ନିର୍ଣ୍ଣାୟକ ମୋଡ଼ରେ ମାଧୁରୀଙ୍କ ଖେଳ ଜୀବନ, ପ୍ରଥମ ଥର ପୂର୍ବାଞ୍ଚଳ ଅଧିନାୟିକା

ଜାତୀୟ ଶିବିରକୁ ପୁଣି ଡକରା ଆସିବା ସମ୍ଭାବନା

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ଖେଳାଳି ମାଧୁରୀ ମେହେଟ୍ଟାଙ୍କ ଖେଳ ଜୀବନ ଏବେ ନିର୍ଣ୍ଣାୟକ ମୋଡ଼ ‌ନେଇଛି। ନିରଂତର ଭଲ ପ୍ରଦର୍ଶନ କରୁଥିବାରୁ ପୁଣି ଥରେ ଜାତୀୟ ଶିବିରକୁ ଡକରା ପାଇବା ସ‌ୁଯୋଗ ସୃଷ୍ଟି ହୋଇଛି। ତାଙ୍କ ପ୍ରଦର୍ଶନକୁ ଅଣଦେଖା କରାଯାଉଥିଲେ ମଧ୍ୟ ଏବେ ପୁଣି ଥରେ ତାଙ୍କ ପାଇଁ ଜାତୀୟ ଦଳରେ ସ୍ଥାନ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ଋତୁରେ ତାଙ୍କୁ ଓଡ଼ିଶା ଦଳର ନେତୃତ୍ବ ନେବାର ସୁଯୋଗ ମିଳିବା ପରେ ଆସନ୍ତା ୮ ତାରିଖରୁ ଆରମ୍ଭ ହେଉଥିବା ଅନ୍ତଃଜୋନ୍‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପାଇଁ ମାଧୁରୀଙ୍କୁ ପୂର୍ବାଞ୍ଚଳ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ଯଦି ତାଙ୍କ ପ୍ରଦର୍ଶନ ଭଲ ରୁହେ, ତାହେଲେ ଚାଲେଞ୍ଜର୍‌ ଟ୍ରଫି ଓ ଏହାପରେ ଜାତୀୟ ଶିବିରକୁ ତାଙ୍କୁ ସୁଯୋଗ ମିଳିପାରେ। ମାଧୁରୀଙ୍କ ବ୍ୟତୀତ ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ ସ୍ପିନର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ଦ୍ରୁତ ବୋଲର ରାମେଶ୍ବରୀ ନାଏକ ସ୍ଥାନ ପାଇଛନ୍ତି। ସୁଶ୍ରୀ ଦିବ୍ୟଦର୍ଶିନୀ ଷ୍ଟାଣ୍ଡବାଏ ଖେଳାଳି ଭାବେ ରହିଛନ୍ତି। ୮ ତାରିଖରେ ପୂର୍ବାଞ୍ଚଳ ପ୍ରଥମ ମ୍ୟାଚ୍‌ରେ ପଶ୍ଚିମାଞ୍ଚଳକୁ ଭେଟିବ। ପରେ ୯ ରେ ଉତ୍ତରାଞ୍ଚଳ, ୧୧ରେ କେନ୍ଦ୍ରାଞ୍ଚଳ, ୧୨ରେ ଦକ୍ଷିଣାଞ୍ଚଳ ଓ ୧୪ରେ ଉତ୍ତର-ପୂର୍ବାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳ ମ୍ୟାଚ୍‌ ଖେଳିବ। ୧୬ରେ ଫାଇନାଲ୍‌ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ।

ନିକଟରେ ଶେଷ ହୋଇଥିବା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ର ଗ୍ରୁପ୍‌ ଏ’ରେ ଓଡ଼ିଶା ୩ ବିଜୟ ଓ ୨ ପରାଜୟ ସହିତ ପଞ୍ଚମ ସ୍ଥାନରେ ରହିଥିଲା। ତେବେ ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇଯିବାରୁ ଓଡ଼ିଶା ଅଧିକ ପଏଣ୍ଟ୍‌ ପାଇପାରିନଥିଲା। ଓଡ଼ିଶା ଖେଳିଥିବା ଉକ୍ତ ୫ ମ୍ୟାଚ୍‌ରୁ ମାଧୁରୀ ୧୫୭ ରନ୍‌ ସଂଗ୍ରହ କରିଥିଲା ବେଳେ ମିଜୋରାମ୍‌ ବିପକ୍ଷରେ ୭୬* ରନ୍‌ର ଅପରାଜିତ ଅର୍ଧଶତକ ଅର୍ଜନ କରିଥିଲେ। ସେହିପରି ପ୍ରିୟଙ୍କା ପ୍ରିୟଦର୍ଶିନୀ ପୂର୍ବାଞ୍ଚଳର ସର୍ବାଧିକ ୱିକେଟ୍‌ (୧୦) ହାସଲକାରୀ ହୋଇଥିଲା ବେଳେ ରାମେଶ୍ବରୀ ୬ ୱିକେଟ ଦଖଲ କରିଥିଲେ। ଯଦିଓ ସୁଶ୍ରୀ ୯ ୱିକେଟ୍‌ ଅକ୍ତିଆର କରିଛନ୍ତି, ହେଲେ ଦଳରେ ଦୁଇ ଜଣ ସ୍ପିନରଙ୍କ ଆବଶ୍ୟକତା ଥିବାରୁ ଓଡ଼ିଶାରୁ ପ୍ରିୟଙ୍କାଙ୍କୁ ଏଥିପାଇଁ ବଛାଯାଇଥିଲା। ରାମେଶ୍ବରୀ ପ୍ରଥମ ଥର ପାଇଁ ଜୋନାଲ୍‌ ମ୍ୟାଚ୍‌ ଖେଳିବେ।

ଅନ୍ୟପକ୍ଷରେ ଦୀର୍ଘ ୪ବର୍ଷ ପରେ ଜୋନାଲ୍‌ ପ୍ରତିଯୋଗିତା ଆରମ୍ଭ ହେବ। ବିସିସିଆଇ ପକ୍ଷରୁ ଶେଷ ଥର ପାଇଁ କେରଳରେ ଜୋନାଲ୍‌ ପ୍ରତିଯୋଗିତା (ତିନି ଦିନିଆ) କରିବା ପରେ ଏହାକୁ ବନ୍ଦ କରିଦେଇଥିଲା। ଚାଲେଞ୍ଜର୍‌ ଟ୍ରଫି ନାମରେ ବିଭିନ୍ନ ବୟସ ବର୍ଗରେ ପ୍ରତିଯୋଗିତା କରାଯାଇ ଜାତୀୟ ଶିବିରକୁ ଖେଳାଳି ଚୟନ କରାଯାଉଥିଲା। ଏଥର ମ୍ୟାଚ୍‌ ସଂଖ୍ୟାରେ ବୃଦ୍ଧି କରାଯାଇ ପ୍ରଥମେ ଅନ୍ତଃଜୋନ୍‌ ଓ ଏଠାରୁ ଖେଳାଳି ଚୟନ କରାଯାଇ ଚାଲେଞ୍ଜର ଟ୍ରଫି ଆୟୋଜନ ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ତେଣୁ ପ୍ରଥମ ଥର ପୂର୍ବାଞ୍ଚଳର ନେତୃତ୍ବ ନେବାକୁ ଯାଉଥିବା ମାଧୁରୀ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛନ୍ତି। ତାଙ୍କ ମତରେ ଯଦି ବ୍ୟକ୍ତିଗତ ଭାବେ ଭଲ ଖେଳିବି ତାହେଲେ ଆଗକୁ ବଢ଼ିବା ପାଇଁ ସୁଯୋଗ ରହିବ। କିନ୍ତୁ ଦଳର ଅଧିନାୟକ ହେ‌ବା ପରେ ବ୍ୟକ୍ତିଗତ ଖେଳ ସହିତ ଦଳଗତ ପ୍ରଦର୍ଶନକୁ ବି ଧ୍ୟାନ ରଖିବାକୁ ପଡ଼ିବ। ଖେଳାଳିମାନଙ୍କଠୁ ସେମାନଙ୍କ କ୍ଷମତା ଅନୁସାରେ ଖେଳ ବାହାର କରିବାକୁ ହେବ। ଏଥିସହ ସମସ୍ତଙ୍କୁ ନିଜ ଅନୁସ‌ାରେ ଖେଳିବାକୁ ଛାଡ଼ିବାକୁ ପଡ଼ିବ। କାରଣ ସମସ୍ତେ ଜାଣିଛନ୍ତି ଏଠାରେ ଭଲ ପ୍ରଦର୍ଶନ କଲେ ଚାଲେଞ୍ଜର୍‌ ଟ୍ରଫିରେ ସୁଯୋଗ ମିଳିବ ଓ ଆହୁରି ଭଲ ଖେଳିଲେ ଜାତୀୟ ଶିବିର ଡକରା ମିଳିପାରେ। ତେଣୁ ସମସ୍ତେ ନିଜର ଶତପ୍ରତିଶତ ଦେବା ପାଇଁ‌ ଚେଷ୍ଟା କରିବେ ବୋଲି ମାଧୁରୀ କହିଛନ୍ତି।

୨୦୧୨ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭା‌ବେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୧ ଟ୍ବେଣ୍ଟି-୨୦, ୨ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଏହାପରେ ୨୦୧୪ରେ ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିବା ପରେ ଏହି ଫର୍ମାଟ୍‌ର ବିଶ୍ବକପ୍‌ ଦଳରେ ମାଧୁରୀ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ମାଧୁରୀଙ୍କ ସମସାମୟିକ ତଥା ଭାରତୀୟ ଦଳର କିଂବଦନ୍ତି ବୋଲର ଝୁଲଣ ଗୋସ୍ବାମୀ ପୂର୍ବରୁ ପୂର୍ବାଞ୍ଚଳ ‌ଦଳର ନେତୃତ୍ବ ନେଉଥିଲେ। କିନ୍ତୁ ସେ ଭାରତୀୟ ଦଳରେ ନିୟମିତ ହୋଇଯିବା ପରେ ମଧୁସ୍ମିତା ବେହେରାଙ୍କୁ ଅନେକ ଥର ଏହି ଦାୟିତ୍ବ ମିଳିଛି। ଏମାନଙ୍କ ପରଠୁ ମାଧୁରୀ ଏବେ ସବୁଠୁ ବରିଷ୍ଠ ଖେଳାଳି ଭାବେ ଦଳରେ ଥିବାରୁ ତାଙ୍କୁ ନେତୃତ୍ବ ନେବା ପାଇଁ ଚୟନକର୍ତ୍ତାମାନେ ଚାହିଁଛନ୍ତି। ଯଦିଓ ଅନୁଜା ପାଟିଲ ଅନ୍ୟତମ ବରିଷ୍ଠ‌ ଖେଳାଳି। କିନ୍ତୁ ସେ ମହରା‌ଷ୍ଟ୍ର ପକ୍ଷରୁ ପୂର୍ବରୁ ପଶ୍ଚିମାଞ୍ଚଳରେ ଖେଳିସାରିଛନ୍ତି। ଏଥର ପ୍ରଥମ ଥର ଝାଡ଼ଖଣ୍ଡ ପାଇଁ ଖେଳିଥିବାରୁ ପୂର୍ବାଞ୍ଚଳରେ ସ୍ଥାନ ପାଇଛନ୍ତି। ତେଣୁ ଅଧିନାୟିକା ପାଇଁ ମାଧୁରୀ ପ୍ରଥମ ପସନ୍ଦ ଥିଲେ।

ସେହିପରି ପୂର୍ବାଞ୍ଚଳ ଦଳରେ ଏଥର ରାମେଶ୍ବରୀଙ୍କ ବ୍ୟତୀତ ଝୁମ୍‌କି ଦେବନାଥ, ପ୍ରିୟଙ୍କା ବାଲା, ରଶ୍ମି ଦେ’, ଅଂଶୁ ଅପୂର୍ବା, ପୂଜା ଦାସ ନୂଆ ଚେହେରା ଭାବେ ସ୍ଥାନ ପାଇଛନ୍ତି। ନୂଆ ‌ଓ ପୁରୁଣା ଖେଳାଳିଙ୍କୁ ନେଇ ଦଳରେ ଭଲ ସନ୍ତୁଳନ କରାଯାଇଛି। ସମସ୍ତଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଛନ୍ତି। ତେଣୁ ମ୍ୟାଚରେ ସେମାନଙ୍କଠୁ ଭଲ କ୍ରିକେଟ୍‌ ବାହାର କରିବା ଏକ ଗୁରୁଦାୟିତ୍ବ ବୋଲି ମାଧୁରୀ କହିଛନ୍ତି। ‌ମାଧୁରୀ ବର୍ତ୍ତମାନ କମିସନରେଟ୍‌ ପୁଲିସରେ ସବ୍‌-ଇନ୍ସପେକ୍ଟର ଭାବେ ଭୁବନେଶ୍ବର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଖେଳଜୀବନକୁ ଅଧିକ ମାର୍ଜିତ କରିବାରେ ଓସିଏ ସହିତ ପୁଲିସ ପ୍ରଶାସନର ବଡ଼ ଭୂମିକା ରହିଛି। ତେଣୁ ଏଥିପାଇଁ‌ ସେ ଓସିଏ କର୍ମକର୍ତ୍ତାଙ୍କ ସହ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପୂର୍ବାଞ୍ଚଳ ଦଳ: ମାଧୁରୀ ମେହେଟ୍ଟା (ଅଧିନାୟିକା), ମିତା ପଲ୍‌ (ଉପଅଧିନାୟିକା), ଝୁମ୍‌କି ଦେବନାଥ, ପ୍ରିୟଙ୍କା ବାଲା, ରଶ୍ମି ଦେ’, ଅନୁଜା ପାଟିଲ, ଅଶ୍ବିନୀ କୁମାରୀ, ରାମେଶ୍ବରୀ ନାଏକ, ସୁକନ୍ୟା ପରିଡ଼ା, ଅଂଶୁ ଅପୂର୍ବା, ଶାନ୍ତି କୁମାରୀ, ପୂଜା ଦାସ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସାଇକା ଇଶାକ୍‌, ଦେବଜାନୀ।

ସମ୍ବନ୍ଧିତ ଖବର