ସଂଜୁଙ୍କ ଶତକ ଫିକା: ହାଇଦ୍ରାବାଦକୁ ପ୍ରଥମ ବିଜୟ ଦେଲେ ୱାର୍ନର

ହାଇଦ୍ରାବାଦ:‌ କେରଳର ଲିଟିଲ ଷ୍ଟାର୍‌ ସଂଜୁ ସାମସନ୍‌ (୧୦୨*, ୫୫ ବଲ) ଆଇପିଏଲ୍‌ ଦ୍ବାଦଶ ସଂସ୍କରଣର ପ୍ରଥମ ଶତକକୁ ନିଜ ନାମରେ କରି ନେଇଥିଲେ ମଧ୍ୟ ତାଙ୍କ ଦଳ ରାଜସ୍ଥାନ ରୟାଲ୍‌ସ ବିଜୟ ଖାତା ଖୋଲି ପାରିନାହିଁ।‌ ଡେଭିଡ୍‌ ୱାର୍ନରଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ରାହାଣେଙ୍କ ରୟାଲ୍ସ କିନ୍ତୁ ଦ୍ବିତୀୟରୁ ଦ୍ବିତୀୟ ପରାଜୟ ବରଣ କରି ପଏଣ୍ଟ ଟେବୁଲ୍ ଶେଷରେ ସଂଘର୍ଷ କରୁଛି। ରାଜସ୍ଥାନ ୧୯୮ ରନ୍‌ର ବଡ଼ ସ୍କୋର୍ କରିଥିଲେ ମଧ୍ୟ ହାଇଦ୍ରାବାଦ ୧ ଓଭର ପୂର୍ବରୁ ୫ ୱିକେଟ୍‌ ହରାଇ ୨୦୧ ରନ୍ କରି ନେଇଥିଲା। ଜୋଫ୍ରା ଆର୍ଚରଙ୍କୁ ସ୍କୋୟାର ଲେଗ୍ ଉପରେ ଛକା ମାରି ରସିଦ୍‌ ଖାନ୍ ମ୍ୟାଚ୍‌ ଶେଷ କରିଥିଲେ। ମିତବ୍ୟୟୀ ବୋଲିଂ ପାଇଁ (୪-୦-୨୪-୧) ରସିଦ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ‌ ନେଇଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍‌ସ ବେଶ୍‌ ସତର୍କତାର ସହ ପାଳି ଆରମ୍ଭ କରିଥିଲା। ଅଜିଙ୍କ୍ୟ ରାହାଣେ ଏବଂ ଜୋସ୍ ବଟଲର୍‌ ରନ୍ ସଂଗ୍ରହ ପାଇଁ ସମୟ ନେଇଥିଲେ। ଗତ ମ୍ୟାଚ୍‌ରେ ମଙ୍କଡିଂ ରନ୍‌ ଆଉଟ୍‌ର ଶିକାର ହୋଇଥିବା ବଟଲରଙ୍କୁ ଆଫଗାନିସ୍ତାନ ସ୍ପିନର୍ ରସିଦ୍ ଖାନ୍‌ ବୋଲଡ୍ କରି‌ ଘରୋଇ ଦଳକୁ ପ୍ରଥମ ସଫଳତା ‌ଦେଇଥିଲେ। ଏହି ସମୟରେ ରାହାଣେଙ୍କ ସହ ଯୋଗ ଦେଇଥିବା ସଂଜୁ ସାମସନ୍‌ ଦ୍ବିତୀୟ ୱିକେଟ୍‌ ଲାଗି ୧୧୯ ରନ୍ ଯୋଡ଼ିଥିଲେ। ୱିକେଟ୍‌ରେ ଜମିଯିବା ପରେ ଉଭୟ ହାତଖୋଲା ସଟ୍ ଖେଳିଥିଲେ। ରାହାଣେ ୩୮ ବଲରୁ ଏବଂ ସଂଜୁ ୩୪ ବଲରୁ ଅର୍ଧଶତକ ଟପିଥିଲେ। ରାହାଣେ (୭୦, ୪୯ ବଲ୍‌, ୪ ଚୌକା, ୩ ଛକା) ୩ ବର୍ଷ ପରେ ନିଜର ସର୍ବୋଚ୍ଚ ଆଇପିଏଲ୍ ରନ୍ କରି ନଦିମଙ୍କ ଶିକାର ହୋଇଥିଲେ। ଏହା ପରେ ରୟାଲ୍ସ କିନ୍ତୁ ଶେଷ ୪ ଓଭରରୁ ୬୩ ରନ୍ ଆଦାୟ କରିଥିଲା ସଂଜୁଙ୍କ ଜରିଆରେ। ସଂଜୁ ନିଜର ଦ୍ବିତୀୟ ୫୦ ରନ୍ ପାଇଁ ମାତ୍ର ୨୦ ବଲ୍‌ ଖେଳିଥିଲେ। ଏଥି ସହିତ ୫୫ ବଲରୁ ୧୦ ଚୌକା ଏବଂ ୪ ଛକା ସହିତ ନିଜ ଦ୍ବିତୀୟ ଆଇପିଏଲ୍ ଶତକ ହାସଲ କରି ନେଇଥିଲେ। ୧୮ତମ ଓଭର‌ ବୋଲିଂ କରିଥିବା ଭୁବନେଶ୍ବର କୁମାରଙ୍କଠାରୁ ସେ ୨୪ ରନ୍ ଆଦାୟ କରିଥିଲେ। ତୃତୀୟ ୱିକେଟ୍ ପାଇଁ ହୋଇଥିବା ଅତୁଟ ୬୩* ରନ୍ ଭାଗୀଦାରିରେ ବେନ୍ ଷ୍ଟୋକ୍ସଙ୍କ ଅବଦାନ ଥିଲା ବହୁତ କମ୍‌ (୧୬*, ୯ ବଲ, ୩ ଚୌକା)। ଶେଷ ୫ ଓଭରରୁ ରାଜସ୍ଥାନ ରୟାଲ୍ସ ୭୬ ରନ୍ ଉଠାଇଥିଲା।

ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଷ୍ଟ୍ରେଲୀୟ-ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ୱାର୍ନର ଏବଂ ଜୋସ୍ ବଟଲର୍‌ ପ୍ରଥମ ୱିକେଟ୍‌ ପାଇଁ ୯.୪ ଓଭରରେ ୧୧୦ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମରୁ ବିସ୍ଫୋ‌ରଣ ଆରମ୍ଭ କରିଥିବା ୱାର୍ନର ମାତ୍ର ୨୬ ବଲରୁ ହିଁ ୫୦ ଟପିଥିଲେ। ଫଳରେ ହାଇଦ୍ରାବାଦ ୪.୫ରେ ୫୦ ଏବଂ ୮.୫ ଓଭରରେ ୧୦୦ ଅତିକ୍ରମ କରିଥିଲା। ୱାର୍ନର (୬୯, ୩୭ ବଲ, ୯ ଚୌକା, ୨ ଛକା)ଙ୍କୁ ବେନ୍ ଷ୍ଟୋକ୍ସ ଏବଂ ବେୟାରଷ୍ଟୋ (୪୫, ୨୮ ବଲ, ୬ ଚୌକା, ୧ ଛକା)ଙ୍କୁ ଶେୟସ ଗୋପାଳ ଆଉଟ୍ କରିଥିଲେ। ଏହା ପରେ ଟିମ୍ ଇଣ୍ଡିଆର ନବ ଉନ୍ମେଷ ଅଲରାଉଣ୍ଡର୍ ବିଜୟ ଶଙ୍କର (୩୫, ୧୫ ବଲ, ୧ ଚୌକା, ୩ ଛକା) ହାଇଦ୍ରାବାଦର ରନ୍‌ ହାରକୁ ୧୦ ଉପରେ ରଖିଥିଲେ। ଶ୍ରେୟସ‌ ଗୋପାଳ ଲଗାତାର ବଲ୍‌ରେ କେନ୍ ୱିଲିୟମସନ୍‌ ଏବଂ ବିଜୟ ଶଙ୍କରଙ୍କୁ ଆଇଟ୍ କରିଦେବାରୁ ରୟାଲ୍ସ ସାମନ୍ୟ ସୁଯୋଗ ପାଇଥିଲା। କିନ୍ତୁ ୟୁସୁଫ ପଠାନ୍‌ (୧୬*, ୧୨ ବଲ, ୧ ଛକା) ଏବଂ ରସିଦ୍‌ ଖାନ୍‌ (୧୫*, ୮ ବଲ, ୧ ଚୌକା, ୧ ଛକା) ଗୋଟିଏ ଓଭର ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୮/୨ (ସଂଜୁ ସାମସନ୍‌-୧୦୨*, ଅଜିଙ୍କ୍ୟ ରାହାଣେ-୭୦, ବେନ୍ ‌ଷ୍ଟୋକ୍ସ-୧୬*, ଭୁବନେଶ୍ବର କୁମାର-୦/୫୫, ରସିଦ୍‌ ଖାନ୍-୧/୨୪, ସାହାବାଜ୍ ନଦିମ୍‌-୧/୩୬)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯ ଓଭରରେ ୨୦୧/୫ (ଡେଭିଡ୍ ୱାର୍ନର-୬୯, ଜନି ବେୟାରଷ୍ଟୋ-୪୫, ବିଜୟ ଶଙ୍କର-୩୫, ଶ୍ରେୟସ ଗୋପାଳ-୩/୨୭, ଜୟଦେବ ଉନାଦକତ୍‌-୧/୨୬, ବେନ୍ ‌ଷ୍ଟୋକ୍ସ-୧/୪୦)।

ସମ୍ବନ୍ଧିତ ଖବର