ଦୁର୍ବଳ କ୍ଷେତ୍ରରକ୍ଷଣ ଆମକୁ କ୍ଷତିରେ ପକାଉଛି

ଏବି ଡି’ ଭିଲିୟର୍ସ

କୌଣସି କଥା ଯଦି ଆମ ସପକ୍ଷରେ ଯାଏ ନାହିଁ, ତାହାଲେ ଚିରାଚରିତ ଭା‌ବେ ଆମେ ଭାଗ୍ୟକୁ ଦୋଷ ଦେଇଥାଉ। ମୁଁ କିନ୍ତୁ ଏଥିରେ ବିଶ୍ବାସ କରେ ନାହିଁ। କ୍ରିକେଟ୍ ପଡ଼ିଆ, ବ୍ୟବସାୟ କିମ୍ବା ଅନ୍ୟ ଯେକୌଣସି କ୍ଷେତ୍ର ହେଉ ଆପଣଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାକୁ ପଡ଼ିଥାଏ। ଅବଶ୍ୟ ଚଳିତ ଆଇପିଏଏଲ୍‌ର କେତେକ ମ୍ୟାଚ୍‌ରେ ପରାଜୟ ବ୍ୟବଧାନ ଆଶାଠାରୁ କମ୍‌ ରହିଛି। ଆଇପିଏଲ୍‌ରେ କିନ୍ତୁ ସବୁବେଳେ ଏମିତି ହୋଇଥାଏ। ଗୋଟିଏ କ୍ୟାଚ୍ କିମ୍ବା ଏକ ରନ୍ ଆଉଟ୍ ମ୍ୟାଚ୍‌ର ଫଳାଫଳ ବଦଳାଇ ଦେଇଥାଏ। ଓଭର ପିଛା ୨୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ଧୁରନ୍ଧର ମହେନ୍ଦ୍ର ସିଂହ ଧୋନି ଓ ଆନ୍ଦ୍ରେ ରସେଲଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମଧ୍ୟ ଏହା ଭଲ ଭାବରେ ଜାଣିଛନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଭାଗ୍ୟଶାଳୀ ନୁହନ୍ତି। ସେମାନେ ଅଧିକ ପ୍ରତିଭାବାନ। ଏହି କ୍ଷେତ୍ରରେ ମୋ ଦେଶ ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ଗଲ୍ଫର ଗ୍ୟାରି ପ୍ଲେୟାରଙ୍କ କଥାକୁ ଉଦାହରଣ ଭାବେ ନିଆଯାଇପାରେ। ସେ କହିଥିଲେ, ମୁଁ ଯେତେ ଅଧିକ ଅଭ୍ୟାସ କରେ, ସେତେ ଭାଗ୍ୟଶାଳୀ ହୁଏ। ମୋ ମତରେ ସେ ଶତ ପ୍ରତିଶତ ଠିକ୍‌ କଥା କହିଛନ୍ତି। କେବଳ କ୍ରୀଡ଼ା ନୁହେଁ ଯେ କୌଣସି କ୍ଷେତ୍ରରେ ଆପଣ କେବଳ କଠିନ ପରିଶ୍ରମ, ଉତ୍ତମ ପ୍ରସ୍ତୁତି ଓ ଯୋଜନାକୁ ଯତ୍ନର ସହ ଉପଯୋଗ କରି ସଫଳତା ଲାଭ କରି ପାରିବେ। ୨୦୧୯ର ଆଇପିଏଲ୍ କ୍ଷେତ୍ରରକ୍ଷଣ ପରିସଂଖ୍ୟାନ ଅତି ମଜାଦାର। ଶୀର୍ଷ ସ୍ଥାନରେ ରହିଥିବା ଦଳ ଏବଂ ଅବଶିଷ୍ଟ ଦଳଗୁଡ଼ିକ ମଧ୍ୟରେ ଭାଗ୍ୟ ନୁହେଁ କ୍ଷେତ୍ରରକ୍ଷଣର ସ୍ତର ହିଁ ପ୍ରମୁଖ ପାର୍ଥକ୍ୟ ବୋଲି ମୁଁ ବିଶ୍ବାସ କରେ। କିଙ୍ଗ୍ସ ଏକାଦଶ ପଞ୍ଜାବ ପଡ଼ିଆ ଭିତରେ ସୃଷ୍ଟି କରିଥିବା ୪୨ କ୍ୟାଚ୍ ମଧ୍ୟରୁ ୩୭ଟିକୁ ଧରିଛି। ସେମାନେ ଏହି କ୍ଷେତ୍ରରେ ୮୭.୭୦ ପ୍ରତିଶତ ସଫଳତା ଲାଭ କରିଛନ୍ତି। ଅନ୍ୟ ପକ୍ଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ଷେତ୍ରରକ୍ଷଣ ସ୍ତର ତୁଳନାତ୍ମକ ଭାବେ ଢେର କମ୍ ବୋଲି ମୁଁ ସ୍ବୀକାର କରୁଛି। ୫୦ ସୁଯୋଗରୁ ଆମେ କେବଳ ୩୦ କ୍ୟାଚ୍ ନେଇପାରିଛୁ। ଆମ ରୂପାନ୍ତର ପ୍ରତିଶତ ମାତ୍ର ୬୦। ଯାହା ଆଦୌ ଗ୍ରହଣୀୟ ନୁହେଁ। ଏହି କ୍ଷେତ୍ରରେ ଉନ୍ନତି କରିବାକୁ ଆମେ ଚେଷ୍ଟା ଜାରି ରଖିଛୁ। ବୁଧବାର ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଆମ କ୍ଷେତ୍ରରକ୍ଷଣ ପୂର୍ବାପେକ୍ଷା ଭଲ ହେବ ବୋଲି ଆଶା କରୁଛି।

ସମ୍ବନ୍ଧିତ ଖବର