ଭୁବନେଶ୍ବର: ଚଳିତ ବିସିସିଆଇ ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ସୋମବାର ଶେଷ ହୋଇଛି। ଓଡ଼ିଶା ନିଜ ୮ ଦଳୀୟ ଗ୍ରୁପ୍-ଏ’ରେ ଚତୁର୍ଥରେ ରହି ଅଳ୍ପକେ କ୍ବାର୍ଟରଫାଇନାଲ୍ ଯୋଗ୍ୟତାରୁ ବଞ୍ଚିତ ହୋଇଛି। ଆନ୍ଧ୍ରପ୍ରଦେଶ ଓ ମୁମ୍ବାଇ ଆଗକୁ ବଢ଼ିଛନ୍ତି। ଓଡ଼ିଶା ଓ ତାମିଲନାଡ଼ୁ ସମାନ ୧୬ ପଏଣ୍ଟ୍ ପାଇ ଯୁଗ୍ମ ତୃତୀୟରେ ରହିଥିବା ବେଳେ ପରସ୍ପରର ମୁକାବିଲାରେ ଓଡ଼ିଶା ହାରିଥିବାରୁ ଚତୁର୍ଥରେ ରହିଛି। ଏପରିକି ଓଡ଼ିଶା ଏନ୍ଆର୍ଆର୍ରେ ତୃତୀୟରେ ରହି ଚତୁର୍ଥ ସ୍ଥାନ ପାଇଛି। ଓଡ଼ିଶା ଦଳ କ୍ବାର୍ଟରଫାଇନାଲ୍ର ସୁଯୋଗ ପାଇ ନଥିବାରୁ ଅଧିନାୟିକା ମାଧୁରୀ ମେହେଟ୍ଟା ମନସ୍ତାପ କରିଛନ୍ତି। ‘‘୭ ମ୍ୟାଚ୍ରୁ ଆମେ ୪ ଜିତିଥିଲୁ, କିନ୍ତୁ ତାମିଲନାଡୁଠାରୁ ହାରିଥିବାରୁ ଆମକୁ ପଛରେ ରହିବାକୁ ପଡ଼ିଲା। ତଥାପି ଆମେ ଅଧିକ ଭଲ ବ୍ୟାଟିଂ କରିଥିଲେ ଆଗକୁ ବଢ଼ିପାରିଥାନ୍ତୁ। ଦଳଗତ ଭାବେ ଖେଳାଳିମାନେ ଢେର ଉନ୍ନତି କରିଥିବା ମୋ ବିଶ୍ବାସ ହୋଇଛି। ଆମ ଗ୍ରୁପ୍ରେ କୌଣସି ଦଳ ଶକ୍ତିଶାଳୀ ଆନ୍ଧ୍ରପ୍ରଦେଶକୁ ହରାଇ ନଥିଲେ। ଆମେ ଏକମାତ୍ର ଦଳ ଭାବେ ହରାଇଥିଲୁ। ଅଧିକ ଗୋଟିଏ ବିଜୟ ମିଳିଥିଲେ ଆଗକୁ ବଢ଼ିପାରିଥାନ୍ତୁ ବୋଲି ‘ସମ୍ବାଦ’ ସହ ହାଇଦ୍ରାବାଦ ବିମାନବନ୍ଦରରୁ କଥା ହେବାବେଳେ ପ୍ରକାଶ କରିଥିଲେ ଅଧିନାୟିକା ମାଧୁରୀ।
ଗ୍ରୁପ୍ ପର୍ଯ୍ୟାୟ ଶେଷରେ କିନ୍ତୁ ଓଡ଼ିଶା ଅଧିନାୟିକା ମାଧୁରୀ ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷରେ ରହି ପୁଣି ଥରେ ନିଜକୁ ଜାତୀୟ ଦଳକୁ ଫେରିବାର ଦାବି ଉପସ୍ଥାପନ କରିଛନ୍ତି। ୭ ମ୍ୟାଚ୍ରୁ ସର୍ବାଧିକ ହାରାହାରି (୪୭.୪୦)ରେ ଦୁଇଟି ଅର୍ଦ୍ଧଶତକ ସହ ୨୩୭ ରନ୍ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି। ଦୁଇ ଥର ଅପରାଜିତ ରହିବା ସହ ବ୍ୟକ୍ତିଗତ ସର୍ବୋଚ୍ଚ ୭୬ ରନ୍ର ପାଳି ଖେଳିଥିଲେ। ଏହା ପରଠାରୁ ମାଧୁରୀ ପୁଣି ଥରେ ଭାରତୀୟ ଦଳକୁ ଫେରିବେ କି ବୋଲି ମହିଳା କ୍ରିକେଟ୍ର ଅଗଣିତ ପ୍ରଶଂସକ ଆଶା ବାନ୍ଧିଛନ୍ତି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ମାଧୁରୀଙ୍କ ଖେଳ ଏବେ ବି ତେଜ ହରାଇନାହିଁ ବୋଲି ବିଶ୍ବାସ ରଖିଛନ୍ତି ସେମାନେ। କେବଳ ଏହି ଗୋଟିଏ ଋତୁ ନୁହେଁ, ପୂର୍ବରୁ ମଧ୍ୟ ମାଧୁରୀ ଏକାଧିକ ଥର ଶୀର୍ଷ ୩ ମଧ୍ୟରେ ଋତୁ ଶେଷ କରିଛନ୍ତି। କିନ୍ତୁ ତାଙ୍କୁ ଜାତୀୟ ଦଳ ପାଇଁ ବିଚାରକୁ ନିଆ ନଯିବା ସମ୍ପର୍କରେ କେହି ସ୍ବର ଉଠାଉ ନଥିବାର ସନ୍ଦେହ ଜାତ ହେଉଛି। ରାଜ୍ୟ ଖେଳାଳିଙ୍କ ହେପାଜତରେ ଥିବା ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଏ ଦିଗରେ ବିଶେଷ ଚାପ ସୃଷ୍ଟି କରିବାର ଆବଶ୍ୟକତା ଥିଲେ ମଧ୍ୟ ସେଭଳି କିଛି କରାଯାଉ ନଥିବାର ଅଭିଯୋଗ ହେଉଛି। ‘ମାଧୁରୀଙ୍କ ପ୍ରଦର୍ଶନ ନିଶ୍ଚିତ ପ୍ରଶଂସନୀୟ। ତାଙ୍କ ଜାତୀୟ ଚୟନ ପାଇଁ ମୁଁ ବି ପ୍ରୟାସ କରି ବିଫଳ ହୋଇଛି। ତଥାପି ତାଙ୍କ ପାଇଁ ସମୟ ସରିଯାଇ ନାହିଁ’ ବୋଲି ପ୍ରକାଶ କରିଛନ୍ତି ଓସିଏ ମୁଖ୍ୟ ଚୟନକର୍ତ୍ତା ରଶ୍ମିତା ମହାନ୍ତି।
ବ୍ୟକ୍ତିଗତ ଭାବେ ମାଧୁରୀ କିନ୍ତୁ ମନ ଭିତରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା କଥାକୁ ସେତେଟା ଗୁରୁତ୍ବ ଦେଇନାହାନ୍ତି। ‘ମୁଁ ଏବେ ଭାରତୀୟ ଦଳକୁ ଫେରିବା କଥା ଭାବୁନାହିଁ। ପ୍ରଥମେ ଆସନ୍ତା ମାସର ବିସିସିଆଇ ଚ୍ୟାଲେଞ୍ଜର୍ ଟ୍ରଫିରେ ସୁଯୋଗ ପାଇଲେ ଏହାର ସଦୁପଯୋଗ କରିବାକୁ ଚେଷ୍ଟା କରିବି। ଏହା ପରେ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ବି ରହିଛି। ଏହି ଦୁଇ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ଦେଖାଇ ପାରିଲେ ନିଶ୍ଚିତ ଭାରତୀୟ ଦଳରେ ଖେଳିବାକୁ ଚୟନକର୍ତ୍ତାଙ୍କ ଉପରେ ଚାପ ପକାଇପାରିବି। କ୍ରିକେଟ୍ ବ୍ୟବସ୍ଥାରେ ସେଭଳି କରିବାକୁ ହୁଏ। ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଇବାକୁ ପଡ଼େ’ ବୋଲି କହିଥିଲେ ଓଡ଼ିଶା ପୁଲିସରେ ନିଯୁକ୍ତ ବଲାଙ୍ଗୀର ଝିଅ ମାଧୁରୀ।
ସୂଚନାଯୋଗ୍ୟ, ଏକ ସାଧାରଣ ପୃଷ୍ଠଭୂମିରୁ ଆସି ଅସାଧାରଣ ପ୍ରଦର୍ଶନ ଜରିଆରେ ମାଧୁରୀ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ମହିଳା ଦଳରୁ ଖେଳିଥିଲେ। ୨୦୧୨ ମସିହା ପ୍ରାରମ୍ଭରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଅନ୍ତର୍ଜାତୀୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ସୀମିତ ସୁଯୋଗ କିନ୍ତୁ ତାଙ୍କ ପ୍ରତିଭାକୁ ପରିସ୍ଫୁଟନ ଲାଗି ଯଥେଷ୍ଟ ହୋଇ ନଥିଲା। ୫ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ସେ ସୀମିତ ରହିଥିବା ବେଳେ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଘରୋଇ କ୍ରିକେଟ୍ରେ ନିରଂତର ପ୍ରଦର୍ଶନ କରି ଆସୁଛନ୍ତି।