ଗାଙ୍ଗୁଲିଙ୍କ‌ ଖେଳ ଜୀବନକୁ ବଦଳାଇ ‌ଥିଲେ ମଦନ ଲାଲ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ସୌରଭ ଗାଙ୍ଗୁଲିଙ୍କ ନାମ ଆସିଥାଏ। ଭାରତୀୟ କ୍ରିକେଟ୍‌କୁ ନୂଆ ମନୋଭାବ, ଶକ୍ତି ଓ ଦିଶା‌ ଦେଖାଇବାର ଶ୍ରେୟ ଗାଙ୍ଗୁଲିଙ୍କୁ ମିଳିଥାଏ। ୨୦୦୧ ମସିହାରେ ଅଷ୍ଟ୍ରେଲିଆରେ ‌ଟେଷ୍ଟ୍‌, ୨୦୦୨ରେ ଲର୍ଡସରେ ତ୍ରିରାଷ୍ଟ୍ରୀୟ ଟ୍ରଫି ଜିତିବାର ମୁହୂର୍ତ ଏବଂ ୨୦୦୩ ବିଶ୍ବକପ୍‌ ଉପବିଜେତା ହେବାର ଗୌରବ ସବୁ ଗାଙ୍ଗୁଲିଙ୍କ ଅଧିନରେ ହୋଇଥିଲା। ବିଶ୍ବକପ୍‌ ବିଜୟର ସ୍ବପ୍ନ ଅଧୁରା ରହିଯାଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ଗାଙ୍ଗୁଲି ତାରକା ଖେଳାଳିର ମାନ୍ୟତା ପାଇଥିଲେ। ନିଜ ଖେଳ ଜୀବନରେ ବିଶ୍ବର ଅନ୍ୟତମ‌ ଶ୍ରେଷ୍ଠ ପ୍ରାରମ୍ଭିକ ଯୋଡ଼ି ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ। ସଚିନ ତେନ୍ଦୁଲକରଙ୍କ ସହ ବହୁ ସ୍ମରଣୀୟ ଭାଗୀଦାରି ଗଢ଼ିଥିବା ଗାଙ୍ଗୁଲି‌ ଶେଷ ଭାଗକୁ ବୀରେନ୍ଦ୍ର ସେହବାଗଙ୍କ ସହ ମଧ୍ୟ ସୀମିତ ଓଭର କ୍ରିକେଟ୍‌ରେ ସଫଳ ରହିଥିଲେ। ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ମଦନ ଲାଲ୍‌ ଶୁକ୍ରବାର ଏକ ଅନାଲୋଚିତ ଦିଗ ଉପରୁ ପରଦା ଉଠାଇଛନ୍ତି। ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପରିବର୍ତେ ପାଳି ଆରମ୍ଭ କରିବାକୁ ସେ ହିଁ ପ୍ରଥମେ ଗାଙ୍ଗୁଲିଙ୍କୁ ଉତ୍ସାହିତ କରିଥିଲେ। ‘ଆମେ ଚାହୁଁଥିଲୁ ଦାଦାଙ୍କୁ ଉପଯୋଗ କରିବୁ। ତାଙ୍କର ଏ କଥା ମନେ ଅଛି କି ନା ମୁଁ ଜାଣିନି। ମୁଁ ତାଙ୍କୁ କହିଥିଲି ୫ ନମ୍ବର ସ୍ଥାନରେ ବ୍ୟାଟିଂ କଲେ କିଛି ହେବାର ନାହିଁ, ତୁମେ ସିଧାସଳଖ ପାଳି ଆରମ୍ଭ କରିବା ଉଚିତ୍‌’ ବୋଲି ମଦନ ଲାଲ୍ ପ୍ରକାଶ କରିଛନ୍ତି। ୧୯୯୬ ମସିହାରୁ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇଥିଲେ ମଧ୍ୟ ଗାଙ୍ଗୁଲି ପ୍ରଥମ କିଛି ମ୍ୟାଚ୍‌ ୩ ନମ୍ବରରେ ବ୍ୟାଟିଂ କରିଥିଲେ, ଶ୍ରୀଲଙ୍କାରେ ଅନୁଷ୍ଠିତ ସିଙ୍ଗର୍ ବିଶ୍ବ ସିରିଜ୍‌ରେ ସେ ୫ ନମ୍ବରରେ ‌ଖେଳି ସେଭଳି ଛାପ ଛାଡି ପାରିନଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ କେବଳ ଅର୍ଧଶତକଟିଏ ହାସଲ କରିଥିଲେ।

ସେହି ୧୯୯୬ ଅକ୍ଟୋବରରେ ପ୍ରଥମ ଥର ପାଇଁ ଜୟପୁରଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ପାଳି ଆରମ୍ଭ କରିଥିଲେ। ମାରାତ୍ମକ ବୋଲିଂ ଆକ୍ରମଣ ଥିବା ଏହି ଦଳ ବିପକ୍ଷରେ ଆକର୍ଷଣୀୟ ୫୪ ରନ୍ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହା ପରଠାରୁ ଗାଙ୍ଗୁଲିଙ୍କୁ ତେନ୍ଦୁଲକରଙ୍କ ସହ ନିୟମିତ ପାଳି ଆରମ୍ଭ କରିବା ସ‌ୁଯୋଗ ମିଳିଥିଲା। ‘ପ୍ରତି ଖେଳାଳିଙ୍କର ନିଜସ୍ବ ଶୈଳୀ ଥାଏ, ଗାଙ୍ଗୁଲିଙ୍କ ନିକଟରେ ସବୁ ପ୍ରକାର ଷ୍ଟ୍ରୋକ୍‌ ଥିଲା। ପ୍ରତି ବ୍ୟାଟସମ୍ୟାନ୍ ମଧ୍ୟ ୱିକେଟ୍‌ରେ କିଛି ସମୟ ବିତାଇବାକୁ ଚାହାଁନ୍ତି। ପରିସ୍ଥିତି ସହିତ ଖାପ ଖୁଆଇବା ଲାଗି କିଛି ଓଭର ଖେଳିବାକୁ ପଡ଼ିଥାଏ। ଆଜି ବି ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ରନ୍‌ କରିବାକୁ କିଛି ସମୟ ନିଅନ୍ତି’ ବୋଲି ମଦନ ଲାଲ୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର