ଲକ୍ଷ୍ନୌ: ଟେବୁଲ୍ ଟପର୍ ଗୁଜରାଟ ଟାଇଟନ୍ସର ବିଜୟ ଧାରାକୁ ରୋକିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଗୁରୁବାର ଚଳିତ ଆଇପିଏଲ୍ର ୬୪ତମ ମ୍ୟାଚ୍ରେ ଗୁଜରାଟକୁ ୩୩ ରନ୍ରେ ହରାଇ ଦେଇଛି ଏହି ଦଳ। ଫଳରେ ତ୍ରୟୋଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ପାଇ ପ୍ଲେ ଅଫ୍କୁ ଯାଇ ନପାରିବାର ଦୁଃଖକୁ କିଛିଟା ଦୂର କରିଛି ଋଷଭ ପନ୍ତଙ୍କ ଦଳ। ଅନ୍ୟପକ୍ଷରେ ତ୍ରୟୋଦଶ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଥିବା ଗୁଜରାଟ ପ୍ରଥମ ଦୁଇ ସ୍ଥାନରେ ଲିଗ୍ ଅଭିଯାନକୁ ସୁନିଶ୍ଚିତ କରାଇବାର ଭଲ ସୁଯୋଗ ହାତଛଡ଼ା କରିଛି।
ଲକ୍ଷ୍ନୌ ୨୩୬ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଗୁଜରାଟ ଏହାର ୩ ତାରକା ସାଇ ସୁଦର୍ଶନ, ଶୁବମନ୍ ଗିଲ୍ ଓ ଜୋସ୍ ବଟଲର୍ଙ୍କୁ ପ୍ରଥମ ୧୦ ଓଭର ଭିତରେ ହରାଇ ଦିଶାହୀନ ହୋଇଥିଲା। ସେରଫାନ୍ ରଦରଫୋର୍ଡ ଓ ଶାହରୁଖ ଖାନ୍ ଚତୁର୍ଥ ୱିକେଟ୍ରେ ୮୬ ରନ୍ ଯୋଡ଼ି ଦଳର ପଶ୍ଚାତଧାବନକୁ ଜୀବନ୍ତ କରିଥିଲେ। ହେଲେ ରଦରଫୋର୍ଡଙ୍କୁ ଶିକାର କରି ୱିଲ୍ ଓ’ ରୁର୍କି ଏହି ଯୋଡ଼ିକୁ ଭାଙ୍ଗିବା ପରେ ଗୁଜରାଟ ୨୦୨/୯ରେ ଅଟକି ଯାଇଥିଲା। ପୂର୍ବରୁ ଦୁଇ ଓପନର୍ ଐଦେନ ମାରକ୍ରମ୍ ଓ ମିଚେଲ ମାର୍ସ ଗୁଜରାଟ ବୋଲରଙ୍କ ପ୍ରଭାବହୀନ ବୋଲିଂର ପୂର ଫାଇଦା ଉଠାଇ ପାୱାର ପ୍ଲେ’ରେ କୌଣସି କ୍ଷତି ଘଟିବାକୁ ଦେଇ ନଥିଲେ। ଦଶମ ଓଭର ପଞ୍ଚମ ବଲ୍ରେ ମାରକ୍ରମ୍ଙ୍କୁ ଆଉଟ୍ କରି ସାଇ କିଶୋର ଉଭୟଙ୍କୁ ଅଲଗା କରିବା ବେଳକୁ ଲକ୍ଷ୍ନୌ ସ୍କୋର୍ ବୋର୍ଡରେ ୯୧ ରନ୍ ଲାଗି ସାରିଥିଲା। ମାରକ୍ରମ୍ଙ୍କ ଆଉଟ୍ ପରେ ମାର୍ସଙ୍କ ସହ ଯୋଗ ଦେଇଥିବା ନିକୋଲାସ୍ ପୂରନ କିନ୍ତୁ ଗୁଜରାଟ ବୋଲରଙ୍କ ଉପରୁ ଚାପ ହଟିବାକୁ ଦେଇ ନଥିଲେ। ମାର୍ସ-ପୂରନ ଉଭୟ ପଟୁ ଆକ୍ରମଣ କରି ଦ୍ବିତୀୟ ୱିକେଟ୍ରେ ଦ୍ରୁତ ଓ ବହୂମୂଲ୍ୟ ୧୨୧ ରନ୍ ଯୋଡ଼ି ନେଇଥିଲେ। ବିଶେଷ କରି ମାର୍ସ ନିଜ ଆଇପିଏଲ୍ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିବା ସହ ମାତ୍ର ୫୬ ବଲ୍ରୁ ଶତକ ପୂରଣ କରିଥିଲେ। ଯାହା ଲକ୍ଷ୍ନୌ ଇତିହାସର ଦ୍ରୁତତମ ଶତକ ଥିଲା। ଅର୍ସଦ ଖାନଙ୍କୁ ଛକା ମାରିବା ଲୋଭରେ ରଦରଫୋର୍ଡଙ୍କ ଦ୍ବାରା କ୍ୟାଚ୍ ହେବା ପୂର୍ବରୁ ୧୧୭ ରନ୍ର ସ୍ମରଣୀୟ ପାଳି ଖେଳିସାରିଥିଲେ ସେ। ପୂରନ ୨୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଅଧିନାୟକ ଋଷଭ ପନ୍ତଙ୍କ ସହ ମିଶି ଦଳୀୟ ସ୍କୋର୍କୁ ୨୩୫/୨ରେ ପହଞ୍ଚାଇ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୦ ଓଭରରେ ୨୩୫/୨ (ମିଚେଲ ମାର୍ସ ୧୧୭, ନିକୋଲାସ୍ ପୂରନ ୫୬*, ଐଦେନ ମାରକ୍ରମ୍ ୩୬, ସାଇ କିଶୋର ୧/୩୪, ଅର୍ସଦ ଖାନ୍ ୧/୩୬)। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୦୨/୯ (ଶାହରୁଖ ଖାନ୍ ୫୭, ସେରଫାନ ରଦରଫୋର୍ଡ ୩୮, ଶୁବମନ ଗିଲ୍ ୩୫, ୱିଲ୍ ଓ’ ରୁର୍କି ୩/୨୭, ଆୟୁଷ ବଡୋନୀ ୨/୪)।