ଲିଡ୍ସରେ ଲଜ୍ଜାଜନକ ଆତ୍ମସମର୍ପଣ: ଇଂଲଣ୍ଡ ପାଳି ଓ ୭୬ ରନ୍‌ରେ ବିଜୟୀ

ଚତୁର୍ଥ ଦିନର ୨୦ ଓଭର ଭିତରେ ଖେଳ ଖତମ, ୫ ମ୍ୟାଚ୍‌ ଟେଷ୍ଟ୍‌ ଶୃଙ୍ଖଳା ୧-୧

ଲିଡ୍ସ: ଲର୍ଡସରେ ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ୍ ଦଳ ଲିଡ୍ସରେ ଘରୋଇ ଇଂଲଣ୍ଡ ନିକଟରେ ଲଜ୍ଜାଜନକ ଭାବେ ଆତ୍ମସମର୍ପଣ କରି ଗୋଟିଏ ପାଳି ଓ ୭୬ ରନ୍‌ରେ ପରାଜିତ ହୋଇଛି। ଫଳରେ ପାଞ୍ଚ ଟିକିଆ ଶୃଙ୍ଖଳା ୧-୧ ସ୍ଥିତିକୁ ଆସିଛି। ପ୍ରଥମ ପାଳିରେ ମାତ୍ର ୭୮ ରନ୍‌ରେ ଅଲଆଉଟ୍ ହୋଇଯିବା ପରେ ଭାରତ ପରାଜୟର ଆଶଙ୍କା ପ୍ରଥମ ଦିନରେ ହିଁ ଯଥେଷ୍ଟ ବଢ଼ିଯାଇଥିଲା। ଇଂଲଣ୍ଡ ତା’ ପ୍ରଥମ ପାଳିରେ ୪୩୨ ରନ୍ କରି ୩୫୪ ରନ୍‌ରେ ଆଗୁଆ ହେବା ପରେ ଯାହା ଏକପ୍ରକାର ସୁନିଶ୍ଚିତ ହୋଇଯାଇଥିଲା। ତେବେ ଦ୍ବିତୀୟ ପାଳିରେ ଚେତେଶ୍ବର ପୂଜାରା (୯୧), ଅଧିନାୟକ ବିରାଟ କୋହଲି (୫୫) ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୫୯) ଲଢ଼ୁଆ ବ୍ୟାଟିଂ କରିବା ପରେ ଭାରତ ମ୍ୟାଚ୍ ବଞ୍ଚାଇନେବାର ଛୋଟିଆ ଆଶା ସଂଚାର ହୋଇଥିଲା। ଶୁକ୍ରବାର ତୃତୀୟ ଦିନର ଖେଳ ବନ୍ଦ ବେଳକୁ ୨ ୱିକେଟ୍ ବିନିମୟରେ ୨୧୫ ରନ୍ କରିନେଇ ଆପାତତଃ ଭଲ ସ୍ଥିତିରେ ଥିଲା ଭାରତ। ପୂଜାରା ଓ କୋହଲି ଅପରାଜିତ ରହିବା ମଧ୍ୟ ଦଳ ପାଇଁ ଏକ ବିରାଟ ଶୁଭସଙ୍କେତ ଥିଲା। ହେଲେ ଶନିବାରର ଖେଳ ଆରମ୍ଭ ହେବାର ମାତ୍ର କିଛି ଓଭର ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ଇଂଲଣ୍ଡ ବୋଲରମାନେ ନୂଆ ବଲ୍‌ରେ ଏମିତି ବୋଲିଂ କରିଥିଲେ ଯେ ଆଜି ମାତ୍ର ୧୯.୩ ଓଭର ଭିତରେ ଖେଳ ଖତମ ହୋଇଯାଇଥିଲା। ଅପ୍ରତ୍ୟାଶିତ ଭାବେ ୬୩ ରନ୍ ଭିତରେ ଶେଷ ୮ ୱିକେଟ୍ ହରାଇ ୨୭୮ ରନ୍‌ରେ ଅଟକି ଯାଇଥିଲା ଭାରତୀୟ ଦଳ।

ଖେଳ ଆରମ୍ଭ ହେବାର ଚତୁର୍ଥ ଓଭରରେ ପୂଜାରା ଏବଂ ଦଶମ ଓଭରରେ କୋହଲି ଆଉଟ୍ ହେବା ପରେ ଭାରତ ପାଳି ତାସଘର ଭଳି ଭୁଶୁଡ଼ି ଯାଇଥିଲା। ପୂଜାରା ନିଜ ବ୍ୟକ୍ତିଗତ ରନ୍‌ରେ କୌଣସି ଯୋଗ କରିପାରିନଥିଲେ। ଫଳରେ ୨୦୧୯ ମସିହା ପରଠାରୁ ପ୍ରଥମ ଶତକ ଅର୍ଜନରୁ ବଞ୍ଚିତ ‌ହୋଇଥିଲେ। ଅନ୍ୟପକ୍ଷରେ କୋହଲି ନିଜ ସ୍କୋର୍‌ରେ ୧୦ ରନ୍ ଯୋଡ଼ି ଦୀର୍ଘ ବ୍ୟବଧାନ ପରେ ଅର୍ଦ୍ଧଶତକଟିଏ ପାଇଥିଲେ। ହେଲେ ଭାରତର ଲଜ୍ଜାଜନକ ପରାଜୟକୁ ରୋକି ପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୧୦, ଋଷଭ ପନ୍ତ ୧, ରବୀନ୍ଦ୍ର ଜାଦେଜା ୩୦, ମହମ୍ମଦ ସାମି ୨ ଏବଂ ମହମ୍ମଦ ସିରାଜ ଖାତା ଖୋଲି ପାରିନଥିଲେ। ଭାରତୀୟ ବ୍ୟାଟିଂ ବାହିନୀକୁ ଧ୍ବସ୍ତ ବିଧ୍ବସ୍ତ କରି ଓଲି ରବିନସନ୍ ନିଜ ଦ୍ବିତୀୟ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ପୂରା ମ୍ୟାଚ୍‌ରେ ୭ ୱିକେଟ୍ ନେଇଥିବା ଏହି ପ୍ରତିଭାବାନ ଇଂଲିସ୍ ଯୁବ ବୋଲର ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦୁଇ ଦଳ ମଧ୍ୟରେ ଶୃଙ୍ଖଳାର ଚତୁର୍ଥ ତଥା ପରବର୍ତ୍ତୀ ମ୍ୟାଚ୍ ଓଭାଲ ପଡ଼ିଆରେ ସେପ୍ଟେମ୍ବର ୨ ତାରିଖରୁ ଖେଳାଯିବ।

ସମ୍ବନ୍ଧିତ ଖବର