ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ.ପାଟିଲ ସ୍ପୋର୍ଟସ ଏକାଡେମୀରେ ଚାଲିଥିବା ଆଇପିଏଲ ୨୦୨୨ର ୬୬ତମ ମ୍ୟାଚରେ କୋଲକାତାକୁ ୨ ରନ୍ରେ ପରାସ୍ତ କରିଛି ଲକ୍ଷ୍ନୌ । ଦ୍ବିତୀୟ ପାଳିରେ କୋଲକାତାର ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । କୋଲକାତା ୨୧୧ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ ୨୦୮ ରନ୍ କରି ପରାସ୍ତ ହୋଇଛି । କୋଲକାତା ପକ୍ଷରୁ ପ୍ରଥମରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା କିନ୍ତୁ ପରେ ନୀତୀଶ ରାଣା ଓ ଶ୍ରେୟସ୍ ଆୟର ଦମ୍ଦାର ବ୍ୟାଟିଂ କରି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଶ୍ରେୟସ୍ ଆୟର ସର୍ବାଧିକ ୫୦ ରନ୍ କରିଥିବା ବେଳେ ନୀତୀଶ ରାଣା ୨୨ ବଲରେ ୪୪ ରନ୍ କରିଥିଲେ । ଶେଷରେ ରିଙ୍କୁ ସିଂ ଦମ୍ଦାର ୧୫ ବଲରେ ୪୦ ରନ୍ ଓ ସୁନୀଲ ନାରିନ ୭ ବଲରେ ୨୧ ରନ୍ କରିଥିଲେ ସୁଧା କୋଲକାତକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।
ଫଳରେ କୋଲକାତା ଏହି ମ୍ୟାଚରେ ପରାଜୟ ସହ ଚଳିତ ସିଜିନ୍ରେ ନିଜର ଅଭିଯାନ ଶେଷ କରିଛି । ଅନ୍ୟପଟେ ଲକ୍ଷ୍ନୌ ଏହି ମ୍ୟାଚରେ ବିଜୟ ସହ ୧୮ ପଏଣ୍ଟ ସଂଗ୍ରହ କରି ଦ୍ବିତୀୟ ସ୍ଥାନରେ ରହିବା ସହ ଦ୍ବିତୀୟ ଦଳ ଭାବେ କ୍ବାଲିଫାଏ ହୋଇଛି ।
ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ କୌଣସି ଓ୍ବିକେଟ ନ ହରାଇ ୨୧୦ ରନ କରିଥିଲା । ଫଳରେ କୋଲକାତା ଆଗରେ ୨୧୧ରନର ବିଜୟ ଲକ୍ଷ୍ୟ ଥିଲା । ଦଳର ଦୁଇ ଓପନର କ୍ବିଣ୍ଟନ ଡି’କକ୍ ଓ କେଏଲ ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କୋଲକାତା ବୋଲରମାନଙ୍କୁ ନିର୍ମମ ପ୍ରହାର କରିଚାଲିଥିଲେ । ଡି’କକ୍ ମାତ୍ର ୭୦ ବଲ ଖେଳି ୧୪୦ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୧୦ଟି ଛକା ଓ ୧୦ଟି ଚୌକା ମାରିଥିଲେ । ଅର୍ଥାତ ଛକାଚୌକାରେ ହିଁ ସେ ୧୦୦ରନ କରିଥିଲେ । ଅନ୍ୟପକ୍ଷରେ ରାହୁଲ ୫୧ଟି ବଲରୁ ୬୮ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୩ଟି ଚୌକା ମାରିଥିଲେ ।
କୋଲକାତାର କୌଣସି ବୋଲର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ରୋକିବାକୁ ସମର୍ଥ ହୋଇପାରିନଥିଲେ । ଦଳର ପ୍ରମୁଖ ଷ୍ଟ୍ରାଇକ ବୋଲର ଟିମ ସାଉଦି ୪ ଓଭର ବୋଲିଂ କରି ୫୭ ରନ ଦେଇଥିଲେ । ସେହିପରି ଉମେଶ ଯାଦବ ୩୪ରନ ଓ ଆନ୍ଦ୍ରେ ରସେଲ ୪୫ ରନ ଦେଇଥିଲେ ।