ମାନସିକ ଶୋଷଣ ଅଭିଯୋଗ ଆଣିଲେ ଲଭଲିନା: ‘ଶସ୍ତା ରାଜନୀତି ପାଇଁ ପ୍ରସ୍ତୁତି ବ୍ୟାଘାତ ହୋଇଛି, କ୍ରୀଡ଼ାଗ୍ରାମରେ ପଶି ପାରୁନାହାନ୍ତି ପ୍ରଶିକ୍ଷକ’

ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାତ୍ର ଦୁଇ ଦିନ ପୂର୍ବରୁ ଭାରତର ଅଲିମ୍ପିକ୍ସ ପଦକ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବର୍ଗୋହାଁ ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ଲଗାତାର ମାନସିକ ଯନ୍ତ୍ରଣା ଦିଆଯାଉଛି। ଏପରିକି ଶସ୍ତା ରାଜନୀତି ପାଇଁ ତାଙ୍କ ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଭଳି ଅଭିଯୋଗ ଲଭଲିନା ଆଣିଛନ୍ତି। ସୋମବାର ନିଜ ଅସନ୍ତୋଷ ଟ୍ବିଟ୍ ଜରିଆରେ ପ୍ରକାଶ କରିଛନ୍ତି ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଏହି ଆସାମ ଝିଅ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ମୁଷ୍ଟିଯୁଦ୍ଧ ଦଳ ଆୟର୍ଲାଣ୍ଡରେ ଅଭ୍ୟାସ ସାରି ରବିବାର ରାତିରେ ବର୍ମିଂହାମ ପହଞ୍ଚିଥିଲା। ହେଲେ ଲଭଲିନାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ସ୍ବୀକୃତିପତ୍ର ନଥିବାରୁ କ୍ରୀଡ଼ାଗ୍ରାମ ଭିତରକୁ ପ୍ରବେଶ କରି ନଥିଲେ। ଏହି ବିଷୟ ଜଣାଇବାକୁ ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି ଯେ ଆଜି ଅତ୍ୟନ୍ତ ‌କ୍ଷୋଭର ସହ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଛି ଯେ ଏଠି ଲଗାତାର ମାନସିକ ଯନ୍ତ୍ରଣା ଦିଆଯାଇଛି। ଯେଉଁ ପ୍ରଶିକ୍ଷକମାନେ ମୋତେ ଅଲିମ୍ପିକ୍ସ ପଦକ ଜିତିବାରେ ସହାୟକ ହୋଇଥି‌ଲେ, ସେମାନଙ୍କୁ ନିୟମିତ ଭାବେ ଅଣଦେଖା କରାଯାଉଛି। ଯହା ମୋ ଅଭ୍ୟାସକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ସଂଧ୍ୟା ଗୁରୁଙ୍ଗଜୀ ମୋ ପ୍ରଶିକ୍ଷକ ହୋଇଥିଲା ବେଳେ ମୁଁ ହାତଯୋଡ଼ି ତାଙ୍କୁ ଭିତରକୁ ଛାଡ଼ିବାକୁ ଅନୁରୋଧ କରିଥିଲି। ହେଲେ କିଛି ଫଳ ହେଲାନି। ଏବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମ ବାହାରେ ଅସହାୟଙ୍କ ଭଳି ଠିଆ ହୋଇଛନ୍ତି। ମୋର ଅନ୍ୟଜଣେ ପ୍ରଶିକ୍ଷକଙ୍କୁ ଭାରତ ପଠାଇ ଦିଆଯାଇଛି। ମୋ ପ୍ରତିଯୋଗିତା ଆରମ୍ଭ ହେବାର ମାତ୍ର ୮ ଦିନ ପୂର୍ବରୁ ଏମିତି କରାଯାଉଛି। ମୁଁ ଅଭ୍ୟାସ କେମିତି କରିବି? ଲଭଲିନାଙ୍କ ଟ୍ବିଟ୍ ଭାଇରାଲ ହେବା ପରେ କ୍ରୀଡ଼ା ମନ୍ତ୍ରାଳୟ ତୁରନ୍ତ ଗୁରୁଙ୍ଗଙ୍କ ପାଇଁ ସ୍ବୀକୃତିପତ୍ର ଯୋଗାଡ଼ କରିବାକୁ ଆଇଓଏକୁ ନିର୍ଦ୍ଦେଶ ଦେଇଛି। ବିବାଦ ବଢ଼ିବା ଦେଖି ସଂଧ୍ୟାଙ୍କ ପାଇଁ ସ୍ବୀକୃତିପତ୍ର ବ୍ୟବସ୍ଥା କରାଯାଉଛି ବୋଲି ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ ସ୍ବଷ୍ଟୀକରଣ ଦେଇଛି।

ସମ୍ବନ୍ଧିତ ଖବର