ଦକ୍ଷିଣ ଆଫ୍ରିକା ଚିନ୍ତା ବଢ଼ିଲା: ଦଳରୁ ବାଦ୍ ପଡ଼ିଲେ ଆହତ ଲୁଙ୍ଗି ଏନଗିଡି, ଖେଳିବେନି ଭାରତ ବିପକ୍ଷ ମ୍ୟାଚ

ଲଣ୍ଡନ୍: ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳର ସମସ୍ୟା ବଢ଼ିବାରେ ଲାଗିଛି । ଫାଫ୍ ଡୁପ୍ଳେସିସଙ୍କ ନେତୃତ୍ୱରେ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ ପରାଜୟ ପରେ ଏବେ ଦକ୍ଷିଣ ଆଫ୍ରିକାକୁ ପୁଣି ଏକ ଝଟକା ଲାଗିଛି ଏବଂ ତାହା ପୁଣି ଦଳର ତୃତୀୟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ। ଦଳର ଯୁବ ଦ୍ରୁତ ବୋଲର ଲୁଙ୍ଗି ଏନଗିଡ଼ି ଗତକାଲି ମ୍ୟାଚରେ ଆହତ ହୋଇଥିବା ଜଣାପଡ଼ିଛି । ଫଳରେ ଆସନ୍ତା ୫ ତାରିଖରେ ଭାରତ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଲୁଙ୍ଗି ଏନଗିଡ଼ି । ଏହା ଦଳ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।

ସୂଚନା ମୁତାବକ ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କ ବାମଗୋଡ଼ର ମାଂସପେଶୀ ଟାଣି ହୋଇଯାଇଛି। ଏଣୁ ସେ ମାତ୍ର ୪ ଓଭର ବୋଲିଂ କରିପାରିଥିଲେ । ଆହତ ସମସ୍ୟା ଯୋଗୁ ତାଙ୍କୁ ୧୦ଦିନ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଟିମ୍ ମ୍ୟାନେଜମେଣ୍ଟ କହିଛି ।

ସେପଟେ ଏନଗିଡିଙ୍କ ଅନୁପସ୍ଥିତିରେ ଡେଲ୍ ଷ୍ଟେନ ଭାରତ ବିପକ୍ଷ ମ୍ୟାଚରେ ଖେଳିବା ବିଶେଷ ସମ୍ଭାବନା ରହିଛି । ସେହିଭଳି ଓପନର ହାସିମ ଅମଲା ମଧ୍ୟ ଫିଟ୍ ଅଛନ୍ତି। କିନ୍ତୁ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିବା ଫାଫ୍ ଡୁପ୍ଲେସିଙ୍କ ଦଳ ୩ୟ ମ୍ୟାଚରେ ବୁଧବାର ଭାରତକୁ ଭେଟିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳର ଦଳର ଚିନ୍ତା ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର