ମଧ୍ୟପ୍ରଦେଶ ରଣଜୀ ଟ୍ରଫିର ନିକଟତର: ପଟିଦାର ବି ଜମାଇଲେ ଶତକ, ମଧ୍ୟପ୍ରଦେଶ ୫୩୬

‌ବେଙ୍ଗାଲୁରୁ: ଦୀର୍ଘ ୨୩ ଋତୁ ପରେ ଫାଇନାଲ୍‌କୁ ଉଠିଥିବା ମଧ୍ୟପ୍ରଦେଶ ଏବେ ରଣଜୀ ଟ୍ରଫି ବିଜୟର ଦ୍ବାରଦେଶରେ ପହଞ୍ଚିଯାଇଛି। ୪୧ ଥର ବିଜେତା ମୁମ୍ବାଇ ହାତରୁ ଏଥର ସୁଯୋଗ ହାତଛଡ଼ା ହୋଇଯାଇଛି। ପୃଥ୍ବୀ ସ’ଙ୍କ ନେତୃତ୍ବାଧୀନ ମୁମ୍ବାଇ ପ୍ରଥମ ପାଳିରେ ୩୭୪ ରନ୍‌ କରିଥିବା ବେଳେ ମଧ୍ୟପ୍ରଦେଶ ୫୩୬ ରନ୍‌ର ବିଶାଳ ସ୍କୋର ଛିଡ଼ା କରି ନିଜ ସ୍ଥିତି ଦୃଢ଼ କରିଦେଇଥିଲା। ଶନିବାର ମଧ୍ୟପ୍ରଦେଶ ଏହାର ପୂର୍ବ ଦିନର ସ୍କୋର୍‌ ୩୬୮/୩ରୁ ଖେଳିଥିଲା। ରଜତ ପଟିଦାର (୧୨୨, ୨୧୯ ବଲ୍‌, ୨୦ ଚୌକା) ଶତକ ହାସଲ କରିବାରୁ ମଧ୍ୟପ୍ରଦେଶ ବଡ଼ ଅଗ୍ରଣୀ ନେଇପାରିଥିଲା। ସାରାଂଶ ଜୈନ (୫୭, ୯୭ ବଲ୍‌, ୭ ଚୌକା) ମଧ୍ୟ ନିମ୍ନକ୍ରମରେ ଉପଯୋଗୀ ଅବଦାନ ରଖିଥିଲେ। ମୁମ୍ବାଇ ପକ୍ଷରୁ ସାମ୍ସ ମୁଲାନୀ (୫/୧୭୩) ସଫଳ ବୋଲର ରହିଥିଲେ। ପ୍ରଥମ ପାଳିରେ ୧୬୨ ରନ୍‌ ପଛରେ ପଡ଼ିଥିବା ମୁମ୍ବାଇ ଚତୁର୍ଥ ଦିନ ଶେଷ ସୁଦ୍ଧା ୨୨ ଓଭରରେ ୨ ୱିକେଟ୍ ହରାଇ ୧୧୩ ରନ୍‌ ସଂଗ୍ରହ କରିଛି। ହାତରେ ୮ ୱିକେଟ୍ ଥାଇ ତଥାପି ଏହି କୀର୍ତ୍ତିମାନଧାରୀ ଦଳ ୪୯ ରନ୍‌ ପଛରେ ରହିଛି। ରବିବାର ଶେଷ ଦିନରେ କିଛି କରିସ୍ମା ନ ହେଲେ ମଧ୍ୟପ୍ରଦେଶ ଦ୍ବିତୀୟ ଥର ପାଇଁ ବିଜେତା ହେବା ନିଶ୍ଚିତ ରହିଛି। ୧୯୯୮-୯୯ରେ ପ୍ରଥମ ଓ ଶେଷ ଥର ପାଇଁ ଫାଇନାଲ୍ ଖେଳିଥିବା ମଧ୍ୟପ୍ରଦେଶ ସେଥର ବିଜେତା ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି: ୧୨୭.୪ ଓଭରରେ ୩୭୪ (ସର୍ଫରାଜ ଖାନ୍‌-୧୩୪, ଯଶସ୍ବୀ ଜୟସ୍ବାଲ୍‌-୭୮, ଗୌରବ ୟାଦବ-୪/୧୦୬, ଅନୁଭବ ଅଗ୍ରୱାଲ-୩/୮୧, ସାରାଂଶ ଜୈନ-୨/୪୭)। ମଧ୍ୟପ୍ରଦେଶ ପ୍ରଥମ ପାଳି: ୧୭୭.୨ ଓଭରରେ ୫୩୬ (ୟାଶ ଦୁବେ-୧୩୩, ରଜତ ପଟିଦାର-୧୨୨, ଶୁଭମ ଏସ ଶର୍ମା-୧୧୬, ସାରାଂଶ ଜୈନ-୫୭, ସାମ୍ସ ମୁଲାନୀ-୫/୧୭୩, ତୁଷାର ଦେଶପାଣ୍ଡେ-୩/୧୧୮, ମୋହିତ ଅୱସ୍ତି-୨/୯୩)। ମୁମ୍ବାଇ ଦ୍ବିତୀୟ ପାଳି: ୨୨ ଓଭରରେ ୧୧୩/୨ (ପୃଥ୍ବୀ ସ’-୪୪, ଅର୍ମାନ ଜାଫର-୩୦*, ଶୁଭେଦ ପାର୍କର-୯*, ଗୌରବ ୟାଦବ-୧/୨୩, କୁମାର କାର୍ତ୍ତିକେୟ-୧/୫୦)।

ସମ୍ବନ୍ଧିତ ଖବର