ଲକ୍ଷ୍ନୌ: ଏକ ରୋମାଞ୍ଚକ ମ୍ୟାଚ୍ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି। ଗୋଟିଏ ମ୍ୟାଚ୍ ପୂର୍ବରୁ ଏହି ଦଳ ୧୫ ପଏଣ୍ଟ ସହ ତୃତୀୟକୁ ଉଠିଛି। ଗୋଟିଏ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ୧୪ ପଏଣ୍ଟ ସହ ଚତୁର୍ଥକୁ ଖସିଯାଇଛି। ୧୭୮ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ। କିନ୍ତୁ ୯୦ ରନ୍ ଭାଗୀଦାରି ପରେ ଏ ଦୁହେଁ ଅଲଗା ହୋଇଯିବା ମାତ୍ରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା। ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। ପ୍ରଥମ ଓଭରରେ ୧୩ ରନ୍ ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ସ୍ଥାନୀୟ ଖେଳାଳି ମୋହସିନ୍ ଖାନ୍ ଶେଷ ଓଭରରେ କିନ୍ତୁ ଅସମ୍ଭବ ଲାଗୁଥିବା ୧୧ ରନ୍କୁ ଡିଫେଣ୍ଡ କରି ଦେଇଥିଲେ। ଟିମ୍ ଡେଭିଡ୍ ଓ କାମେରନ୍ ଗ୍ରିନ୍ କ୍ରିଜ୍ରେ ଥିଲେ ମଧ୍ୟ ମୋହସିନ୍ ମାତ୍ର ୫ ରନ୍ (୦, ୧, ୧, ୦, ୧, ୨) ବ୍ୟୟ କରି ମୁମ୍ବାଇକୁ ରୋକି ଦେଇଥିଲେ। ଲକ୍ଷ୍ନୌ ପାଳିରେ ଚମତ୍କାର ବ୍ୟାଟିଂ କରିଥିବାରୁ ମାର୍କସ ଷ୍ଟୋଇନିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏବେ ପ୍ଲେ ଅଫ୍ ଯୋଗ୍ୟତା ଲାଗି ଲକ୍ଷ୍ନୌକୁ ଶନିବାର ଯାଏଁ (ବନାମ କୋଲକାତା ନାଇଟ୍ ରାଇଡର୍ସ) ଏବଂ ମୁମ୍ବାଇକୁ ରବିବାର ଯାଏଁ (ବନାମ ହାଇଦ୍ରାବାଦ) ଅପେକ୍ଷା କରିବାକୁ ପଡ଼ିବ।
ପୂର୍ବରୁ ମାର୍କସ ଷ୍ଟୋଇନିସ୍ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଶେଷ ଘରୋଇ ମ୍ୟାଚ୍ ଖେଳୁଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୭୮ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତି ପାଣ୍ଡ୍ୟାଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ଆରମ୍ଭରୁ ଲକ୍ଷ୍ନୌ ବିପର୍ଯ୍ୟୟର ସାମ୍ନା କରିବା ସହ ୩୫ ରନ୍ ଭିତରେ ଦୀପକ ହୁଦା (୫), ପ୍ରେରକ ମଙ୍କଡ଼ (୦) ଓ କ୍ବିଣ୍ଟନ ଡି’କକ୍ (୧୬)ଙ୍କ ୱିକେଟ୍ ହରାଇଥିଲା। ହେଲେ କ୍ରୁନାଲ ପାଣ୍ଡ୍ୟା ଓ ମାର୍କସ ଷ୍ଟୋଇନିସ୍ ତୃତୀୟ ୱିକେଟ୍ରେ ୮୨* ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। କିନ୍ତୁ ଅର୍ଦ୍ଧଶତକଠୁ ୧ ରନ୍ ଦୂରରେ ଥିଲାବେଳେ ରକ୍ଷଣାତ୍ମକ ଖେଳୁଥିବା ପାଣ୍ଡ୍ୟା ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଥିଲେ। ୧୮ତମ ଓଭରରେ କ୍ରିସ୍ ଜୋର୍ଡାନ୍ଙ୍କଠୁ ୨୪ ରନ୍ (୬, ୦, ୪, ୪, ୬, ୪) ଆଦାୟ କରିବା ସହ ଷ୍ଟୋଇନିସ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ପର୍ଯ୍ୟନ୍ତ ଦ୍ରୁତ ରନ୍ ସଂଗ୍ରହ କରି ଷ୍ଟୋଇନିସ୍ ୮୯* ରନ୍ରେ ଅପରାଜିତ ରହିଥିଲେ। ମୁମ୍ବାଇର ଜାସନ୍ ବେହରେନ୍ଡର୍ଫ ୨ ଓ ପୀୟୂଷ ଚାୱଲା ୧ ୱିକେଟ୍ ନେଇଥିଲେ।