ନୂଆଦିଲ୍ଲୀ: ୧୯୮୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ମୁକୁଟ ଜିତି ଐତିହାସିକ ସଫଳତା ହାସଲ କରିଥିଲା। ଭାରତର ଏହି ଅପୂର୍ବ ସଫଳତାରେ ସବୁଠୁ ପ୍ରଭାବୀ ବୋଲର ଥିଲେ ମଦନ ଲାଲ୍‌। ଇଂଲଣ୍ଡରେ ଆୟୋଜିତ ସେହି ସଂସ୍କରଣ ବିଶ୍ବକପ୍‌ରେ ମଦନ ଲାଲ୍‌ ୮ ମ୍ୟାଚ୍‌ ଖେଳି ୧୬.୭୬ ହାରରେ ଏବଂ ୩.୪୩ ମିତ୍ତବ୍ୟୟୀରେ ହାସଲ କରିଥିଲେ ୧୭ ୱିକେଟ୍‌। ଶ୍ରୀଲଙ୍କାର ଆଶାନ୍ତ ଡି’ମେଲ୍‌ଙ୍କ ସହ ମିଳିତ ଭାବେ ଦ୍ବିତୀୟ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ‌ବୋଲର୍ ଥିଲେ। ଅନ୍ୟତମ ଭାରତୀୟ ବୋଲର ରୋଜର ବିନ୍ନି ସର୍ବାଧିକ ୧୮ ୱିକେଟ୍ ନେଇ ଶୀର୍ଷରେ ରହିଥିଲେ। କିନ୍ତୁ ମଦନ ଲାଲଙ୍କ ପ୍ରଦର୍ଶନକୁ ପ୍ରଭାବୀ କହିବାର କାରଣ ବି ରହିଛି। ସେ ସ୍ଥିର, ସମୟୋପୋ‌ଯୋଗୀ ତଥା ଓଜନଦାର ପ୍ରଦର୍ଶନ କରି ଅନ୍ୟମାନଙ୍କଠାରୁ ଆଗରେ ରହିଥିଲେ। ଇଂଲଣ୍ଡ ବିପକ୍ଷ ‌ସେମିଫାଇନାଲ୍‌କୁ ଛାଡ଼ିଦେଲେ‌ ସେ ପ୍ରତି ମ୍ୟାଚ୍‌ରେ ୱିକେଟ୍ ନେଇଥିଲେ। ତାଙ୍କ ୧୭ ୱିକେଟ୍ ଭିତରେ ୧୧ ଜଣ ବ୍ୟାଟସମ୍ୟାନ୍‌ ୧ରୁ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିଲେ। ଶୃଙ୍ଖଳିତ ଲାଇନ୍ ଓ ଲେନ୍‌ଥ ବୋଲିଂ କରି ବ୍ୟାଟସମ୍ୟାନ୍‌ଙ୍କ ଉପରେ ଚାପ ପକାଉଥିଲେ। ୪ଟି ମ୍ୟାଚ୍‌ରେ ସେ ଓଭର ପିଛା ୩ ରନ୍‌ରୁ କମ୍ ହାରରେ ରନ୍ ବ୍ୟୟ କରିଥିଲେ। ଅନ୍ୟ ୩ ମ୍ୟାଚ୍‌ରୁ ୪ ତଳେ। ଏକମାତ୍ର ଅଷ୍ଟ୍ରେଲିଆ ବିପକ୍ଷ ନଟିଂହାମ୍ ମୁକାବିଲାରେ ସେ ୧୨ ଓଭରରେ ୬୯ ରନ୍ ବ୍ୟୟ କରିଥିଲେ। ତାଙ୍କ ଇକୋନୋମି (୩.୪୩) ବିଶ୍ବକପ୍‌ର ଦ୍ରୁତ‌‌‌ ବୋଲରଙ୍କ ହାରାହାରି (୩.୭୪) କମ୍ ରହିଥିଲା।

Advertisment

ରୋଜର ବିନ୍ନି ଅଷ୍ଟ୍ରେଲିଆକୁ ୫୨/୪ରେ ସଂଘର୍ଷ କରାଇବା ପରେ ମଧ୍ୟକ୍ରମ ଜରିଆରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତନ କରିବା ସମ୍ଭାବନା ଥିଲା। ମଦନ ଲାଲ୍ କିନ୍ତୁ ସେହି ଯୋଜନାକୁ ପଣ୍ଡ କରିଥିଲେ। ୮.୨ ଓଭର ବୋଲିଂ କରି ସେ ୩ ମେଡେନ୍ ସହିତ ୪/୨୦ ବୋଲିଂ ଚିତ୍ର ପାଇଥିଲେ। ୫ ଦିନ ଭିତରେ ସେ ଭାରତୀୟ କ୍ରିକେଟ୍‌ର ସବୁଠୁ ଐତିହାସିକ ମୁହୂର୍ତରେ ବି ଶ୍ରେଷ୍ଠତ୍ବ ଅର୍ଜନ କରିଥିଲେ। ଫାଇନାଲରେ ଭାରତ ଭେଟିଥିଲା ୨ ଥର ବିଜେତା କ୍ଲାଇବ୍ ଲୟଡଙ୍କ ୱେଷ୍ଟଇଣ୍ଡିଜ୍‌କୁ। ଭାରତ ମାତ୍ର ୧୮୩ ରନ୍ କରିବା ପରେ ବଲ୍‌ବିନ୍ଦର ସିଂହ ସାନ୍ଧୁ ପ୍ରଥମେ ଗର୍ଡନ୍ ଗ୍ରିନିଜ୍‌ଙ୍କ ୱିକେଟ୍‌ ନେଇଥିଲେ। ଦେଶମଣ୍ଡ୍ ହେନ୍ସଙ୍କ ସହିତ ଯୋଗ ଦେଇଥିଲେ ଭିଭିଆନ୍ ରିଚାର୍ଡସ। ଭଲ ବ୍ୟାଟିଂ କରିବା ପରେ ଭାରତ ପାଖରେ କିଛି ଉତ୍ତର ନଥିଲା। କିନ୍ତୁ ମଦନ ଲାଲଙ୍କ ହାତକୁ ବଲ୍‌ ଆସିବା ପରେ ସବୁ କିଛି ଓଲଟପାଲଟ୍ ହୋଇଯାଇଥିଲା। ସର୍ଟ ଏକ୍ସଟ୍ରା କଭର ଅଞ୍ଚଳରେ ବିନ୍ନିଙ୍କ ହାତରେ ଧରାପଡ଼ିଥିଲେ ହେନ୍ସ। ୭ ରନ୍ ପରେ କପିଳ ଦେବଙ୍କ ବିଖ୍ୟାତ କ୍ୟାଚ୍‌ କାରଣରୁ ବିଦାୟ ନେଇଥିଲେ ରିଚାର୍ଡସ (୩୩, ୨୮ ବଲ୍‌)। ମଦନ ଲାଲଙ୍କ ଏହି ଦ୍ବିତୀୟ ୱିକେଟ୍‌ଟି ହିଁ ୱେଷ୍ଟଇଣ୍ଡିଜ୍ ଉପରେ ଚାପ ପକାଇଥିଲା। ଏକ ଛୋଟ ଦଳ ନିକଟରୁ ହ‌ାରିଯିବାର ଚାପରେ ହିଁ ଫସିଯାଇଥିଲା। ମଦନ ଲାଲଙ୍କ କାମ ସେତିକିରେ ଶେଷ ହୋଇନଥିଲା। ମଧ୍ୟକ୍ରମରେ ସେ ପ୍ରତିଯୋଗିତାର ସବୁଠୁ ନିର୍ଭ‌ରଯୋଗ୍ୟ ତଥା ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଲରି‌ ଗୋମ୍ସଙ୍କୁ ଆଉଟ୍ କରିଥିଲେ। ଦଳୀୟ ସ୍କୋର୍‌ ଥିଲା ୬୬, ଏହା ପରେ ୱେଷ୍ଟଇଣ୍ଡିଜ୍ ଫେରି ପାରିନଥିଲା, ଆଉ ଭାରତ ଇତିହାସ ରଚିଥିଲା। ମଦନ ଲାଲ୍‌ ହିଁ ଥିଲେ ମ୍ୟାଚ୍‌ ମୋଡ଼ର ଅସଲ ନାୟକ।

ମଦନ ଲାଲ୍‌ ମଧ୍ୟ ୧୯୮୫ ମସିହାର ବେନସନ୍ ହେଜେସ୍‌ ବିଶ୍ବ ସିରିଜ୍‌ରେ ମଧ୍ୟ ନିର୍ଣ୍ଣାୟକ‌ ବୋଲର ଥିଲେ। ନ୍ୟୁଜିଲାଣ୍ଡ୍ ବିପକ୍ଷ ସିଡନି ସେମିଫାଇନାଲରେ ସେ ମାର୍ଟିନ କ୍ରୋ, ଇଆନ୍ ସ୍ମିଥ୍‌, ବିପଜ୍ଜନକ ଲାନ୍ସ କେର୍ଣ୍ଣସ ଓ ମାର୍ଟିନ ସ୍ନିଡେନ୍‌ଙ୍କୁ ଆଉଟ୍ କରି ୮ ଓଭରରେ ୪/୩୭ ବୋଲିଂ ଚିତ୍ର ସହ ଭାରତକୁ ଫାଇନାଲ୍ ପହଞ୍ଚାଇଥିଲେ। ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ୨ ବର୍ଷ ଭିତରେ ଦ୍ବିତୀୟ ଟ୍ରଫି ଜିତିଥିଲା। ଭାରତୀୟ କ୍ରୀଡ଼ା ଇତିହାସରେ ଏହା ବଡ଼ ବିଜୟର ସାକ୍ଷୀ ହୋଇରହିଛି। ଭାରତୀୟ କ୍ରିକେଟ୍‌ ଏହି ଦୁଇ ବିଜୟ ପରେ ହିଁ ଆଗକୁ ବଢ଼ିଛି।