ଲକ୍ଷ୍ନୌ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୦ମ ମ୍ୟାଚ୍ରେ ଶୁକ୍ରବାର ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୫ ୱିକେଟ୍ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍। ଏଥି ସହିତ ଲକ୍ଷ୍ନୌ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ବିଜୟ ହାସଲ କରିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ୧୨୨ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କେଏଲ୍ ରାହୁଲଙ୍କ ନେତୃତ୍ବରେ ଟିମ୍ ୧୬ ଓଭରରେ ୫ଟି ୱିକେଟ୍ ହରାଇ ୧୨୭ ରନ୍ କରିଥିଲା।
ହାଇଦ୍ରାବାଦ୍ ଟିମ୍ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ବଡ଼ ସ୍କୋର କରିପାରିନଥିଲା। ଟିମ୍ ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୩୫ ରନ କରିଥିବାବେଳେ ଅନମୋଲପ୍ରିତ ସିଂ ୩୧ରନ କରିଥିଲେ । ଦଳର ଦୁଇ ତାରକା ବ୍ୟାଟର ଅଧିନାୟକ ଆଇଡେନ ମାର୍କରାମ ଓ ମୟଙ୍କ ଅଗ୍ରଓ୍ବାଲ ବିଫଳ ହୋଇଥିଲେ । ମାର୍କରାମ ଖାତା ଖୋଲି ପାରିନଥିବାବେଳେ ଅଗ୍ରଓ୍ବାଲ ୮ ରନ କରିଥିଲେ । ଓ୍ବାସିଂଟନ ସୁନ୍ଦର ୧୬ରନ କରିଥିଲେ । ଶେଷ ବେଳକୁ ଓବଦୁଲ ସମଦ ୨ଟି ଛକା ସହ ୨୧ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇଥିବାବେଳେ ଅମିତ ମିଶ୍ର ୨ଟି ଓ୍ବିକେଟ ନେଇଥିଲେ ।
ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ହାଇଦ୍ରାବାଦ ଦଳ ୨ଟି ମ୍ୟାଚ ଖେଳିଛି। ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ଜିତିପାରି ନାହିଁ।