ମିଚେଲ ଷ୍ଟାର୍କ-୨/୪୦, ପ୍ୟାଟ୍ କମିନ୍ସ-୨/୨୦)।