ଟସ୍‌ ହାରିବା ଭାରତ ପାଇଁ ବରଦାନ

-ସୁନୀଲ ଗାଭାସ୍କର

ଟସ୍‌ ହାରି ବ୍ୟାଟିଂ କରିବା ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। ନଟିଂହାମ ପିଚ୍‌ ଏପର୍ଯ୍ୟନ୍ତ ଯେଭଳି ଭାବେ ବ୍ୟବହାର କରୁଛି, ତାକୁ ଦେଖିଲେ ପଛରେ ବ୍ୟାଟିଂ କରିବା ଇଂଲଣ୍ଡ ପାଇଁ ସହଜ ହେବ ନାହିଁ ବୋଲି ଅନୁମାନ କରିହୁଏ। ସେଥିପାଇଁ ଭାରତ ଯେତେବେଳେ ବିନା କ୍ଷତିରେ ୫୦ ରନ୍‌ ଛୁଇଁଲା, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନିଶ୍ଚିତ ଭାବେ ନିଜ ନିଷ୍ପତ୍ତି ନେଇ ପଶ୍ଚାତାପ କରୁଥିବେ। ଧାଓ୍ଵନ ଓ ରାହୁଲ ଭଲ ବ୍ୟାଟିଂ କରୁଥିଲେ। ଦେହ ପାଖରେ ଖେଳି ଅଫ୍‌ ଷ୍ଟମ୍ପରେ ଥିବା ବଲ୍‌କୁ ସୁନ୍ଦର ଭାବେ ଛାଡ଼ି ଦେଉଥିଲେ। ପରବର୍ତୀ ଘଣ୍ଟାକର ଖେଳରେ ଅବଶ୍ୟ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତନ କଲା। ଦ୍ୱିତୀୟ ଟେଷ୍ଟ୍‌ର ନାୟକ କ୍ରିସ୍‌ ଓକ୍ସ ନିଜ ଶାଣିତ ବୋଲିଂରେ ଧାଓ୍ଵନଙ୍କୁ ଚକ୍‌ମା ଦେବାର ପର ଓଭରରେ ରାହୁଲଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ମନ୍ଥର ରନ୍‌ ସଂଗ୍ରହ ପାଇଁ ଚିନ୍ତାରେ ଥିବା ପୂଜାରା ହୁକ୍‌ କରିବା ଲୋଭରେ ଡିପ୍‌ ସ୍କୋୟାର ଲେଗ୍‌ ଅଞ୍ଚଳରେ ଧରାପଡ଼ିଲେ। ଏହା ତାଙ୍କର ସ୍ୱାଭାବିକ ଖେଳ ନଥିଲା। ୪୦୦୦ ରନ୍‌ କରିବା ପରେ ଯେତେବେଳେ କୌଣସି ଖେଳାଳିକୁ ତା’ ଖେଳକୁ ବଦଳାଇବାକୁ କୁହାଯାଏ, ଏମିତି ହିଁ ଘଟିଥାଏ। କ୍ରିଜ୍‌ରେ ରହିବା ପୂଜାରାଙ୍କର ଶକ୍ତି। ଏହା ଦ୍ୱାରା ଅନ୍ୟପଟେ ଥିବା ବ୍ୟାଟ୍ସମ୍ୟାନ୍‌ ହାତଖୋଲା ସଟ୍‌ ଖେଳି ପାରନ୍ତି। କୋହଲି-ରାହାଣେ ଭାଗୀଦାରି ଅବଶ୍ୟ ଭାରତ ପାଳିରେ ସ୍ଥିରତା ଆଣିଛି। ଇଂଲଣ୍ଡ ପୁଣି ଥରେ ବ୍ୟାକ୍‌ ଫୁଟ୍‌କୁ ଚାଲିଯାଇଛି। ଭାରତ ଯଦି ୩୦୦ ରନ୍‌ କରିନିଏ, ତାହାଲେ ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେବାର ସ୍ଥିତିରେ ପହଞ୍ଚିଯିବ। (ପିଏମଜି/ଇଏସ୍‌ପି)

ସମ୍ବନ୍ଧିତ ଖବର