କଟକ : ପୁଣେରେ ଚାଲିଥିବା ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଉତ୍ତରାଖଣ୍ତକୁ ୭ ଵିକେଟରେ ହରାଇ ଓଡ଼ିଶା ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଉତ୍ତରାଖଣ୍ତ ୫ ଵିକେଟ୍‌ ବିନିମୟରେ ୨୨୭ ରନ୍‌ କରିଥିଲା। ଏଏନ୍‌ ତୋମାର ସର୍ବାଧିକ ୪୭, ସାରିକା କୋଲି ୩୭, ଜ୍ୟୋତି ଗିରି ୩୦ ରନ୍‌ କରିଥିଲା ବେଳେ ଓଡ଼ିଶାର ମଧୁସ୍ମିତା ବେହେରା ୨, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ଜବବାରେ ଓଡ଼ିଶା ବିଜୟ ଲକ୍ଷ୍ୟକୁ ୩ ଵିକେଟ୍‌ ବିନିମୟରେ ୪୬.୨ ଓଭରରେ ହାସଲ କରିଥିଲା। ମାଧୁରୀ ମେହେଟ୍ଟା ଶତକ ଅର୍ଜନ କରିଥିଲେ। ସେ ୧୦୮ ରନ୍‌ (୧୩୭ ବଲ୍‌, ୧୧ ଚୌକା, ୧ ଛକା)ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ କାଜଲ ଜେନା ୪୧, ପ୍ରଜ୍ଞା ପାରମିତା ମହାନ୍ତି ୩୧ ରନ୍‌ କରି ଦଳକୁ ଜିତାଇଥିଲେ।

Advertisment

ପୁଣି ଜାତୀୟ ଦଳକୁ ଫେରିବେ ମାଧୁରୀ!
ଦୀପାବଳିରେ ରନ୍‌ର ବିସ୍ଫୋରଣ କଲେ, ୪ ମ୍ୟାଚ୍‌ରୁ ୩୧୪ ରନ୍‌
ଭୁବନେଶ୍ବର : ୨୦୧୨ ମସିହାରେ ମାଧୁରୀ ମେହେଟ୍ଟା ଓଡ଼ିଶାବାସୀଙ୍କ ପାଇଁ ଆଣିଦେଇଥିଲେ ଏକ ଅବିସ୍ମରଣୀୟ ଉପହାର। ସେହିବର୍ଷ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବା ପାଇଁ ଉଭୟ ଦିନିକିଆ ଓ ଟି-୨୦ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ଓପନିଂ ବ୍ୟାଟର୍ ଭାବେ ସ୍ଥାନ ପାଇଥିଲେ। ସେହିବର୍ଷ ୨୭ ଫେବ୍ରୁଆରିରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି କ୍ରିକେଟରେ ସେ ୩୨ତମ ଭାରତୀୟ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଥିବା ବେଳେ ଏହାର ଦୁଇ ଦିନ ପରେ ୧୦୦ତମ ଭାରତୀୟ ମହିଳା ଖେଳାଳି ଭାବେ ମଇଦାନକୁ ଓହ୍ଲାଇଥିଲେ। ଇତିମଧ୍ୟରେ ମହାନଦୀରେ ବହୁତ ପାଣି ବହିଯାଇଛି। ୨୦୧୪ ମାର୍ଚ୍ଚରେ ବାଂଲାଦେଶ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ଭିତରେ ସେ ସମୁଦାୟ ମାତ୍ର ଦୁଇଟି ଦିନିକିଆ ଓ ୩ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ସଦସ୍ୟା ହୋଇଛନ୍ତି ସତ; ହେଲେ ବର୍ଷବର୍ଷ ଧରି ଉଭୟ ଫର୍ମାଟ୍‌ର ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ଓଡ଼ିଶା ଦଳର ବ୍ୟାଟିଂ ମଙ୍ଗ ଧରିବା ଭିତରେ ବହୁତ ସଫଳତା ପାଇଛନ୍ତି। ତାଙ୍କ ପ୍ରଦର୍ଶନକୁ ପାଥେୟ କରି ଓଡ଼ିଶା ଦଳ ବହୁ ମ୍ୟାଚ୍‌ରେ ବିଜୟୀ ହୋଇଛି। ତେବେ ଚଳିତ ଋତୁରେ ଅଦ୍ୟାବଧି ତାଙ୍କ ପ୍ରଦର୍ଶନ ଅତି ଉଚ୍ଚକୋଟୀର ହୋଇଥିବାରୁ ଭାରତୀୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଚଳିତ କ୍ରିକେଟ ଋତୁରେ ରାଜ୍ୟବାସୀଙ୍କୁ ପୁଣି ଉପହାର ଦେଇଚାଲିଛନ୍ତି ମାଧୁରୀ। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଅନ୍ତଃରାଜ୍ୟ ମହିଳା ଦିନିକିଆ କ୍ରିକେଟ୍‌ରେ ଓଡ଼ିଶା ପକ୍ଷରୁ ପାଳି ଆରମ୍ଭ କରି ମାଧୁରୀ ତାମିଲନାଡୁ, ଚଣ୍ଡିଗଡ଼, ମୁମ୍ବାଇ ଓ ଉତ୍ତରାଖଣ୍ଡ ବିପକ୍ଷରେ ଯଥାକ୍ରମେ ୪୯ (୭୮ ବଲ୍), ୭୬ (୯୭), ୮୧ (୧୧୫) ଓ ଅପରାଜିତ ୧୦୮ (୧୩୭) ରନ୍‌ କରି ପ୍ରତି ମ୍ୟାଚ୍‌ରେ ଦଳର ବିଜୟର ଅନ୍ୟତମ କାରଣ ହେବାସହ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ଜନ୍ମଦିନରେ ଶକ୍ତିଶାଳୀ ମୁମ୍ବାଇକୁ ହରାଇବାରେ ମୁଖ୍ୟ ଭୂମିକାରେ ରହିବା ପରେ ଦୀପାବଳି ଦିନ ଶତକ ହାସଲ କରି ପଡ଼ିଆରେ ରନ୍‌ର ବିସ୍ଫୋରଣ କରିଛନ୍ତି ମାଧୁରୀ। ଜାତୀୟ ମହିଳା ଦଳରେ ଏବେ ମଧ୍ୟ ଶତକ ହାସଲକାରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହୁଥିବାରୁ ମାଧୁରୀ ଜାତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିବା ନିଶ୍ଚିତ। ଅନ୍ୟ ପକ୍ଷରେ ସାଧାରଣତଃ ରୋକ୍‌ଠୋକ୍ ଆଭିମୁଖ୍ୟ ପାଇଁ ପରିଚିତ ମାଧୁରୀ ନିଜ କ୍ୟାରିୟର ପାଇଁ କୌଣସି ଲବିର ସାହାଯ୍ୟ ନନେଇ କେବଳ ରନ୍ ଉପରେ ଭରସା କରୁଥିବାରୁ ଏଥର ତାଙ୍କ ପ୍ରଦର୍ଶନ ପ୍ରତି ଯେପରି ବିସିସିଆଇର ଜାତୀୟ ଚୟନକର୍ତ୍ତାମାନେ ନ୍ୟାୟ ପ୍ରଦାନ କରନ୍ତି, ସେଥିପ୍ରତି ଓସିଏର କର୍ମକର୍ତ୍ତାମାନେ ଦୃଷ୍ଟି ଦେବାକୁ କ୍ରିକେଟପ୍ରେମୀମାନେ ଦାବି କରିଛନ୍ତି।