ମୁଁ ଭାଗ୍ୟବାନ, ଜେଲ୍‌ ଯିବାର ଫ‌ଟୋ କେହି ଉଠାଇ ନଥିଲେ: ଶ୍ରୀଶାନ୍ତ

‘ଆତଙ୍କବାଦୀ‌ କୋଠରୀରେ ଦୈନିକ ୧୬/୧୭ ଘଣ୍ଟା ନିର୍ଯାତିତ ହେଉଥିଲି’

ତିରୁବନ୍ତପୁରମ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାରେ ମର୍ମାହତ ବିତର୍କିତ ଭାରତୀୟ କ୍ରିକେଟର୍‌ ସାନ୍ତାକୁମାରନ ଶ୍ରୀଶାନ୍ତ ନିଜ ଭୟଙ୍କର ଆଇପିଏଲ୍‌ ଫିକ୍ସିଂ ତଦନ୍ତର ଅଭିଜ୍ଞତାକୁ ମନେ ପକାଇଛନ୍ତି। ସୁଶାନ୍ତଙ୍କ ଏକାଧିକ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବାକୁ ଦେଖି ଶ୍ରୀଶାନ୍ତ କହିଛନ୍ତି ‘ମୁଁ ଭାଗ୍ୟବାନ ଯେ କେହି ବି ମୋ ଜେଲ୍‌ ଯିବା ଓ ବାହାରିବାର ଫ‌ଟୋ ଉଠାଇନଥିଲେ’। ଭାରତୀୟ କ୍ରିକେଟ୍‌ର ଅନ୍ୟତମ ପ୍ରତିଭାଧାରୀ ଦ୍ରୁତ ବୋଲର ଭାବେ ଶ୍ରୀଶାନ୍ତ ଦୁଇ ଥର ବିଶ୍ବକପ୍‌ (୨୦୦୭ ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌) ଜିତିଥିଲେ। କିନ୍ତୁ ୨୦୧୩ ମସିହାର ଆଇପିଏଲ୍‌ ଫିକ୍ସିଂ ଅଭିଯୋଗ କାରଣରୁ ତାଙ୍କ ଖେଳ ଜୀବନର ଆକସ୍ମିକ ଅନ୍ତ ଘଟିଥିଲା। କେରଳ ଜନ୍ମିତ ଏହି ଦ୍ରୁତ ବୋଲର ଏବେ ଫିକ୍ସିଂ ଅଭିଯୋଗରୁ ମୁକ୍ତ ହୋଇଥିଲେ ମଧ୍ୟ ଖେଳକୁ ପ୍ରତ୍ୟାବର୍ତନ କରିପାରିନାହାନ୍ତି। କିନ୍ତୁ ଦିନ ଥିଲା ସେ ବସ୍ତୁତଃ ନର୍କରେ ସମୟ କାଟୁଥିବାର ଅନୁଭବ କରିଥିଲେ। ଜେଲ୍‌ରେ ଥିବାବେଳେ ଦୈନିକ ୧୬/୧୭ ଘଣ୍ଟା ନିର୍ଯାତିତ ହେଉଥିଲି, ମୋତେ କର୍ତ୍ତୃପକ୍ଷ ଏକ ଆତଙ୍କବାଦୀ କୋଠରିରେ ରଖିଥିଲେ ବୋଲି ଶ୍ରୀଶାନ୍ତ କୋହଭରା କଣ୍ଠରେ ପ୍ରକାଶ କରିଥିଲେ।

ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଏବଂ ବିସିସିଆଇ ନିଲମ୍ବନ ପରଠାରୁ ଶ୍ରୀଶାନ୍ତ ଏହି ବିବାଦୀୟ ଘଟଣାରେ ତାଙ୍କୁ ‘ବକ୍‌ରା’ କରାଯାଇଥିବା ଦାବି କରି ଆସୁଛନ୍ତି। ଏହି ସ୍କାଣ୍ଡାଲରେ ବହୁ ବଡ଼ ନାମ ସମ୍ପୃକ୍ତ ଥିଲେ ବୋଲି ମଧ୍ୟ ସେ କହି ଆସିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣା ପରେ କଳାକାର ଜୀବନ ସହ ସମ୍ପୃକ୍ତ ଥିବା ଶ୍ରୀଶାନ୍ତ ନିଜର ଖରାପ ସମୟକୁ ମନେ ପକାଇ କହିଥିଲେ ‘ଆପଣ ଯଦି ମୋ ଜୀବନ ଉପରେ ନଜର ପକାଇବେ, ଏହା ଗୋଟିଏ ସେକେଣ୍ଡର କିଛିକାଂଶ ମାତ୍ର। ମ୍ୟାଚ୍‌ ପରବର୍ତୀ ପାର୍ଟିରୁ ମୋତେ ଏକ ଆତଙ୍କବାଦୀ କୋଠରିକୁ ନିଆଯାଇଥିଲା। ମୋତେ ବକ୍‌ରା ବନାଯାଉଥିବା ଅନୁଭବ କରିଥିଲି। ସେଠାରେ ବିତାଇଥିବା ୧୨ ଦିନ କାଳ ପ୍ରତ୍ୟେହ ୧୬/୧୭ ଘଣ୍ଟା ଏତେ ପ୍ରଶ୍ନ ପଚରାଯାଉଥିଲା ଏହା ନିର୍ଯାତନାଠାରୁ ବି ଅଧିକ ଥିଲା। ମୁଁ କେବଳ ମୋ ଘର ଓ ପରିବାର କଥା ଭାବୁଥିଲି। କିଛି ଦିନ ପରେ ମୋ ବଡ଼ ଭାଇ ଦେଖିବାକୁ ଆସିଥିଲେ, ତାଙ୍କୁ ଭେଟିବା ପରେ ଜାଣିଥିଲି ପରିବାର ଭଲରେ ଅଛି। ମୋ ପରିବାର ମୋତେ ପ୍ରବର୍ତାଇଥିଲେ ଏବଂ ମନ ଭିତରେ ବିଶ୍ବାସ ଭରିଦେଇଥିଲେ’।

ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶ୍ରୀଶାନ୍ତ କହିଥିଲେ ‘କୌଣସି ନିଷ୍ପତ୍ତି ନେବା ପୂର୍ବରୁ କିଛି ଚିନ୍ତା କରିବା କଥା, କାରଣ ଏହା ଜୀବନକୁ ବଦଳାଇ ଦେଇପାରେ’। ଗମ୍ଭୀରତାର ସହ କହିଲେ ‘ଲଢ଼େଇ ଜିତିବା ସବୁଠୁ ଗୁରୁତ୍ବପୂର୍ଣ୍ଣ, ପ୍ରତିଟି ବ୍ୟକ୍ତି ନିଜ ଲଢ଼େଇ ଲଢ଼ୁଛନ୍ତି। ଏପରିକି ସଚିନ ଗୋଟିଏ ମ୍ୟାଚ୍‌ରେ ଶତକ ହାସଲ କଲେ ବି ପରବର୍ତୀ ମ୍ୟାଚ୍‌ରେ ଶୂନରେ ଆଉଟ୍ ‌ହୋଇପାରନ୍ତି। ତେଣୁ‌‌ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ୧୦ ସେକେଣ୍ଡ୍ ପାଇଁ ଚିନ୍ତା କରନ୍ତୁ। ସମୟ ନିଶ୍ଚିତ ଚାଲିଯିବ, ଯାହା ଆପଣ ହାସଲ କରିବାକୁ ଚାହୁଁଛନ୍ତି ତାହା ହାସଲ କରନ୍ତୁ। ଦୁନିଆ କ’ଣ କହୁଛି ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ ନାହିଁ’ ବୋଲି ଶ୍ରୀଶାନ୍ତ ପ୍ରକାଶ କରିଥିଲେ।

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ପ୍ରଥମେ ମୁଁ ପତ୍ନୀଙ୍କଠାରୁ ପାଇଥିଲି। ମୁଁ ସେ ସମୟରେ ଟ୍ରେନିଂ କରୁଥିଲି। ଦେଖିନଥିଲି, କାରକୁ ଆସିବା ପରେ ଜାଣିଥିଲି କିନ୍ତୁ ମଜାକ ଭାବିଥିଲି। ବାରମ୍ବାର ଭଏସ୍‌ ମେଲ୍‌ ପାଇବା ପରେ ସତ କଥା ଜାଣିଥିଲି। ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ମରଶରୀରକୁ ପ୍ରଶଂସକମାନେ ସେୟାର କରିବା‌ ଦେଖି ମର୍ମାହତ ହୋଇଥିଲି। ଭାବିଥିଲି ମୋ ଖରାପ ସମୟର ଫଟୋ କେହି ଉଠାଇନଥିବାରୁ ଭାଗ୍ୟବାନ ଥିଲି। ‘ମୁଁ ଭାଗ୍ୟବାନ, ମୁଁ ଜେଲ ଯିବା ଓ ବାହାରିବାର ଫଟାକୁ କେହି ଉଠାଇନଥିଲେ, ସୌଭାଗ୍ୟ‌ ମୋ ପିଲାମାନେ ଦିନେ ଏହାକୁ ଦେଖିପାରିବେ ନାହିଁ। ସୁଶାନ୍ତଙ୍କ ଆତ୍ମହତ୍ୟା ଦିନ ବହୁ ଦୁଃଖ ଲାଗିଥିଲା’ ବୋଲି ୩୭ ବର୍ଷୀୟ ଶ୍ରୀଶାନ୍ତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର