ଏଲ୍‌ଏସ୍‌ଏ ସର୍ବଭାରତୀୟ ଭଲିବଲ୍, କ୍ରୀଡ଼ା ଛାତ୍ରାବାସ ବିଜେତା

ଭୁବନେଶ୍ବର: ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ (ଏଲ୍‌ଏସ୍‌ଏ) ସର୍ବଭାରତୀୟ ଆମନ୍ତ୍ରଣୀୟ ଭଲିବଲ୍‌ର ଏକାଦଶ ସଂସ୍କରଣରେ ସ୍ଥାନୀୟ ଦଳ କ୍ରୀଡ଼ା ଛାତ୍ରାବାସ, ଭୁବନେଶ୍ବର ବିଜେତା ହୋଇଛି। ଦୁଇ ଦିନ ଧରି ଆୟୋଜିତ ଏହି ପ୍ରତି‌େଯାଗିତାର ଫାଇନାଲରେ କ୍ରୀଡ଼ା ଛାତ୍ରାବାସ ଏକତରଫା ଭାବେ ୩-୦ରେ ଆନ୍ଧ୍ରକୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଓଡ଼ିଶା ପୁଲିସ, କ୍ରୀଡ଼ା ଛାତ୍ରାବାସ ଭୁବ‌େନଶ୍ବର, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ସିଆଇଏସଏଫ୍ (ରାଞ୍ଚି) ଭଳି ବଛା ବଛା ୬ ଦଳକୁ ନେଇ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହି ଆନ୍ଧ୍ର, ଛତିଶଗଡ଼, କ୍ରୀଡ଼ା ଛାତ୍ରାବାସ ଏବଂ ପୂର୍ବ ରେଳବାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ଚିତ୍ତାକର୍ଷକ ପ୍ରଥମ ସେମିଫାଇନାଲରେ ପୂର୍ବ ରେଳବାଇକୁ ୨-୧ ସେଟ୍‌ରେ ପରାସ୍ତ କରି କ୍ରୀଡ଼ା ଛାତ୍ରାବାସ ପ୍ରଥମ ଦଳ ଭ‌ାବେ ଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନା‌ଲରେ ଆନ୍ଧ୍ର ୩-୧ରେ ଛତିଶଗଡ଼କୁ ପରାସ୍ତ କରି ଫାଇନାଲ୍ ଟି‌େକଟ ହାସଲ କରିଥିଲା। କ୍ରୀଡ଼ା ଛାତ୍ରାବାସର ରାହୁଲ ବାରିକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଭଲିବଲ୍ ସଂଘର ସଭାପତି ସୁବୋଧ କୁମାର ରାଉତ, ବରିଷ୍ଠ କ୍ରୀଡ଼ା ସଂଗଠକ ନବ ରଞ୍ଜନ ପଟ୍ଟନାୟକ, କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, କ୍ଲବର ସଭାପତି ବାବୁ ସଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶାରୁ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଭଲିବଲ୍ ଖେଳାଳି ସୃଷ୍ଟି କରିଥିବା ସମରେନ୍ଦ୍ର ମହାପାତ୍ରଙ୍କୁ ଜୀବନ ବ୍ୟା‌ପି ସେବା ସମ୍ମାନ ଏବଂ ରାଜ୍ୟ ରେଫରି ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ୫ ଜଣ ରେଫରିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ସୁବାଷ ମିଶ୍ର ଓ ନିହାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର