ପଦକଠୁ ଗୋଟିଏ ବିଜୟ ଦୂ‌ରରେ ଲଭ୍‌ଲିନା, ଲଢ଼େଇ କରି କିଂବଦନ୍ତି ଲାଙ୍ଗଙ୍କଠୁ ହାରିଲେ ଶରତ

ଟୋକିଓ: ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହେଁ (୬୪ ‌‌କିଲୋଗ୍ରାମ) ପଦକଠୁ ଆଉ ମାତ୍ର ଗୋଟିଏ ବିଜୟ‌ ଦୂରରେ ରହିଛନ୍ତି। ଅଲିମ୍ପକ୍ସ ପଦାର୍ପଣ କରିଥିବା ଲଭ୍‌ଲିନା ମଙ୍ଗଳବାର କଡ଼ା ସଂଘର୍ଷପୂର୍ଣ୍ଣ ପ୍ରିକ୍ବାର୍ଟର ଫାଇନାଲ୍‌ରେ ବୟସରେ ନିଜଠୁ ୧୨ ବର୍ଷ ବଡ଼ ଜର୍ମାନି ଭେଟେରାନ ନାଦିଆ ଆପେଜଙ୍କୁ ମାତ୍‌ ଦେଇଥିଲେ। ଏହି ଲଢ଼େଇକୁ ସେ ୩-୨ରେ ଜିତି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ୨୩ ବର୍ଷୀୟା ଲଭ୍‌ଲିନା ଚତୁର୍ଥ ମାନ୍ୟତାପ୍ରାପ୍ତ ଏବଂ ପୂର୍ବତନ ବିଶ୍ବ ବିଜୟିନୀ ଚାଇନିଜ୍‌ ତାଇପେର ନିନ୍‌-ଚିନ୍‌ ଚେନ୍‌ଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଜିତିଲେ ଲଭ୍‌ଲିନ୍‌ ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିବେ।

ଭାରତୀୟ ଟିଟି ତାରକା ଶରତ କମଲ ଚୀନ୍‌ କିଂବଦନ୍ତି ମା’ ଲଙ୍ଗଙ୍କଠୁ ହାରି ପୁରୁଷ ଏକକ ବର୍ଗରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ତୃତୀୟ ରାଉଣ୍ଡ ମୁକାବିଲାରେ ଏହି ଭାରତୀୟ ଭେଟେରାନ କଡ଼ା ସଂଘର୍ଷ କରିବା ପରେ ଅଲିମ୍ପିକ୍ସ ଓ ବିଶ୍ବ ବିଜେତା ଲଙ୍ଗଠୁ ହାର୍‌ ମାନିଥିଲେ। ଶରତ ୪୬ ମିନିଟ୍‌ର ସଂଘର୍ଷ ପରେ ୧-୪ (୭-୧୧, ୧୧-୮, ୧୧-୧୩, ୪-୧୧ ୪-୧୧) ସେଟ୍‌ରେ ଲଙ୍ଗ୍‌ଙ୍କଠୁ ପରାଜିତ ହୋଇଥିଲେ। ଏହି ପରାଜୟ ପରେ ଟେବୁଲ ଟେନିସ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ପୂର୍ବରୁ ମନିକା ବାତ୍ରା, ସୁତୀର୍ଥା ମୁଖାର୍ଜୀ ଏବଂ ଜି ସାଥିୟାନ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର