ଲଭ୍‌ଲିନା ଯୁବ ଭାରତୀୟଙ୍କ ଅସଲ ଆଦର୍ଶ

ଲଭ୍‌ଲିନାଙ୍କ ଗାଁ ରାସ୍ତା ଅବସ୍ଥା ସୁଧୁରିଲା

ନୂଆଦିଲ୍ଲୀ: ଲଭ୍‌ଲିନା ବୋର୍ଗୋହେଁଙ୍କ ଐତିହାସିକ ଅଲିମ୍ପିକ୍ସ ପଦକ ବିଜୟ ପରେ ତାଙ୍କ ନିକଟକୁ ଅଭିନନ୍ଦନ ଓ ପୁରସ୍କାରର ସୁଅ ଛୁଟିଛି। ଲଭ୍‌ଲିନାଙ୍କ ଦୃଢ଼ ସଙ୍କଳ୍ପକୁ ସବୁ ଦିଗରୁ ମଧ୍ୟ ପ୍ରଶଂସା ମିଳିଛି। ଅଲିମ୍ପିକ୍ସ ପଦାର୍ପଣରେ ସେ ଯେଳଭି ଭାବେ ଲଢ଼ୁଆ ଓ ଆତ୍ମବିଶ୍ବାସ ଭରା ପ୍ରଦର୍ଶନ ଦେଲେ ଶତ ପ୍ରଶଂସାର ଯୋଗ୍ୟ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ଲୋକ ଲଭ୍‌ଲିନାଙ୍କ ପାଇଁ ଗର୍ବରେ ଛାତି ଫୁଲାଇଛନ୍ତି। ‘ତୁମ କଠିନ ପରିଶ୍ରମ ଏବଂ ଦୃଢ଼ ସଙ୍କଳ୍ପ ବଳରେ ତୁମେ ଦେଶବାସୀଙ୍କୁ ଗର୍ବିତ କରିଛ। ଅଲିମ୍ପିକ୍ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟ ନିଶ୍ଚିତ ଭାବେ ଦେଶର ଯୁବ ସମାଜକୁ ବିଶେଷକରି ଯୁବ ମହିଳାଙ୍କୁ ପ୍ରେରଣା ଯୋଗାଇବ। ଆହ୍ବାନକୁ ମୁକାବିଲା କରିବା ଏବଂ ଏହାକୁ ବାସ୍ତବତାରେ ପରିଣତ କରିବା କିଛି କମ୍‌ ଉପଲବ୍ଧି ନୁହେଁ’ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଭାରୋତ୍ତୋଳିକା ମୀରାବାଇ ଚାନୁ ଏବଂ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁଙ୍କ ପରେ ତୃତୀୟ ଭାରତୀୟ ଭାବେ ଚଳିତ ଅଲିମ୍ପିକ୍ସରେ ଲଭ୍‌ଲିନା ପଦକ ଜିତିଛନ୍ତି। ଭଲ ଲଢ଼ିଲ ଲଭ୍‌ଲିନା, ବକ୍ସିଂ ରିଙ୍ଗରେ ତୁମ ସଫଳତା ଅନେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ତୁମ ସାହସିକତା ଅନେକଙ୍କ ପାଇଁ ନୂଆ ବାଟ ଦେଖାଇବ। ଭବିଷ୍ୟତରେ ତୁମେ ଅଧିକ ସଫଳତା ପାଅ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୁମ ପାଇଁ ଆମେ ବହୁ ଗର୍ବିତ, ତୁମେ ତୁମର ଶ୍ରେଷ୍ଠ ପଞ୍ଚ ମାରିଲ। ଭାରତ ତୁମ ପାଇଁ ଗର୍ବିତ। କାଂସ୍ୟ ପଦକ ଆରମ୍ଭ ମାତ୍ର’ ବୋଲି ଟ୍ବିଟ୍‌ କରିଥିଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର।

ଲଭ୍‌ଲିନାଙ୍କୁ ଅଭିନନ୍ଦନ ଜଣାଇ ବିସିସିଆଇ ସମ୍ପାଦକ ଜୟ ସାହା ଲେଖିଥିଲେ, ‘ତୁମ ଅଲିମ୍ପିକ୍ ପଦାର୍ପଣ ଲଢ଼େଇ ପ୍ରେରଣାର ଉତ୍ସ ହୋଇ ରହିବ। ଯାତ୍ରା ଆରମ୍ଭ ହେଲା, ତୁମକୁ ଅନେକ ବାଟ ଯିବାକୁ ଅଛି’। ଟୋକିଓରେ ଲଭ୍‌ଲିନାଙ୍କ ସଫଳତାକୁ ‘ଚମତ୍କାର ଯାତ୍ରା’ ଭାବେ ଅଭିହିତ କରିଥିଲେ ଦେଶର ଏକମାତ୍ର ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ବିଜେତା ବଂଧୁକଚାଳକ ଅଭିନବ ବିନ୍ଦ୍ରା। କ୍ରୀଡ଼ାର ଏହି ମହାକୁମ୍ଭରେ ତୁମେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଗଲ, ଏହା କୌଣସି ଉଲ୍ଲେଖନୀୟ ସଫଳତାଠାରୁ କମ୍‌ ନୁହେଁ। ଏହା ତୁମ ସଙ୍କଳ୍ପ, ଆତ୍ମବିଶ୍ବାସ ଓ ଦକ୍ଷତାର ଝଲକ ଦେଖାଇଛି’ ବୋଲି ବିନ୍ଦ୍ରା ପ୍ରକାଶ କରିଥିଲେ। ଲଭ୍‌ଲିନାଙ୍କୁ ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ସଭାପତି ଅଜୟ ସିଂହ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ‘ଭବିଷ୍ୟତର ବିଶ୍ବ ବିଜୟିନୀ’ ଓ ରୋଲ୍ ମଡେଲ୍‌ ଆଖ୍ୟା ଦେଇଥିଲେ। ୨୦୦୮ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବିଜେନ୍ଦର ସିଂହ, କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ସହ ବହୁ ପୂର୍ବତନ କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶାସକ, ପ୍ରଶିକ୍ଷକ ପ୍ରମୁଖ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ। ‘ମୁଁ ଦୃଢ଼ ନିଶ୍ଚିତ ଏହା ପରଠାରୁ ଅଧିକ କିଛି ଉନ୍ନତ ପ୍ରଦର୍ଶନ ମିଳିବ’ ବୋଲି ତେନ୍ଦୁଲକର ଟ୍ବିଟ୍‌ କରିଥିଲେ।

ନୂଆଦିଲ୍ଲୀ: ଭ‌ାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋ‌ହେଁ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଛନ୍ତି। ଏହି ପଦକ ଖାଲି ଦେଶ ଏବଂ ଆସାମ ପାଇଁ ଖୁସି ଆଣିନି ବରଂ ତାଙ୍କ ଗାଁ ରାସ୍ତାର ଦୂରାବସ୍ଥା ସୁଧୁରିବାରେ ସହାୟକ ହୋଇଛି। ଲଭ୍‌ଲିନା ପଦକ ଧରି ଘରକୁ ଫେରିବା ପୂର୍ବରୁ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ତାଙ୍କ ଗାଁ ରାସ୍ତା ନୂଆ ରୂପ ନେବାକୁ ଯାଉଛି। ଗତ ୩୦ ତାରିଖରେ ଚାଇନିଜ୍‌ ତାଇପେର ନିନ୍‌-ଚିନ୍‌ ଚେନ୍‌ଙ୍କୁ ହରାଇ ପଦକ ପକ୍କା କରିଥିବା ଲଭ୍‌ଲିନା ବୁଧବାର କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ଏହାକୁ ନେଇ ତାଙ୍କ ବାସସ୍ଥାନ ଆସାମ ଗୋଲଘାଟ୍‌ ଜିଲ୍ଲାର ବାରୋମୁଥିଆ ଚଳଚଞ୍ଚଳ ହୋଇଉଠିଛି। ବାରୋମୁଥିଆଠୁ ତାଙ୍କ ଘର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅତି ନିମ୍ନମାନର ଏବଂ ଅବହେଳିତ ହୋଇ ପଡ଼ିଥିଲା। ସେହି ରାସ୍ତା କାଦୁଅରେ ଭର୍ତ୍ତି ରହିଥିଲା। ଯାତାୟାତ ପାଇଁ ବିଦପସଂକୁଳ ମନେ ହେଉଥିଲା। ଏହା ନଜରକୁ ଆସିବା ପରେ ଏହି ୩.୫ କିଲୋମିଟର ରାସ୍ତାକୁ କଚ୍ଚା କରିବା ପାଇଁ ପୂର୍ତ୍ତ ବିଭାଗ ତତ୍ପର ହୋଇପଡ଼ିଛି। ସେ ଘରକୁ ଫେରିବା ପୂର୍ବରୁ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଲଭ୍‌ଲିନାଙ୍କ ଘର ପର୍ଯ୍ୟନ୍ତ ଖରାପ ହୋଇପଡ଼ିଥିବା ରାସ୍ତା ମରାମତିକୁ ଜୋର୍‌ଦାର କରିଛୁ। ଏହା ତାଙ୍କ ପାଇଁ ଏକ ଉପହାର ହେବ। ଏହି ଅଞ୍ଚଳରେ ଏକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି କରିବାକୁ ଚେଷ୍ଟା କରିବୁ। ଆସାମ ମୁଖ୍ୟମନ୍ତ୍ରୀ ଆମକୁ ଏଥିରେ ସହଯୋଗ କରିବାର ଆଶା ରଖିଛୁ ବୋଲି ସ୍ଥାନୀୟ ବିଧାୟକ ବିଶ୍ବଜିତ ଫୁକାନ କହିଛନ୍ତି। ଲଭ୍‌ଲିନା ଯେଉଁଦିନ ପଦକ ପକ୍କା କଲେ ସେହିଦିନ ରାସ୍ତା କାମ ଆରମ୍ଭ କରାଯାଇଛି। ତାଙ୍କୁ ନୂଆ ରାସ୍ତାରେ ସ୍ବାଗତ କରିବାକୁ ଅପେକ୍ଷା କରିରହିଛୁ। ନିକଟରେ ଲଭ୍‌ଲିନାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗୁଆହାଟୀରେ ଆୟୋଜିତ ଏକ ସାଇକେଲ୍‌ ରାଲିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର