ଚେନ୍ନାଇ: ଆଇପିଏଲ୍ର ସପ୍ତଦଶ ସଂସ୍କରଣରେ ପାୱାରହିଟର୍ ଦଳ ଭାବେ ପରିଚିତ ସନରାଇଜର୍ସ ହାଇଦ୍ରାବାଦ ଫାଇନାଲ୍ରେ କିନ୍ତୁ ଚମକହୀନ ପ୍ରଦର୍ଶନ କରି ସୁଯୋଗ ଛାଡ଼ି ଦେଇଛି। ଟସ୍ ଜିତି ପ୍ୟାଟ୍ କମିନ୍ସ ବ୍ୟାଟିଂ ନେଇଥିଲେ ମଧ୍ୟ ଜଣକ ପରେ ଜଣେ ବ୍ୟାଟର୍ ନିରାଶ କରିଥିଲେ। ଫଳରେ ଆଇପିଏଲ୍ ଫାଇନାଲ୍ ଇତିହାସରେ ଏହି ଦଳ ସର୍ବନିମ୍ନ ସ୍କୋର (୧୧୩)ର ଅଲୋଡ଼ା କୀର୍ତ୍ତିମାନ ବହନ କରିବାକୁ ବାଧ୍ୟ ହୋଇଛି। ପୂର୍ବରୁ ଆଇପିଏଲ୍ ଫାଇନାଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ସର୍ବନିମ୍ନ ସ୍କୋର (୧୨୫/୯ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୧୩) କୀର୍ତ୍ତିମାନ ବହନ କରୁଥିଲା। ସେହିପରି ଫାଇନାଲ୍ର ପ୍ରଥମ ପାଳିରେ ସର୍ବନିମ୍ନ ସ୍କୋର ମୁମ୍ବାଇ ଇଣ୍ଡିଆନ୍ସ (୧୨୯/୮ ବନାମ ରାଇଜିଂ ପୁନେ ସୁପର ଜାଏଣ୍ଟସ୍, ୨୦୧୭) ନାମରେ ରହିଥିଲା।
ରବିବାର ନବମ ସ୍ଥାନରେ ବ୍ୟାଟିଂକୁ ଆସିଥିବା କମିନ୍ସ ଦଳ ପାଇଁ ସର୍ବାଧିକ ରନ୍ (୨୪) ସଂଗ୍ରହ କରି ଶେଷ ୱିକେଟ୍ ଭାବରେ ଆଉଟ୍ ହୋଇଥିଲେ। ପୂର୍ବରୁ କମିନ୍ସ ୧୦ ରନ୍ କରିଥିଲା ବେଳେ ମିଚେଲ୍ ଷ୍ଟାର୍କଙ୍କ ହାତରୁ ଜୀବନଦାନ ପାଇଥିବାରୁ ଦଳ ୧୦୦ ଅତିକ୍ରମ କରିବା ସମ୍ଭବ ହୋଇପାରି ଥିଲା। ଶୀର୍ଷ ତିନିଜଣଙ୍କ ସହ ମୋଟ ୭ଜଣ ଦୁଇ ଅଙ୍କରେ ପହଞ୍ଚିପାରି ନଥିଲେ। ଷ୍ଟାର୍କ (୨/୧୪) ଶୀର୍ଷକ୍ରମ ଭାଙ୍ଗିବା ପରେ ଆନ୍ଦ୍ରେ ରସେଲ୍ (୩/୧୯)ଙ୍କ ସହ ହର୍ଷିତ ରାଣା (୨/୨୪), ସୁନୀଲ ନାରାୟଣ(୧/୧୬), ବରୁଣ ଚକ୍ରବର୍ତ୍ତୀ (୧/୯) ଓ ବୈଭବ ଅରୋଡ଼ା (୧/୨୪) ଅନ୍ୟ ୱିକେଟ୍ଗୁଡ଼ିକୁ ବାଣ୍ଟି ନେଇଥିଲେ।
ଚତୁର୍ଥ ଥର ପାୱାରପ୍ଲେରେ ୫୦ରୁ କମ୍ ରନ୍
ହାଇଦ୍ରାବାଦ ଚତୁର୍ଥ ଥର ପାଇଁ ପାୱାରପ୍ଲେରେ ୫୦ରୁ କମ୍ ରନ୍ ସ୍କୋର କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁଁ ଦଳ ପାୱାରପ୍ଲେ ଭିତରେ ୪୦/୩ ସ୍କୋର କରିପାରିଥିଲା। ପୂର୍ବରୁ ହାଇଦ୍ରାବାଦରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୩୭/୨, ମୁଲାନପୁରରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୪୦/୩ ଓ ଅହମଦାବାଦରେ କେକେଆର୍ ବିପକ୍ଷରେ ୪୫/୪ ସ୍କୋର କରିଥିଲା। ରବିବାର ଦୁଇ ଦୁର୍ଦ୍ଧର୍ଷ ବ୍ୟାଟର୍ ଅଭିଷେକ ଶର୍ମା ଓ ଟ୍ରାଭିସ୍ ହେଡ୍ଙ୍କ ସହ ରାହୁଲ ତ୍ରିପାଠୀ ପାୱାରପ୍ଲେ ଭିତରେ ଆଉଟ୍ ହୋଇଯିବାରୁ ଦଳ ଉପରେ ଚାପ ପଡ଼ିଥିଲା।
ଜନ୍ମଦିନରେ ନୀତୀଶ ଫିକା
ଆନ୍ଧ୍ରପ୍ରଦେଶର ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ରବିବାର ୨୧ତମ ଜନ୍ମଦିନ ପାଳନ କରିଛନ୍ତି। ମ୍ୟାଚ୍ ପୂର୍ବରୁ ହୋଟେଲ୍ରେ ନିଜ ପରିବାର ସଦସ୍ୟଙ୍କ ସହିତ ହାଇଦ୍ରାବାଦର ଖେଳାଳିଙ୍କ ଗହଣରେ କେକ୍ କାଟିଥିଲେ। କିନ୍ତୁ ମ୍ୟାଚ୍ରେ ତାଙ୍କ ବ୍ୟାଟ୍ କିଛି କରାମତି କରିପାରି ନଥିଲା। ମାତ୍ର ୧୦ ବଲ୍ ସାମ୍ନା କରିଥିଲା ବେଳେ ୧ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ପାୱାରପ୍ଲେ ପରବର୍ତ୍ତୀ ଓଭରରେ ହର୍ଷିତ ରାଣାଙ୍କ ସୁଇଂକୁ ଖେଳି ନପାରି କିପର ରହମନୁଲ୍ଲା ଗୁରବାଜଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।