ପରାଜୟ ଯନ୍ତ୍ରଣାଦାୟକ: ଟିଟେ

ମସ୍କୋ: ୫ ଥର ବିଶ୍ୱକପ୍‌ ବିଜେତା ବ୍ରାଜିଲ୍‌ର ବିଦାୟ ପରେ ଏହାର ପ୍ରଶିକ୍ଷକ ଟିଟେ ତିକ୍ତତା ଭିତରେ ରହିଛନ୍ତି। କଡ଼ା ସଂଘର୍ଷ ମଧ୍ୟରେ ବିତିଥିବା ଏହି ମ୍ୟାଚ୍‌ରେ ବ୍ରାଜିଲ୍‌ ସୁଯୋଗ ସୃଷ୍ଟି କରିଥିଲେ ବି ଭାଗ୍ୟ ସାଥିରେ ନ ଥିଲା ବୋଲି କହିଛନ୍ତି ଟିଟେ। ଥିଆଗୋ ସିଲ୍‌ଭାଙ୍କ ପ୍ରାରମ୍ଭିକ ପ୍ରୟାସକୁ ଛାଡ଼ିଦେଲେ ଅନ୍ୟ ସବୁ ସୁଯୋଗକୁ ପ୍ରତିପକ୍ଷ ଗୋଲରକ୍ଷକ ଥିବୌତ୍‌ କୋର୍ଟୋଇସ୍‌ ବାରମ୍ବାର ପଣ୍ଡ କରିଦେବା ବ୍ରାଜିଲ୍‌କୁ ବ୍ୟଥିତ କରିଥିଲା। ଭାଗ୍ୟ ସାଥିରେ ନ ଥିଲେ ବି ଏଥି ପାଇଁ କ୍ଷମା ମିଳିବାର ନାହିଁ ବୋଲି ଟିଟେ ପ୍ରକାଶ କରିଛନ୍ତି। ଫୁଟ୍‌ବଲରେ ବ୍ୟତିକ୍ରମ ରହିଛି କିନ୍ତୁ ମୁଁ ଭାଗ୍ୟକୁ ଦୋଷ ଦେଇପାରିବି ନାହିଁ। ପ୍ରତିପକ୍ଷଙ୍କୁ ନମ୍ରଭାବେ ପରାସ୍ତ କରିବା ଆମ ବାଟ ଥିଲା। କିନ୍ତୁ ମୁଁ ଭାଗ୍ୟରେ ବିଶ୍ୱାସ କରେ ନାହିଁ। ତା ହେଲେ ପ୍ରତିପକ୍ଷ ଗୋଲରକ୍ଷକ କୋର୍ଟୋଇସ୍‌ କ’ଣ ଭାଗ୍ୟବାନ? ନା ସେ ମହାନ। କଠୋର ପରିଶ୍ରମ ହେଉଛି ଏକମାତ୍ର ପନ୍ଥା ଯାହା ତୁମେ କରିବାର ଥିଲା। ବେଲ୍‌ଜିୟମ କିନ୍ତୁ ଦକ୍ଷ ଓ ଫଳପ୍ରଦ ରହିଲା ବୋଲି ଟିଟେ ସ୍ୱୀକାର କରିଥିଲେ। ବେଲ୍‌ଜିୟମକୁ ଗୌଣ ଦେଖି ହେବ ନାହିଁ। କିନ୍ତୁ ଆମ ପ୍ରତି ସୁଯୋଗ ବଡ଼ ନିଷ୍ଠୁର ଥିଲା। ଏହା ଅତି କଠୋର ଏବଂ ଗ୍ରହଣ କରିବା କଷ୍ଟକର ବୋଲି ଟିଟେ ପ୍ରକାଶ କରିଛନ୍ତି। ୨୦୧୬ ମସିହା ମଧ୍ୟଭାଗରେ ବ୍ରାଜିଲ୍‌ ଦଳ ଦାୟିତ୍ୱ ନେବା ପରଠାରୁ ଏହା ଟିଟେଙ୍କ ପ୍ରଥମ ପରାଜୟ ଏବଂ ମୋଟ ଉପରେ ଦ୍ୱିତୀୟ। ପୂର୍ବ ୨୫ ମ୍ୟାଚ୍‌ରେ ମାତ୍ର ୬ ଗୋଲ୍‌ ବରଣ କରିଥିବା ବ୍ରାଜିଲ୍‌ ମଧ୍ୟ ତାଙ୍କ ଅଧିନରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ୨ଟି ଗୋଲ୍‌ ଖାଇଗଲା। ତଥାପି ଆମେ ଏକ ବଡ଼ ଦଳ ଏବଂ ଦ୍ୱିତୀୟାର୍ଧରେ ଭଲ ଖେଳିଥିଲୁ ବୋଲି ଟିଟେ କହିଥିଲେ। ପରାଜୟ ସତ୍ତ୍ୱେ ଟିଟେ ବ୍ରାଜିଲ୍‌ ଦଳ ଏକତ୍ରିିତ ରହିଛି। ଟିଟେଙ୍କ ଅଧିନରେ ବ୍ରାଜିଲ୍‌ ବିଗତ ୨ ବର୍ଷରେ ୨୬ ଖେଳି ମାତ୍ର ୨ ହାରିଛି। ୨୦ ବିଜୟ ଏବଂ ୪ ଅମୀମାଂସିତ ରଖିଛି। ଏହି ଦୁଇ ବର୍ଷ ମଧ୍ୟରେ ବ୍ରାଜିଲ୍‌ ଫୁଟ୍‌ବଲ୍‌ ନୂଆ ଜୀବନ ରେଖା ପାଇଥିଲା। ମାରିଓ ଜଗାଲୋ (୧୯୭୦ ଏବଂ ୧୯୭୪) ପରେ ଟିଟେ ଲଗାତାର ଦୁଇଟି ସଂସ୍କରଣ (୨୦୧୪, ୨୦୧୮)ରେ ଦାୟିତ୍ୱରେ ରହିବାରେ ଦ୍ୱିତୀୟ ପ୍ରଶିକ୍ଷକ ଥିଲେ। ଜଗାଲୋ କିନ୍ତୁ ବ୍ରାଜିଲ୍‌କୁ ୧୯୭୦ରେ ବିଜେତା କରାଇଥିଲେ। ଶୁକ୍ରବାରର ପରାଜୟ ସହିତ ବ୍ରାଜିଲ୍‌ ମଧ୍ୟ ଦୁଇ ଦଶନ୍ଧି ଧରି ବିଶ୍ୱକପ୍‌ ବିଜେତା ନ ରହିବା ନିଶ୍ଚିତ ହୋଇଛି। ଶେଷ ଥର ପାଇଁ ବ୍ରାଜିଲ୍‌ ୨୦୦୨ରେ ବିଜେତା ହୋଇଥିଲା। ଏହି ସଫଳତମ ଦଳକୁ ଏବେ ୨୦୨୨ ମସିହା କାତାର ସଂସ୍କରଣ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର