ମଦନପୁର ଫୁଟବଲ୍ ଲିଗ୍: ଆର୍ଯ୍ୟନ-ମା’ ମଙ୍ଗଳା ମ୍ୟାଚ୍ ଅମୀମାଂସିତ ସଂଘର୍ଷର ବୃହତ୍ ବିଜୟ

ଭୁବନେଶ୍ବର: ଚତୁର୍ଥ ମଦନପୁର ଫୁଟବଲ୍ ଲିଗ୍ ରବିବାର ଉଦ୍‌ଘାଟିତ ହୋଇଛି। ନବଜ୍ୟୋତି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି ୧୨ ଦଳୀୟ ପ୍ରତିଯୋଗିତାର ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଅମୀମାଂସିତ ରହିଥିଲା ବେ‌ଳେ ଅନ୍ୟଟିରେ ସଂଘର୍ଷ କ୍ଲବ୍ ବୃହତ୍ ବିଜୟ ପାଇଥିଲା। ଆର୍ଯ୍ୟନ ଖୋର୍ଦ୍ଧା ଓ ମା’ ମଙ୍ଗଳା ଦାସପୁର ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇନପାରି ପଏଣ୍ଟ ବାଣ୍ଟିଥିଲେ। କଳିଙ୍ଗ ୟୁନାଇଟେଡ୍ ଓ ସଂଘର୍ଷ କ୍ଲବ୍ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମୁକାବିଲାରେ ସଂଘର୍ଷ ୭-୦ ଗୋଲ୍‌ ବ୍ୟବଧାନରେ ଏକତରଫା ବିଜୟ ହାସଲ କରିଥିଲା।

ରାଜେଶ ନାୟକ ପାଞ୍ଚଟି (୩, ୭, ୧୧, ୧୬, ୧୭ ମିନିଟ୍) ଓ ସୋନୁ ନାୟକ ଦୁଇଟି (୧୯, ୨୫ ମିନିଟ୍) ଗୋଲ୍ ଦେଇଥିଲେ। ସମାଜସେବୀ ମନ୍ମଥ ରାଉତରା‌ୟ, ଭୁବନେଶ୍ବର ଦୌଡ଼କୁଦ ସଂଘ ସଂପାଦକ ସୌର୍ଯ୍ୟ ରଞ୍ଜନ ପରିଜା, ଜାଁଳା ସରପଞ୍ଚ ପ୍ରଦୋଷ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ସୁଶାନ୍ତ ମିଶ୍ର, ରମେଶ ପାଇକରାୟ, ଅବିନାଶ ପଟ୍ଟନାୟକ ଓ ଅଶୋକ କୁମାର ସ୍ବାଇଁ ରେଫରି ଦାୟିତ୍ବ ତୁଲାଇଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର