ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ରବିବାର ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଟିମ୍ ଇଣ୍ଡିଆର ପ୍ରଦର୍ଶନ ପ୍ରଶଂସକମାନଙ୍କୁ ହତାଶ କରିଛି। ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଛୋଟ ସ୍କୋର କରିଛି। ଶୁବମନ୍ ଗିଲ, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ସାମି ଓ ମହମ୍ମଦ ସିରାଜ କୌଣସି ରନ୍ ନକରି ପାଭଲିଅନକୁ ଫେରି ଆସିଥିଲେ। ଅତିଥି ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଯୋଜନା ଅନୁସାରେ ବୋଲିଂ କରି ଘରୋଇ ଦଳକୁ ୧୧୭ ରନ୍ରେ ଅଟକାଇଥିଲା। କଙ୍ଗାରୁ ଟିମ୍ ତରଫରୁ ସମସ୍ତ ଦ୍ରୁତବୋଲରଙ୍କୁ ୱିକେଟ୍ ମିଳିଥିଲା। ମିଚେଲ ଷ୍ଟାର୍କଙ୍କୁ ସର୍ବାଧିକ ୫ଟି, ସିନ୍ ଆବୋଟ୍ଙ୍କୁ ୩ଟି ଓ ନାଥାନ୍ ଇଲିସଙ୍କୁ ୨ଟି ୱିକେଟ୍ ମିଳିଥିଲା।
/sambad/media/post_attachments/wp-content/uploads/2023/03/ଅଷ୍ଟ୍ରେଲିଆ୨.jpg)
ଭାରତର ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ୍ ଗିଲ ଖାତା ନଖୋଲି ପାଭଲିଅନ ଫେରି ଆସିଥିଲେ। ଦଳର ସ୍କୋର ୩ ରନ୍ ଥିବା ବେଳେ ଘରୋଇ ଦଳକୁ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୩୨ ରନ୍ରେ ଦ୍ବିତୀୟ ଓ ତୃତୀୟ ୱିକେଟ୍ ଭାବେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। ୪୮ ରନ୍ରେ କେଏଲ୍ ରାହୁଲ, ୪୯ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲି୍ଅନ ଫେରି ଆସିଥିଲେ। ୭୧ ରନ୍ ବେଳକୁ ବିରାଟ କୋହଲି, ୯୧ ରନ୍ରେ ରବୀନ୍ଦ୍ର ଜାଦେଜା ଆଉଟ୍ ହୋଇଥିଲା ବେଳେ ୧୦୩ ରନ୍ରେ କୁଲଦୀପ ଯାଦବ ଓ ମହମ୍ମଦ ସାମି ପଡ଼ିଆକୁ ଫେରିଥିଲେ। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଯଥାକ୍ରମେ ୨୯ ଓ ୧୬ ରନ୍ ଅମଳ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍ ସଂଗ୍ରହ କରିଥିଲେ।
ନିଜ ଦେଶରେ ଭାରତୀୟ ଟିମ୍ର ଏହା ହେଉଛି ସବୁଠାରୁ ଖରାପ ପ୍ରଦର୍ଶନ। ଯଦି ଅଷ୍ଟ୍ରେଲିଆ ବିପକ୍ଷ ଭାରତରେ ହୋଇଥିବା ମ୍ୟାଚ୍ର ଇତିହାସ ଦେଖାଯିବ, ତାହେଲେ ଟିମ୍ ଇଣ୍ଡିଆର ଏହା ହେଉଛି ସବୁଠାରୁ ଛୋଟ ସ୍କୋର। ଏତଦ୍ ବ୍ୟତୀତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସମସ୍ତ ଦିନିକିଆ ମ୍ୟାଚରେ ଏହା ଟିମ୍ ଇଣ୍ଡିଆର ତୃତୀୟ କମ ସ୍କୋର। ୧୯୮୬ରେ ଅହମଦାବାଦ ଠାରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୧୪୧ ରନ୍ କରିଥିଲା। ସେହିପରି ୨୦୦୭ରେ ଭଦୋଦରାରେ ଖେଳାଯାଇଥିବା ମ୍ୟାଚରେ ଭାରତ ୧୪୮ ରନ୍ କରିଥିଲା। ଅଷ୍ଟ୍ରେଲିଆର ସିଡନିରେ ଭାରତ ୧୯୮୧ରେ ୬୩ ଓ ୨୦୦୦ରେ ୧୦୦ ରନ୍ କରିଥିଲା। ୧୯୯୧ରେ ପର୍ଥରେ ଅଷ୍ଟ୍ରେଲିଆ ୧୦୧ ରନ୍ କରିଥିଲା।