କବାଟ ଭାଙ୍ଗି ଅଡ଼ୁଆରେ ଲଙ୍ଗ୍‌

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତ ଶନିବାର ଖେଳା ଯାଇଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)-ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍) ମ୍ୟାଚ୍ ଅବସରରେ ଅମ୍ପାୟାର କୋଠରିର କାଚ କବାଟକୁ ଗୋଇଠା ମାରି ଅମ୍ପାୟାର ନିଗେଲ ଲଙ୍ଗ ଅଡ଼ୁଆରେ ପଡ଼ିଛନ୍ତି। ଲଙ୍ଗ ଏଥିନେଇ ହୋଇଥିବା କ୍ଷୟ କ୍ଷତିର ଆର୍ଥିକ ଭରଣା କରି ସାରିଥିଲେ ମଧ୍ୟ ବିସିସିଆଇ ତାଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଆଇସିସି ଏଲିଟ୍ ପ୍ୟାନେଲ ଅମ୍ପାୟାର ଲଙ୍ଗ୍‌’ଙ୍କର ସେଦିନ ଏକ ନୋ’ବଲ୍‌କୁ ନେଇ ଆରସିବି ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଉମେଶ ଯାଦବଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଲଙ୍ଗ ମଧ୍ୟାନ୍ତରରେ ଅମ୍ପାୟାର କୋଠରିକୁ ଯାଇ ସେଠାକାର କାଚ କବାଟକୁ ଗୋଇଠା ମାରି ରାଗ ଶୁଝାଇଥିଲେ। କବାଟର ବିଶେଷ କିଛି କ୍ଷତି ହୋଇ ନଥିଲେ ମଧ୍ୟ ଉପର ଭାଗ କାଚ ଫାଟି ଯାଇଥିଲା। କର୍ଣ୍ଣାଟକ କ୍ରିକେଟ୍ ସଂଘ ଏହି ବିଷୟରେ ବିସିସିଆଇକୁ ଜଣାଇଥିଲା। ମାମଲା ଏବେ ପ୍ରଶାସନିକ ସମିତି ପାଖରେ ରହିଛି। ସମିତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଆହ୍ବାନ କରୁଛୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି କାରଣରୁ କିନ୍ତୁ ଲଙ୍ଗଙ୍କୁ ଆଇପିଏଲ୍ ଅମ୍ପାୟାର ପ୍ୟାନେଲରୁ ହଟା ଯିବ ନାହିଁ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଆଇପିଏଲ୍ ସହ ୫୬ ଟେଷ୍ଟ, ୧୨୩ ଦିନିକିଆ ଓ ୩୨ ଟ୍ବେଣ୍ଟି-୨୦ରେ ଅମ୍ପାୟାରିଂ କରିବାର ଅଭିଜ୍ଞତା ଥିବା ଲଙ୍ଗ କବାଟର ମରାମତି ପାଇଁ କର୍ଣ୍ଣାଟକ କ୍ରିକେଟ୍ ସଂଘକୁ ୫,୦୦୦ ଟଙ୍କା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଏସ୍‌ଆରଏଚ୍ ପାଳିରେ ଉମେଶଙ୍କ ଏକ ବଲ୍‌କୁ ଲଙ୍ଗ ଭୁଲ ବଶତଃ ନୋ’ ଡାକିଥିଲେ। ଟେଲିଭିଜନ ରିପ୍ଲେରେ କିନ୍ତୁ ଏହା ଏକ ବୈଧ ବଲ୍ ଥିଲା ବୋଲି ଜଣାପଡ଼ିଥିଲା। ତଥାପି ସେ ନିଜ ନିଷ୍ପତ୍ତି ବଦଳାଇ ନଥିଲେ। ଯାହାକୁ‌ ନେଇ କୋହଲି ଓ ଉମେଶ ପ୍ରତିବାଦ କରିବା ପରେ ଉଭୟ ପକ୍ଷ ମଧ୍ୟରେ ପଡ଼ିଆ ଭିତରେ ଯୁକ୍ତିତର୍କ ହୋଇଥିଲା। ଲଙ୍ଗଙ୍କ ଏହି ନିଷ୍ପତ୍ତି ପାଇଁ ଏସ୍‌ଆରଏଚ୍‌କୁ ୫ ରନ୍ ମିଳିଥିଲା। ହେଲେ ଆରସିବି ମ୍ୟାଚ୍ ଜିତି ନେଇଥିଲା।

ସମ୍ବନ୍ଧିତ ଖବର