ମାଦ୍ରିଦ: ଲୁଇସ୍‌ ଏନରିକ୍‌ ସ୍ପେନ ଜାତୀୟ ଫୁଟବଲ୍‌ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସୋମବାର ସ୍ପେନ୍‌ ଫୁଟବଲ୍‌ ମହାସଂଘର ସଭାପତି ଲୁଇସ୍‌ ରୁବିଆଲେସ୍‌ ଏହି ଘୋଷଣା କରିଛନ୍ତି। ବାର୍ସେଲୋନା, ରିଅଲ ମାଦ୍ରିଦ ଏବଂ ସ୍ପୋର୍ଟିଂ ଗିଜନ ଦଳରୁ ଖେଳି ସାରିଥିବା ଏନରିକ୍‌ ୨୦୧୪ରୁ ୨୦୧୭ ମଧ୍ୟରେ ଦୁଇଟି ଲା ଲିଗା, ଗୋଟିଏ ଚାମ୍ପିଅନ୍ସ ଲିଗ୍‌ ଏବଂ ତିନିଟି କିଙ୍ଗ୍ସ କପ୍‌ ଜିତିଛନ୍ତି। ଏନରିକ୍‌ ସ୍ପେନ୍‌ ପକ୍ଷରୁ ୬୨ ମ୍ୟାଚ୍‌ ଖେଳି ୧୨ ଗୋଲ୍‌ ଦେଇଛନ୍ତି। ୪୮ ବର୍ଷୀୟ ଏନରିକ୍‌ ନିୟମିତ ପ୍ରଶିକ୍ଷକ ଜୁଲେନ୍‌ ଲୋପେତେଗୁଇଙ୍କ ସ୍ଥାନ ନେବେ। ଲୋପେତେଗୁଇଙ୍କୁ ସ୍ପେନ୍‌ ଫୁଟବଲ୍‌ ସଂଘ ବିଶ୍ୱକପର ମାତ୍ର ଦୁଇ ଦିନ ପୂର୍ବରୁ ବହିଷ୍କୃତ କରିଥିଲା। ହେଲେ ସ୍ପେନ୍‌ ପ୍ରି-କ୍ୱାର୍ଟରରେ ରୁଷିଆଠାରୁ ହାରି ବିଦାୟ ନେଇଥିଲା।
କାମଚଳା ପ୍ରଶିକ୍ଷକ ତଥା ପୂର୍ବ କ୍ରୀଡ଼ା ନିର୍ଦେଶକ ଫର୍ନାଣ୍ଡୋ ହିଏରୋ ତାଙ୍କ ପଦକୁ ଫେରିବାକୁ ମନା କରିଦେବା ପରେ ସ୍ପେନ୍‌ ଫୁଟବଲ୍‌ ସଂଘ ମଧ୍ୟ ଆଜି ନୂଆ କ୍ରୀଡ଼ା ନିର୍ଦେଶକ ନିଯୁକ୍ତ କରିଛି। ଜୋସ୍‌ ଫ୍ରାନସିସ୍କୋ ମୋଲିନ ଆଜି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ସ୍ପେନର ଦୁଇ ପ୍ରତିଷ୍ଠିତ କ୍ଲବ୍‌ ରିଅଲ ମାଦ୍ରିଦ ଏବଂ ବାର୍ସେଲୋନା ପକ୍ଷରୁ ଖେଳି ସାରିଥିବା ମୋଲିନୋ ହିଏରୋଙ୍କ ସ୍ଥାନ ନେବେ। ୪୭ ବର୍ଷୀୟ ମୋଲିନ ସ୍ପେନ୍‌ ଜାତୀୟ ଦଳର ପୂର୍ବତନ ଗୋଲ୍‌ ରକ୍ଷକ। ସେ ମଧ୍ୟ ଆଟଲେଟିକୋ ମାଦ୍ରିଦ ଏବଂ ଡେପୋରଟିଭୋ କୋରୁନା ଦଳରୁ ଖେଳି ସାରିଛନ୍ତି।