ଆଜିଠୁ ଲର୍ଡସ ଟେଷ୍ଟ୍‌: ବ୍ୟାଟିଂ ଚିନ୍ତା ଦୂର କରିବା ଲକ୍ଷ୍ୟରେ ଭାରତ ଓ ଇଂଲଣ୍ଡ

ଲର୍ଡସ୍‌ (ଲଣ୍ଡନ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ଐତିହାସିକ ଲର୍ଡସ ପଡ଼ିଆରେ ଦ୍ବିତୀୟ ଟେଷ୍ଟ୍‌ ଆରମ୍ଭ ହେବ। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ନୂଆ କ୍ୟାଲେଣ୍ଡର ବର୍ଷ ଅନ୍ତର୍ଗତ ଟ୍ରେଣ୍ଟ୍‌ ବ୍ରିଜ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଚମତ୍କାର ବୋଲିଂ ପରେ ଭାରତ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ହେଲେ ପଞ୍ଚମ ତଥା ଅନ୍ତିମ ଦିବସ ଖେଳକୁ ବର୍ଷା ପୂରା ଧୋଇନେବାରୁ ଏକ ନିଶ୍ଚିତ ବିଜୟ ସୁଯୋଗ ଭାରତ ହାତରୁ ଖସିଯାଇଥିଲା। ମ୍ୟାଚ୍‌ ଅମୀମାଂସିତ ରହିବା ବିରାଟ କୋହଲିଙ୍କ ଦଳକୁ ନିରାଶ କରିଥିଲା। ଏପରିସ୍ଥଳେ ଲର୍ଡସ ଟେଷ୍ଟ୍‌କୁ ଓହ୍ଲାଇବାକୁ ଯାଉଥିବା‌ ଭାରତ ବିଶେଷକରି ବ୍ୟାଟିଂରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି। ଟ୍ରେଣ୍ଟ୍‌ବ୍ରିଜ୍‌ ଟେଷ୍ଟ୍‌ରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲା ବେଳେ ଆଗଧାଡ଼ିର ବ୍ୟାଟିଂ ନୈରାଶ୍ୟଜନକ ଥିଲା। ମୁଖ୍ୟତଃ ଅଧିନାୟକ ବିରାଟ କୋହଲି, ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରହାଣେଙ୍କ ବ୍ୟାଟିଂ ନିମ୍ନମାନର ରହିଥିଲା। କୋହଲି, ପୁଜାରା ଓ ରହାଣେ ଯଥାକ୍ରମେ ସେହି ଟେଷ୍ଟ୍‌ରେ ୦, ୪ ଓ ୫ ରନ୍‌ ଲେଖାଏଁ କରିଥିଲେ। ତଥାପି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସାଙ୍ଗକୁ ମହମ୍ମଦ ସିରାଜ ଓ ଶାର୍ଦୁଲ ଠାକୁରଙ୍କ ପ୍ରଦର୍ଶନ ବଳରେ ପ୍ରଥମ ଟେଷ୍ଟ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଯଦି ପରବର୍ତୀ ୪ ଟେଷ୍ଟ ସେହିଭଳି ସଂଘର୍ଷପୂର୍ଣ୍ଣ ରହେ ତାହାଲେ ପୂରା ଶୃଙ୍ଖଳା ଦର୍ଶକଙ୍କ ପାଇଁ ଉପଭୋଗ୍ୟ ହୋଇପାରିବ ବୋଲି କୁହାଯାଉଛି। ପ୍ରଥମ ଟେଷ୍ଟ୍‌ରେ ପ୍ରଦର୍ଶନକୁ ଦେଖିଲେ ଭାରତ ପ୍ରତିପକ୍ଷ ତଥା ଘରୋଇ ଇଂଲଣ୍ଡ ତୁଳନାରେ ବେଶ୍‌ ସନ୍ତୁଳିତ ଥିଲା।

‌ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବାର ସୁଯୋଗ ପାଇଥିବା କେଏଲ୍‌ ରାହୁଲ ଭଲ ଖେଳିଥିଲେ ମଧ୍ୟ ମଧ୍ୟକ୍ରମକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଯାହାକି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସରେ ପ୍ରତିଫଳିତ ହୋଇଥିଲା। ପୂଜାରା, କୋହଲି ଓ ରାହାଣେ ନିଜ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ପୂରା ବିଫଳ ହୋଇଥିଲେ। ତେଣୁ ଇଂଲଣ୍ଡ ଏହାର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଥିଲା ବେଳେ ଭାରତ ବ୍ୟାଟିଂରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖିଛି। ଭାରତ ଭଳି ଘରୋଇ ଦଳର ମଧ୍ୟ ବ୍ୟାଟିଂ ଦୁର୍ବଳତା ରହିଛି। କେବଳ ଅଧିନାୟକ ଜୋ ରୁଟ୍‌ ପ୍ରଥମ ଟେଷ୍ଟ୍‌ର ଉଭୟ ପାଳିରେ ହିଁ ପ୍ରଭାବ ଛାଡ଼ିଥିଲେ। ତେଣୁ ଘରୋଇ ଦଳର ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଲର୍ଡସରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ତଥାପି ଟ୍ରେଣ୍ଟ୍‌ ବ୍ରିଜ୍‌ ପିଚ୍‌ ଭଳି ଯଦି ବଲ୍‌ ଉଭୟ ପାର୍ଶ୍ବକୁ ଘୁରେ ତାହାଲେ ବୁମ୍‌ରାଙ୍କୁ ଖେଳିବା ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ କଷ୍ଟକର ହୋଇପଡ଼ିବ।

ଲର୍ଡସରେ ଉଭୟ ଦଳ ତିନିବର୍ଷ ତଳେ ଶେଷ ଥର ପାଇଁ ଟେଷ୍ଟ୍‌ ଖେଳିଥିଲେ। ଅବଶ୍ୟ ବୁମ୍‌ରା ସେହି ଟେଷ୍ଟ୍‌ରୁ ବଞ୍ଚିତ ରହିଥିଲେ। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟିଂ ମଧ୍ୟ ନୈରାଶ୍ୟଜନକ ଥିଲା। ଭାରତୀୟ ଦଳ ଉଭୟ ପାଳିରେ ଯଥାକ୍ରମେ ୧୦୭ ଓ ୧୩୦ ରନ୍‌ କରିପାରିଥିଲା। ବିଶେଷକରି ଘରୋଇ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ମ୍ୟାଚ୍‌ରେ ୯ ୱିକେଟ୍‌ ଦଖଲ କରି ଭାରତକୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ଆଣ୍ଡରସନ୍‌ଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର କ୍ରିସ୍‌ ୱକ୍‌ସ ବ୍ୟାଟିଂରେ ତାରକା ବନିଯାଇଥିଲେ। ସେ ସେହି ମ୍ୟାଚ୍‌ରେ ନିଜର ପ୍ରଥମ ଟେଷ୍ଟ୍‌ ଶତକ ଜମାଇଥିଲେ। କିନ୍ତୁ ଏବର ଭାରତୀୟ ଦଳ ଭିନ୍ନ ଓ ଯଥେଷ୍ଟ ଉନ୍ନତ ରହିଛି। ୨୦୧୮ ତୁଳନାରେ ଅଧିକ ଶକ୍ତିଶାଳୀ ଭାବେ ନିଜକୁ ପ୍ରମାଣିତ କରିପାରିଛି ଭାରତ। ଯାହାକି ଟ୍ରେଣ୍ଟ୍‌ ବ୍ରିଜ୍‌ରେ ପ୍ରଥମ ଟେଷ୍ଟ୍‌ ବେଳେ ପ୍ରମାଣ ଛାଡ଼ିଛି। ଇଂଲଣ୍ଡକୁ ଘାଇଲା କଲାଭଳି ବୋଲିଂ ଆକ୍ରମଣ ରଖିଛି ଭାରତ। ଫଳରେ ଚଳିତ ଶୃଙ୍ଖଳାରେ ଇଂଲଣ୍ଡକୁ ଯେ କଠିନ ପରିଶ୍ରମ କରିବାକୁ ଯେ ପଡ଼ିବ ତାହା ଚେତାଇ ଦେଇଛି ଭାରତ।

ଶାର୍ଦୁଲ ଆହତ: ଅଶ୍ବିନଙ୍କୁ ମିଳିପାରେ ସୁଯୋଗ
ଅମୀମାଂସିତ ପ୍ରଥମ ଟେଷ୍ଟ୍‌ର ଚୂଡାନ୍ତ ଏକାଦଶରେ ବିଶେଷକିଛି ପରିବର୍ତନ କରିବାକୁ ଚାହିବେନି କୋହଲି। ଫଳରେ ଅପରିବର୍ତିତ ଦଳ ନେଇ ଲର୍ଡସ ପଡ଼ିଆକୁ ଓହ୍ଲାଇବାର ଯୋଜନା ରଖିଥିଲେ। ହେଲେ ଦ୍ରୁତ ବୋଲର ଶାର୍ଦୁଲ ଠାକୁର ଆହତ ହୋଇଥିବା ଖବର ଦଳକୁ ଗୋଟିଏ ପରିବର୍ତନ ପାଇଁ ବାଧ୍ୟ କରିବ। ଏହି ଦୃଷ୍ଟିରୁ ଶାର୍ଦୁଲଙ୍କ ସ୍ଥାନରେ ନିଜର ଶ୍ରେଷ୍ଠ ସ୍ପିନ୍‌ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ନେବାକୁ ଅଧିନାୟକ ବିରାଟ କୋହଲି ଚାହିବେ। ନଚେତ ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ବିକଳ୍ପ ଭାବେ ଉଭା ହେବେ। ୨୦୧୪ ଗସ୍ତରେ ଏହି ପଡ଼ିଆରେ ଇଶାନ୍ତ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଯଦି ଉଭୟ ଅଶ୍ବିନ୍‌ ଓ ଇଶାନ୍ତଙ୍କୁ ଚୂଡାନ୍ତ ଦଳରେ ରଖାଯାଏ ତାହାଲେ ମହମ୍ମଦ ସିରାଜ୍‌ଙ୍କୁ ବାଦ୍‌ ଦିଆଯିବ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ ୪ ସିମର୍‌ ଓ ଜଣେ ସ୍ପିନରଙ୍କୁ ନେଇ ଖେଳିବାର ଯୋଜନା ରଖିଥିବା କୋହଲି ଉମେଶ ଯାଦବଙ୍କୁ ମଧ୍ୟ ବିକଳ୍ପ ଭାବେ ରଖିଛନ୍ତି। ଅଶ୍ବିନ୍‌ ବ୍ୟାଟିଂରେ ଯେତିକି ରନ୍‌ କରିପାରିବେ ତା’ଠୁ କମ୍‌ ରନ୍‌ ଇଶାନ୍ତ ଓ ଉମେଶ ବୋଲିଂରେ ବ୍ୟୟ କରିବେ ବୋଲି ଦଳୀୟ ସୂତ୍ରରୁ ଆକଳନ କରାଯାଇଛି।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା, କେଏଲ୍‌ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌/ଇଶାନ୍ତ ଶର୍ମା, ଯଶ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ।

ଆହତ ବ୍ରଡ୍‌ ଶୃଙ୍ଖଳାରୁ ବାଦ: ଇଂଲଣ୍ଡ ଦଳରେ ୪ ପରିବର୍ତନ ସମ୍ଭାବନା
ଘରୋଇ ଇଂଲଣ୍ଡ ଦଳ ତା’ର ଚୂଡାନ୍ତ ଏକାଦଶ ଟସ୍‌ ପଡ଼ିବା ବେଳେ ଘୋ‌ଷଣା କରିବ ବୋଲି କହିଛି। ବର୍ଷା ଯୋଗୁଁ ନିଶ୍ଚିତ ପରାଜୟ ଏଡାଇ ଯାଇଥିବା ପ୍ରଥମ ଟେଷ୍ଟ୍‌ର ପ୍ରଦର୍ଶନକୁ ବିଚାରକୁ ନେଇ ଦଳ ଲର୍ଡସ ଟେଷ୍ଟ୍‌ ପାଇଁ ତିନି ଚାରି ଜଣ ଖେଳାଳି ପରିବର୍ତନ କରିବାର ଆଭାସ ଦେଇଛନ୍ତି ଅଧିନାୟକ ଜୋ ରୁଟ୍‌। ବିଶେଷକରି ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଆହତ ଥିବାରୁ ଲର୍ଡସ ଟେଷ୍ଟ ସମେତ ପୂରା ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ପୁଣି ଆଣ୍ଡରସନ୍‌ ମଧ୍ୟ ଆଶଙ୍କାରେ ରହିଛନ୍ତି। ଫଳରେ ବିଶ୍ବର ଦ୍ରୁତତମ ବୋଲର ଭାବେ ପରିଗଣିତ ମାର୍କ ଉଡ୍‌ ଫେରିବା ଏବଂ ସାକିବ୍‌ ମହମୁଦ୍‌ ପଦାର୍ପଣ ସୁଯୋଗ ପାଇବାର ସମ୍ଭାବନା ରହିଛି। ସେହିପରି ମନ୍ଥର ବୋଲିଂ ପାଇଁ ଅଧିକ ଦଣ୍ଡିତ ହେବାରୁ ରକ୍ଷା ପାଇବା ପାଇଁ ଜଣେ ସ୍ପିନର ଭାବେ ମୋଇନ୍‌ ଅଲ୍ଲୀଙ୍କୁ ଖେଳାଇବାର ଯୋଜନା କରିଛି ଇଂଲଣ୍ଡ। ପୁଣି ଶୀର୍ଷକ୍ରମ ବ୍ୟାଟିଂରେ ଉନ୍ନତି ଆଣିବା ଲକ୍ଷ୍ୟରେ ହାସିବ ହମିଦ୍‌ଙ୍କୁ ସାମିଲ କରି ଜାକ୍‌ କ୍ରଲିଙ୍କୁ ବାଦ୍‌ ଦେବାକୁ ରୁଟ୍‌ ପସନ୍ଦ କରିବେ।

ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ରୋରି ବର୍ନସ, ଡମ୍‌ ଶିବ୍‌ଲେ, ହାସିବ ହମିଦ୍‌, ଜୋ ରୁଟ୍‌ (ଅଧିନାୟକ), ଜନି ବେୟାରଷ୍ଟୋ, ଜୋସ୍‌ ବଟଲର୍‌, ମୋଇନ୍‌ ଅଲ୍ଲୀ, ସାମ୍‌ କରନ, ଓଲି ରବିନ୍‌ସନ୍‌, ମାର୍କ ଉଡ୍‌, ଜେମ୍‌ସ ଆଣ୍ଡରସନ୍‌/ସାକିବ୍‌ ମହମୁଦ୍‌।

ସମ୍ବନ୍ଧିତ ଖବର