ଲର୍ଡ୍‌ସରେ ଭାରତ ଖେଳିଛି ୧୭, ଜିତିଛି ୨

୨ ସ୍ପିନର ନେବା ପ୍ରଲୋଭନ

ଲଣ୍ଡନ: ଲଣ୍ଡନର ଐତିହାସିକ ଲର୍ଡ୍‌ସ ପଡ଼ିଆରେ ଆସନ୍ତା ୯ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚଳିତ ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ୍‌। ଲର୍ଡସ୍‌ ପଡ଼ିଆ ଭାରତୀୟ ଦଳ ପାଇଁ ଉଭୟ ଖଟା ଓ ମିଠାର ମିଶ୍ରିତ ଅନୁଭୂତି ରଖିଛି। ଏହି ପଡ଼ିଆରେ ଭାରତ ତା’ର ସର୍ବପ୍ରଥମ ଟେଷ୍ଟ୍‌ ଖେଳିଥିଲା। ଆଉ ସେହିଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଭାରତ ଲର୍ଡସ୍‌ରେ ମୋଟ ୧୭ ଟେଷ୍ଟ୍‌ ଖେଳିସାରିଛି। ସେଥିରୁ ମାତ୍ର ୨ଟିରେ ବିଜୟ ପାଇଥିଲା ବେଳେ ୪ଟିକୁ ଅମୀମାଂସିତ ରଖିଛି। ଅବଶିଷ୍ଟ ୧୧ ଟେଷ୍ଟ୍‌ରେ ପରାଜୟ ବରଣ କରିଛି। ଚଳିତ ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଏଜ୍‌ବାଷ୍ଟନ୍‌ରେ ହାର୍‌ ମାନିଥିବାରୁ ଶୃଙ୍ଖଳାକୁ ଫେରିବା ପାଇଁ ସେହି ଐତିହାସିକ ଲର୍ଡ୍‌ସ ଉପରେ ନଜର ରଖିଛି। ତେବେ ଆସନ୍ତୁ ଲର୍ଡସ୍‌ରେ ଭାରତର ଟେଷ୍ଟ ପ୍ରଦର୍ଶନ ଉପରେ ନଜର ପକାଇବା।
ଭାରତ ତା’ର ସର୍ବପ୍ରଥମ ଟେଷ୍ଟ୍‌ ଲର୍ଡସ୍‌ରେ ୧୯୩୨ ମସିହାରେ ଖେଳିଥିଲା। ପୋରବନ୍ଦରର ମହାରାଜା କର୍ନେଲ ସିକେ ନାୟୁଡୁ ଭାରତର ପ୍ରଥମ ଟେଷ୍ଟ ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିବସର ପ୍ରଥମ ଘଣ୍ଟାରେ ଇଂଲଣ୍ଡ ପ୍ରଥମ ପାଳିର ୩ ଓ୍ଵିକେଟ୍‌ ମାତ୍ର ୧୯ ରନ୍‌ରେ ଝଡ଼ାଇ ଦେଇଥିଲା। ହେଲେ ଆରମ୍ଭର ଆନନ୍ଦ ଶେଷରେ ନିରାଶା ଯାଇଥିଲା। ଘରୋଇ ଇଂଲଣ୍ଡଠୁ ଭାରତ ଏହି ଟେଷ୍ଟକୁ ୧୫୮ ରନ୍‌ରେ ହାରିଯାଇଥିଲା।
କିନ୍ତୁ ଲର୍ଡ୍‌ସରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ଦିଲୀପ ଭେଙ୍ଗସର୍‌କାର ସର୍ବଶ୍ରେଷ୍ଠ ପରିଗଣିତ ହୁଅନ୍ତି। ଭାରତୀୟଙ୍କ ମଧ୍ୟରେ ଭେଙ୍ଗ୍‌ସର୍‌କାର ଲର୍ଡ୍‌ସରେ ୪ ମ୍ୟାଚ୍‌ ଓ ୮ ପାଳି ଖେଳିଥିଲା ବେଳେ ସେଥିରୁ ସେ ୩ ଶତକ ଓ ଗୋଟିଏ ଅର୍ଧଶତକ ସହାୟତାରେ କରିଥିଲେ ମୋଟ ୫୦୮ ରନ୍‌। କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କର ଲଡ୍‌ର୍ସ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଐତିହାସିକ ପଡ଼ିଆରେ ସଚିନ୍‌ ୯ ପାଳି ଖେଳିଥିଲା ବେଳେ ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ ୩୭ ରହିଛି। ଅନ୍ୟ ଦୁଇ ଭାରତୀୟ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ୍‌ ଲର୍ଡ୍‌ସରେ ନିଜ ନିଜର ଟେଷ୍ଟ୍‌ ପଦାର୍ପଣ କରିଥିଲା ବେଳେ ଯଥାକ୍ରମେ ୧୩୧ ଓ ୯୫ ରନ୍‌ କରିଥିଲେ।
ଲର୍ଡସ୍‌ରେ ଭାରତ ଜିତିଥିବା ମାତ୍ର ୨ ଟେଷ୍ଟରୁ ୧୯୮୬ ବିଜୟ ପ୍ରଥମ ଥିଲା। କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଲ ଦେବଙ୍କ ନେତୃତ୍ୱରେ ଭାରତ ୧୯୮୬ରେ ଲର୍ଡସ୍‌ରେ ବିଜୟ ବାନା ଉଡାଇଥିଲା। ସେହି ଟେଷ୍ଟ୍‌ରେ ଗ୍ରାହାମ ଗୁଚ୍‌ (୧୧୪)ଙ୍କ ଶତକ ଓ ଡେରିକ୍‌ ପ୍ରିଙ୍ଗଲ୍‌ (୬୩)ଙ୍କ ଅର୍ଧଶତକ ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ପାଳିରେ ୨୯୪ କରିଥିଲା। ଚେତନ ଶର୍ମା (୫) ଓ ରୋଜର ବିନ୍ନି (୩) ସଫଳ ବୋଲର ରହିଥିଲେ। ଭାରତ ତା’ର ପ୍ରଥମ ପାଳିରେ ଭେଙ୍ଗ୍‌ସର୍‌କାର (ଅପରାଜିତ ୧୨୬)ଙ୍କ ଚିତାକର୍ଷକ ଶତକ ଓ ମହିନ୍ଦର ଅମରନାଥ (୬୩)ଙ୍କ ଅର୍ଧଶତକ ବଳରେ ୩୪୧ ରନ୍‌ କରିଥିଲା। ଏହାପରେ କପିଲଙ୍କ ୪ ଓ ମନିନ୍ଦର ସିଂହଙ୍କ ୩ ଓ୍ଵିକେଟ୍‌ ଦଖଲ ଯୋଗୁଁ ଇଂଲଣ୍ଡ ଦ୍ୱିତୀୟ ପାଳି ୧୮୦ ରନ୍‌ରେ ସଫା ହୋଇଯାଇଥିଲା। ଫଳରେ ଭାରତ ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ୫ ଓ୍ଵିକେଟ୍‌ ବିନିମୟରେ ହାସଲ କରିନେଇଥିଲା। କପିଲ ଦେବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଲର୍ଡ୍‌ସରେ ମହେନ୍ଦ୍ର ସିଂହ ଧୋନି, ଅଜିତ୍‌ ଓ୍ଵାଦେକର ଓ ମହମ୍ମଦ ଆଝାରଉଦ୍ଦିନ୍‌ ଦୁଇ ଥର ଲେଖାଏଁ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ସେଥିମଧ୍ୟରୁ ଧୋନିଙ୍କ ନେତୃତ୍ୱରେ ଭାରତ ଲର୍ଡ୍‌ସରେ ତା’ର ଦ୍ୱିତୀୟ ତଥା ଶେଷ ଟେଷ୍ଟ୍‌ ବିଜୟ ହାସଲ କରିଥିଲା। ଧୋନି ୨୦୧୪ରେ ଭାରତକୁ ଏହି ବିଜୟ ଭେଟି ଦେଇଥିଲେ। ଲର୍ଡସ୍‌ରେ ସୁନିଲ ଗାଭାସ୍କର ଓ ଅଜିତ୍‌ ଓ୍ଵାଦେକରଙ୍କ ପ୍ରଥମ ଓ୍ଵିକେଟ୍‌ ଭାଗୀଦାରି ହିଁ ଏପର୍ଯ୍ୟନ୍ତ ଭାରତ ପାଇଁ ସର୍ବୋଚ୍ଚ କୀର୍ତିମାନ ଭାବେ ଅତୁଟ ରହିଛି। ୧୯୭୪ରେ ଗାଭାସ୍କର-ଓ୍ଵାଦେକର ଯୋଡ଼ି ପ୍ରଥମ ଓ୍ଵିକେଟ୍‌ରେ ୧୩୧ ରନ୍‌ ଯୋଡ଼ିବା ଭାରତ ପାଇଁ ଲର୍ଡସ୍‌ରେ ସଫଳ ପ୍ରଦର୍ଶନ ମଧ୍ୟରୁ ଅନ୍ୟତମ। ସେହିପରି ବିଶେନ୍‌ ସିଂହ ବେଦୀ ଲର୍ଡ୍‌ସରେ ଭାରତ ପକ୍ଷରୁ ସର୍ବାଧିକ ସଫଳ ବୋଲର ରହିଛନ୍ତି। ସେ ୪ ମ୍ୟାଚ୍‌ ଖେଳି ୨୮.୯୪ ହାରରେ ମୋଟ ୧୭ ଓ୍ଵିକେଟ୍‌ ନେବା କୀର୍ତିମାନ ଅତୁଟ ରହିଛି।

ଲଣ୍ଡନ: ଲଣ୍ଡନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ସେଥିପାଇଁ ଗୁରୁବାରଠାରୁ ଐତିହାସିକ ଲର୍ଡସ ପଡ଼ିଆରେ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌ରେ ଉଭୟ ଦଳ ଦୁଇ ଜଣ ଲେଖାଏଁ ସ୍ପିନର ଖେଳାଇବାର ଆଶା ସଂଚାର ହୋଇଛି। ଲର୍ଡସ କର୍ମଚାରୀ ପିଚ୍‌ରେ ଯଥାସମ୍ଭବ ଆର୍ଦ୍ରତା ରଖିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ହେଲେ ଲଣ୍ଡନ ତାପମାତ୍ରା ଗତ କିଛି ଦିନ ହେବ ଲଗାତାର ଭାବେ ୩୦ ଡିଗ୍ରି ଉପରେ ରହୁଥିବାରୁ ମ୍ୟାଚ୍‌ ବେଳକୁ ପିଚ୍‌ ଶୁଖି ଯିବାର ଢେର ଆଶଙ୍କା ରହିଛି। ସେଥିପାଇଁ ଇଂଲଣ୍ଡ ସହ ଭାରତ ମଧ୍ୟ ଏହି ମ୍ୟାଚ୍‌ରେ ଦୁଇ ଜଣ ସ୍ପିନର ଖେଳାଇବା କଥା ଚିନ୍ତା କରିପାରେ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ପିଚ୍‌କୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ଲାଗି ଏହାକୁ ଅବଶ୍ୟ ସୋମବାର ଦିନ ସାରା ଘୋଡ଼ାଇ ରଖାଯାଇଛି। ଗୁରୁବାର ସୁଦ୍ଧା ତାପମାତ୍ରା କିଛିଟା କମିବାର ପୂର୍ବାନୁମାନ ଲଣ୍ଡନ ପାଣିପାଗ କାର୍ଯ୍ୟାଳୟ ବି ଲଗାଇଛି। ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ସହ ଇଂଲଣ୍ଡ ଦିନିକିଆ ଅଧିନାୟକ ଇଅନ ମୋର୍ଗାନ ଲର୍ଡସରେ ଦୁଇ ଜଣ ସ୍ପିନର ଖେଳାଇବା ସପକ୍ଷରେ ମତ ରଖିଛନ୍ତି। ଏଜବାଷ୍ଟନ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଖେଳାଇଥିଲେ ଭଲ ହୋଇଥାଆନ୍ତା। ସେଠାକାର ପରିବେଶ ଓ ପିଚ୍‌ ଶୁଷ୍କ ଥିଲା। ଭାରତ ସମ୍ଭବତଃ ଏକଥା ଠିକ୍‌ ଭାବେ ବୁଝିପାରି ନଥିଲା। ସେଥିପାଇଁ କୁଲଦୀପଙ୍କୁ ବେଞ୍ଚରେ ବସାଇ ରଖିଥିଲା। ଲର୍ଡସରେ ଏହି ଭୁଲ ଦୋହରାଇବା ଉଚିତ ନୁହେଁ ବୋଲି ଭଜି କହିଛନ୍ତି। ମୋର୍ଗାନ ତାଙ୍କୁ ସମର୍ଥନ କରିଛନ୍ତି। ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଇଂଲଣ୍ଡ ଦଳର ସନ୍ତୁଳନ ଠିକ୍‌ ଅଛି। ମୋ ମତରେ ଭାରତ ଦୁଇ ଜଣ ସ୍ପିନର ଖେଳାଇବାକୁ ଚିନ୍ତା କରୁଥିବ ବୋଲି ହୁସେନ କହିଛନ୍ତି।
କୋହଲି ‘କିମ୍ବଦନ୍ତୀ’ର ନିକଟରେ: ଧୋନି
ଲଣ୍ଡନ, ୭|୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଙ୍ଗଳବାର ବର୍ତମାନର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। କୋହଲି ସର୍ବଶ୍ରେଷ୍ଠ। ସେ ‘ମହାନତମ’ ଖେଳାଳି ହେବାର ନିକଟରେ ପହଞ୍ଚି ଗଲେଣି। ତାଙ୍କର ଏହି ସଫଳତାରେ ମୁଁ ବେଶ୍‌ ଆନନ୍ଦିତ। ଗତ କିଛି ବର୍ଷ ହେଲା ସେ ଯେମିତି ଭାବେ ସବୁ ଦଳ ବିପକ୍ଷରେ ରନ୍‌ କରି ଆସୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଧୋନି ଆଜି ଏକ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି। କୋହଲିଙ୍କ ନେତୃତ୍ୱ ଶୈଳୀକୁ ମଧ୍ୟ ଧୋନି ପ୍ରଶଂସା କରିଛନ୍ତି। କୋହଲି ଦଳକୁ ନିୟମିତ ଭାବେ ଉପରକୁ ନେଇ ଚାଲିଛନ୍ତି। ଜଣେ ଶ୍ରେଷ୍ଠ ଅଧିନାୟକଙ୍କଠାରୁ ଆପଣ ଏହାହିଁ ଆଶା କରନ୍ତି। ସେଥିପାଇଁ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ବୋଲି ଧୋନି କହିଥିଲେ। ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ଶେଷ ହେବା ପରେ ଅମ୍ପାୟାରଙ୍କଠାରୁ ବଲ୍‌ ସଂଗ୍ରହ କରିବାର ରହସ୍ୟ ଉପରୁ ମଧ୍ୟ ଧୋନି ଏହି ଅବସରରେ ପରଦା ଉଠାଇଥିଲେ। ଆମ ବୋଲରମାନେ ସେହି ମ୍ୟାଚ୍‌ରେ ଆଶାଜନକ ରିଭର୍ସ ସୁଇଂ ପାଉ ନଥିଲେ। ଏହାର କାରଣ ଜାଣିବା ପାଇଁ ମୁଁ ଅମ୍ପାୟାରଙ୍କଠାରୁ ବଲ୍‌ ସଂଗ୍ରହ କରିଥିଲି। ଏହାକୁ ଆମ ବୋଲିଂ ପ୍ରଶିକ୍ଷକଙ୍କୁ ଦେଇ, ସେହି ଅନୁସାରେ ଯୋଜନା କରିବାକୁ ଅନୁରୋଧ କରିଥିଲି। କାରଣ ଇଂଲଣ୍ଡରେ ଆମେ ଆସନ୍ତାବର୍ଷ ବିଶ୍ୱକପ୍‌ ଖେଳିବାର ଅଛି ବୋଲି ମାହି ମତ ରଖିଥିଲେ।

ସମ୍ବନ୍ଧିତ ଖବର