ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରୀଡ଼ାର ତିନି ଚର୍ଚ୍ଚିତ ନାୟିକା ତଥା ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ, ଲଭଲିନା ବର୍ଗୋହାଁ ଓ ମୀରାବାଇ ଚାନୁ ପ୍ରସିଦ୍ଧ ଭୋଗ୍ ପତ୍ରିକାର ପଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛନ୍ତି। ଟୋକିଓ ଅଲିମ୍ପିକ୍ସର ମହିଳା ଭାରୋତ୍ତୋଳନରେ ଚାନୁ ରୌପ୍ୟ ପଦକ ଜିତିଥିଲା ବେଳେ ଲଭଲିନା ମୁଷ୍ଟିଯୁଦ୍ଧ ଓ ସିନ୍ଧୁ ବ୍ୟାଡମିଣ୍ଟନ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ। ଟୋକିଓ ପ୍ରଦର୍ଶନ ପାଇଁ ହିଁ ଭୋଗ୍ ଏମାନଙ୍କୁ ନିଜ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ଦେଇଛି। ବିଶେଷଜ୍ଞଙ୍କ ମତରେ ଫେସନ୍ ପତ୍ରିକା ଭୋଗ୍‌ର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇବା ସବୁ ଭାରତୀୟ ସେଲିବ୍ରେଟିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥାଏ। ପତ୍ରିକାର ସଦ୍ୟ ପ୍ରକାଶିତ ସଂସ୍କରଣରେ ସିନ୍ଧୁ, ଲଭଲିନା ଓ ଚାନୁ ସ୍ଥାନ ପାଇଥିବାର ସୂଚନା ଦେବାକୁ ଯାଇ ଭୋଗ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ରେ କୁହାଯାଇଛି ଯେ ଚଳିତବର୍ଷ ଅନେକ କ୍ରୀଡ଼ା ତାରକା ମାନସିକ ସ୍ବାସ୍ଥ୍ୟର ମହତ୍ବକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ହେଲେ ମୀରାବାଇ ଚାନୁ ନିଜ ସଫଳତା ବଳରେ ଅନେକ ଖେଳାଳିଙ୍କ ମୁଣ୍ଡ ଉପରୁ ମାନସିକ ଚାପର ଭାରକୁ ହଟାଇପାରିଛନ୍ତି। ସେ ଆମ ଅକ୍ଟୋବର ସଂସ୍କରଣର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛନ୍ତି। ସବୁ ଘାତ ପ୍ରତିଘାତକୁ ପଛରେ ପକାଇ ଅଲିମ୍ପିକ୍ସ ପୋଡିୟମରେ ଛିଡ଼ା ହେବାର ଅନନ୍ୟ ସଫଳତା ଲାଭ କରିଥିବା ଲଭଲିନା ଅନେକ ଉଦୀୟମାନ କ୍ରୀଡ଼ା ତାରକାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେହିଭଳି ଭାରତୀୟ ବିଜ୍ଞାପନ ଦୁନିଆରେ ସର୍ବାଧିକ ଚାହିଦା ଥିବା ଏବଂ ବିଶ୍ବର ଅନ୍ୟତମ ଦାମୀ ମହିଳା କ୍ରୀଡ଼ାବିତ୍‌ ପିଭି ସିନ୍ଧୁ ମଧ୍ୟ ଆମ ଅକ୍ଟୋବର ସସ୍କରଣର ଶୋଭା ବଢ଼ାଇବେ ବୋଲି ପତ୍ରିକା ଟ୍ବିଟ୍ କରିଛି। ସେପଟେ ସିନ୍ଧୁ ନିଜ ପ୍ରଶଂସକଙ୍କ ପାଇଁ ଶନିବାର ଆଉ ଏକ ଖୁସି ଖବର ଘୋଷଣା କରିଛନ୍ତି। ବିଶାଖାପାଟଣାରେ ଖୁବଶୀଘ୍ର ସେ ଏକ ବ୍ୟାଡମିଣ୍ଟନ୍ ଏକାଡେମି ଖୋଲିବାକୁ ଯାଉଛନ୍ତି ବୋଲି ସିନ୍ଧୁ ଘୋଷଣା କରିଛନ୍ତି।