ଆଉ ମାତ୍ର କେଇଟା ଦିନରେ କାନ୍ଥରୁ ବଦଳିଯିବ କ୍ୟାଲେଣ୍ଡର। କିନ୍ତୁ ଖେଳପଡ଼ିଆ ଝୁରିବ ସେହି ଖେଳ ଓ ଖେଳାଳିଙ୍କୁ, ଯେଉଁମାନେ ଛୁଇଁଥିଲେ ସଫଳତା ପରେ ସଫଳତା। ଚବିଶର ଚର୍ଚ୍ଚା ଚାଲିଯିବ କିନ୍ତୁ ବିଦାୟୀ ବର୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳି ମନେରହିବେ ଅନେକ ଦିନ। ଓଡ଼ିଶା ସମଗ୍ର ଭାବେ ଖେଳରେ ସ୍ମରଣୀୟ ଛାପ ଛାଡ଼ିପାରିନାହିଁ, କିନ୍ତୁ ବ୍ୟକ୍ତିଗତ ଭାବେ ଅମିତ ରୋହିଦାସଙ୍କ କ୍ରମାଗତ ଅଲିମ୍ପିକ୍ସ ପଦକ ରାଜ୍ୟର ଗୌରବକୁ ନୂଆ ଶିଖରରେ ପହଞ୍ଚାଇଛି। ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ଜାତୀୟ ବିଜେତା ହେବା ସହ ସନ୍ତରଣ, ଭାରୋତ୍ତୋଳନ ଓ ବ୍ୟାଡମିଣ୍ଟନ୍ ଆଦିରେ ଅପୂର୍ବ ସଫଳତା ପଚିଶ ପାଇଁ ଅସୁମାରୀ ଆଶା ସଂଚାର କରିଛି।
ହକି, ସନ୍ତରଣ, ଭାରୋତ୍ତୋଳନ, ବ୍ୟାଡ୍ମିଣ୍ଟନ୍ର ବର୍ଷ
ବେଶ କିଛି ବର୍ଷ ଧରି ଓଡ଼ିଶା ହକି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲେ ବି ଜାତୀୟ ସ୍ତରରେ ଓଡ଼ିଶାର ସଫଳତା ଗୌଣ ରହିଥିଲା। ୨୦୨୨ରେ ମହିଳା ଦଳ ଜାତୀୟ ବରିଷ୍ଠ ବର୍ଗରେ ପ୍ରଥମ ଥର ବିଜେତା ହେବାର ଦୁଇ ବର୍ଷ ପରେ ୨୦୨୪ରେ ଓଡ଼ିଶା ପୁରୁଷ ଦଳ ଜାତୀୟ ବରିଷ୍ଠ ଟ୍ରଫି ଜିତିବାର ଅପୂର୍ବ ସୁଯୋଗ ହାତେଇଛି। ପୂର୍ବାଞ୍ଚଳ ଉପକନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ସ୍ବର୍ଣ୍ଣ ଓ ବାଳକ ରୌପ୍ୟ ପଦକ ଜିତି ଭବିଷ୍ୟତର ଆଶା ବି ଦେଖାଇଛନ୍ତି। ସେହିଭଳି ଜାତୀୟ ବାଳିକା ହକିରେ ଓଡ଼ିଶା ଦଳ କାଂସ୍ୟ ପଦକ ଜିତିବାର ସୌଭାଗ୍ୟ ଆଣିଛନ୍ତି। ବ୍ୟକ୍ତିଗତ ଭାବେ ହକି ପାଇଁ ବି ଚବିଶ ଭଲ ବିତିଛି। ପ୍ରଥମ ଓଡ଼ିଆ ଭାବେ ଅମିତ ରୋହିଦାସ କ୍ରମାଗତ ଅଲିମ୍ପିକ୍ସ ପଦକ (ଟୋକିଓ ଓ ପ୍ୟାରିସ୍ରେ କାଂସ୍ୟ) ଜିତିବା ରାଜ୍ୟର ଗର୍ବ ଓ ଗୌରବ ବଢ଼ାଇଛନ୍ତି। ଏହା ପରେ ସେ ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଭାବେ ଆଉ ଏକ ସୁନେଲି ଫର୍ଦ ଯୋଡ଼ିଛନ୍ତି।
ରଗ୍ବି ରଙ୍ଗିନ
ରଗ୍ବି ଫୁଟ୍ବଲ୍ରେ ଓଡ଼ିଶାର ପ୍ରଦର୍ଶନ ପୂର୍ବଭଳି ଅତୁଟ ରହିଛି। ଜାତୀୟ ୧୫ ଜଣିଆ ପୁରୁଷ ଓ ୭ ଜଣିଆ ମହିଳା ପ୍ରତିଯୋଗିତାରେ ଓଡ଼ିଶା ଚବିଶରେ ଚାମ୍ପିଅନ୍ ହୋଇଛି। ଜାତୀୟ ବାଳିକା ପ୍ରତିଯୋଗିତାରେ ଓଡ଼ିଶାକୁ ଉପକନିଷ୍ଠରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଜାତୀୟ ପୁରୁଷ ସେଭେନ୍ସରେ ଓଡ଼ିଶା କାଂସ୍ୟ ପଦକ ହାସଲ କରିଥିଲା। ଏସୀୟ ସେଭେନ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ମହିଳା ଦଳରେ ହୁପୀ ମାଝୀ, ନିର୍ମାଲ୍ୟ ରାଉତ, ଡୁମୁନି ମାରାଣ୍ଡି ସାମିଲ ଥିବାରୁ ଓଡ଼ିଶା ବି ଗର୍ବିତ ହୋଇଛି।
ଜୁଡ଼ୋରେ ଅଭ୍ୟୁଦୟ
ଅଲିମ୍ପିକ୍ସ ଖେଳ ଜୁଡ଼ୋରେ ରାଜ୍ୟକୁ କ୍ରମେ ସଫଳତା ମିଳିବା ଆରମ୍ଭ ହୋଇଛି। ବିଦାୟୀ ବର୍ଷ ଓଡ଼ିଶା ଦଳ ଖେଲୋଇଣ୍ଡିଆ ଜୁଡ଼ୋରୁ ଏକକାଳୀନ ୮ ପଦକ ଜିତିବା ଏହି ଖେଳକୁ ଅଭ୍ୟୁଦୟ ପଥକୁ ଆଣିଛି। ଜାତୀୟ ପାରା ଜୁଡ଼ୋରେ ମୋହନ ସାହୁ ସ୍ବର୍ଣ୍ଣ ପଦକ ଜିତିବା ଏବଂ ଏସୀୟ ପାସିଫିକ ବଧିର କ୍ରୀଡ଼ାରୁ ସମ୍ବିଦ ଦାସ କାଂସ୍ୟ ପଦକ ଆଣିବା ଚବିଶକୁ ସ୍ମରଣୀୟ ରଖିଛି।
ପରଲୋକ
ଚବିଶ ବି ଛଡ଼ାଇ ନେଇଛି କିଛି ପୂର୍ବତନ ଖେଳାଳି ଓ ଖେଳ ପ୍ରଶାସକଙ୍କୁ। ଓଡ଼ିଶା ଫୁଟ୍ବଲ୍ ସଂଘ ସଭାପତି ପୂର୍ବତନ ମନ୍ତ୍ରୀ ସମୀର ଦେ ଏବଂ ଏକାଧିକ ସଂଘର ପ୍ରଶାସକ ଅଧୀପ ଦାସଙ୍କ ପରଲୋକ ଘଟିଛି ବର୍ଷର ଶେଷ ଭାଗରେ। ଦୁଇ ରଣଜୀ ଟ୍ରଫିର କ୍ରିକେଟର୍ ଶୁଭାଶିଷ ଭୂୟାଁ ଓ ରାଜେଶ ସିଂହ ବି ଛାଡ଼ି ଚାଲିଯାଇଛନ୍ତି ଏହି ବର୍ଷ।
ଶିରୋନାମରେ ସେମାନେ
କଳିକେଶ ନାରାୟଣ ସିଂହଦେଓ ଜାତୀୟ ରାଇଫଲ୍ ସଂଘ ସଭାପତି ନିର୍ବାଚିତ
ଦୂତି ଚାନ୍ଦ ସ୍ପୋର୍ଟସ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠିତ
ସାର୍ଥକ ଆର୍ଯ୍ୟାଙ୍କୁ ବିଶ୍ବ ଟିଟି କଣ୍ଟେଣ୍ଡର୍ ମୁକୁଟ
ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାର ନୂଆ କ୍ରୀଡ଼ାମନ୍ତ୍ରୀ, ଭାସ୍କରଜ୍ୟୋତି ଶର୍ମା ନୂଆ କ୍ରୀଡ଼ା ସଚିବ
ହରି ପଟ୍ଟନାୟକଙ୍କୁ ବିଶ୍ବ କରାଟେ ସଂଘ ଦେଲା ଅଷ୍ଟମ୍ ଡାନ୍ ବ୍ଲାକ୍ବେଲ୍ଟ
ଆର୍ଯ୍ୟନ ବ୍ରାହ୍ମୀନ ଜିତିଲେ ସେଣ୍ଟ୍ରାଲ୍ ଏସୀୟ ଦଳଗତ କାଂସ୍ୟ
ଅମିତ ଭୂୟାଁଙ୍କୁ ମିଷ୍ଟର୍ ଇଣ୍ଡିଆ କାଂସ୍ୟ ପଦକ
ପୋଲାଣ୍ଡ୍ ଆଇଜିପି ସୁଟିଂରେ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ରୌପ୍ୟ
ପ୍ରମୋଦ ଭଗତ ବାସନ୍ଦ
ଅନେକ ଖ୍ୟାତି ଅର୍ଜନ କରିଥିବା ଖେଳରତ୍ନ ବିଜେତା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ କ୍ରମାଗତ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାର ସ୍ବପ୍ନ ଧୂଳିସାତ୍ କରି ଦେଇଥିଲା ଚବିଶ। ସାମାନ୍ୟ ଅବହେଳା ପାଇଁ ବଡ଼ ସୁଯୋଗ ହାତଛଡ଼ା ହୋଇଯାଇଥିଲା। ୩ ଥର ଆବାସିକ ଅବସ୍ଥିତିରେ ଗଡ଼ବଡ଼ କାରଣରୁ ତାଙ୍କୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ (କାସ୍) ୧୮ ମାସ ପାଇଁ ବାସନ୍ଦ କରିଦେବାରୁ ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳିପାରିନଥିଲେ ପ୍ରମୋଦ। ବାସନ୍ଦ ପୂର୍ବରୁ ଥାଇଲାଣ୍ଡ୍ରେ ଅନୁଷ୍ଠିତ ବିଶ୍ବ ପାରା ବ୍ୟାଡମିଣ୍ଟନ୍ରେ ପ୍ରମୋଦ ଏକକରେ ସ୍ବର୍ଣ୍ଣ ସହ ପୁରୁଷ ଯୁଗଳ ଓ ମିଶ୍ରିତ ଯୁଗଳରୁ କାଂସ୍ୟ ସହ ୩ ପଦକ ଜିତିସାରିଥିଲେ। ଓଡ଼ିଶା ପାରା କ୍ରୀଡ଼ା ଦୁନିଆ ଢ଼େର ଆଗକୁ ବଢ଼ି ଚାଲିଛି ତାଙ୍କ ପ୍ରେରଣାରେ। ଜାତୀୟ ପାରା ଦୌଡ଼କୁଦରୁ ୪ ସ୍ବର୍ଣ୍ଣ ସହ ୯ ପଦକ, ଜାତୀୟ ହ୍ବିଲଚେୟାର ଫେନ୍ସିଂରେ ୧୨ ସ୍ବର୍ଣ୍ଣ ସହ ୨୮ ପଦକ, ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସରେ ସୁଚିତ୍ରା ପରିଡ଼ା ସ୍ବର୍ଣ୍ଣ ଓ କାଂସ୍ୟ ଏବଂ ଜୟନ୍ତୀ ବେହେରା ୩ ରୌପ୍ୟ ଜିତିଥିଲେ। ସେହିଭଳି ଜାତୀୟ ପାରା ସନ୍ତରଣରେ ୬ ସ୍ବର୍ଣ୍ଣ ସହ ୧୮ ପଦକ, ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଦୌଡ଼କୁଦରେ ୩ ସ୍ବର୍ଣ୍ଣ ସହ ୧୩ ପଦକ, ଜାତୀୟ ହ୍ବିଲଚେୟାର ରଗ୍ବିରେ ପ୍ରଥମ ଥର ପୁରୁଷ ଦଳ ବିଜେତା ଏବଂ ଜାତୀୟ ପାରା ସନ୍ତରଣରେ ୧୩ ସ୍ବର୍ଣ୍ଣ ସହ ୨୬ ପଦକ ଜିତିବା ପ୍ରମୋଦଙ୍କ ଦୁଃଖକୁ ଦୂର କରିଥିଲା। ଜାତୀୟ ହ୍ବିଲ୍ଚେୟାର ଫେନ୍ସିଂରେ ଓଡ଼ିଶା ଦଳଗତ ବିଜେତା ହୋଇଥିଲା। ଓଡ଼ିଶା ଖେଳାଳି ୧୨ ସ୍ବର୍ଣ୍ଣ ସହ ୨୯ ପଦକ ଜିତିଥିଲେ। ଏହାର ଏସୀୟ ପ୍ରତିଯୋଗିତାରେ ରାଖାଲ କୁମାର ସେଠୀ ଦଳଗତ କାଂସ୍ୟ, ଦଳଗତ ସାବ୍ରେ ରୌପ୍ୟ, ଭି ରାମେଶ ରାଓ ଦଳଗତ କାଂସ୍ୟ, ପବିତ୍ର ସାହୁ ଦଳଗତ ସାବ୍ରେ ରୌପ୍ୟ ଜିତିଥିଲେ। ଫ୍ରାନ୍ସରେ ଅନୁଷ୍ଠିତ ସାଟେଲାଇଟ୍ ୱିଲିୟମ୍ ଅରେଞ୍ଜ୍ ପ୍ରତିଯୋଗିତାରେ ରାଖାଲ ରୌପ୍ୟ ପଦକ ଜିତି ଅନ୍ତର୍ଜାତୀୟ ସଫଳତା ପାଇଥିଲେ। ବିଶ୍ବକପ୍ରେ ଅଂଶଗ୍ରହଣ କରି ଅଭିଜ୍ଞତା ସାଉଁଟିଥିଲେ।
ବ୍ୟାଡ୍ମିଣ୍ଟନ୍ରେ ପତ୍ରୀଙ୍କ ଆବିର୍ଭାବ
ସନତ ମିଶ୍ରଙ୍କ ଯୁଗାବସାନ ପରେ ଓଡ଼ିଶା ବ୍ୟାଡମିଣ୍ଟନ୍ ଚର୍ଚ୍ଚାକୁ ଆସିପାରିଛି ଯୁବ ଖେଳାଳିଙ୍କ ପାଇଁ। ଅଭିଜ୍ଞ ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ମର୍ଯ୍ୟାଦାଜନକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଅଲ୍ ଇଂଲଣ୍ଡ୍ରେ ଖେଳିବାର ଐତିହାସିକ କ୍ଷଣ ଆଣି ଦେଇଥିଲା ଓଡ଼ିଶା ପାଇଁ। ଶ୍ରୀଲଙ୍କାରେ ରୌପ୍ୟ ପଦକ ଜିତିବାର ସଫଳତା ବି ପାଇଥିଲେ ଏହି ଯୁଗଳ ଯୋଡ଼ି। ତନ୍ବୀ ପତ୍ରୀଙ୍କ ସଫଳତା ବି ଓଡ଼ିଆ କ୍ରୀଡ଼ାରେ ନୂଆ ଅଧ୍ୟାୟ ସଂଯୋଗ କରିଛି। ୧୫ ବର୍ଷରୁ କମ୍ ଏସୀୟ ବାଳିକା ଟ୍ରଫି ଜିତିବା ସହ ତନ୍ବୀ ଜାତୀୟ ସ୍ତରରେ ବି ୧୫ ଓ ୧୭ ବର୍ଷରୁ କମ୍ ଏକକ ବାଳିକା ଦ୍ବିମୁକୁଟ ହାସଲ କରିଥିଲେ। ତନ୍ବୀଙ୍କ ଉପସ୍ଥିତିରେ ଉତ୍ସାହିତ ଓଡ଼ିଶା ବାଳିକା ଦଳ ବି ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଦଳଗତ ଟ୍ରଫି ହାସଲ କରିଛି। ତନ୍ବୀ କିନ୍ତୁ ଭୁବନେଶ୍ବରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଏକକ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ବିଶାଖା ଟୋପ୍ପୋ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି।
ଭାରୋତ୍ତୋଳନ ଭାରି
ଚବିଶରେ ବି ଚମତ୍କାର ଫଳ ମିଳିଛି ଭାରୋତ୍ତୋଳନରୁ। ଲିମାରେ ଅନୁଷ୍ଠିତ ବିଶ୍ବ ଯୁବ ଭାରୋତ୍ତୋଳନରେ ପ୍ରୀତିସ୍ମିତା ଭୋଇ ଓ ଜ୍ୟୋସ୍ନା ଶବର ୪୦ କିଲୋଗ୍ରାମ ଓଜନ ବର୍ଗରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ଅବସରରେ ନୂଆ ଯୁବ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ। ସେହିଭଳି ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ମୀନା ସାନ୍ତା (ଏ) ଜାତୀୟ ରେକର୍ଡ ଓ ସ୍ବର୍ଣ୍ଣ ସହ ମୋଟ ୩ ପଦକ ଜିତିଥିଲେ। ଜ୍ୟୋସ୍ନା ଶବର, ସ୍ବୟମଜିତ୍ ପ୍ରସାଦ ସାହୁ ସ୍ବର୍ଣ୍ଣିମ ସଫଳତା ପାଇଥିବାବେଳେ ହୃଦାନନ୍ଦ ଦାସ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ଜାତୀୟ ସ୍ତରରେ ସୁରେଶ ୟାଦବ, ପୁନିତ ଚନ୍ଦ୍ର ସାହୁ, କୁଲଦୀପ ସାହୁ, ହୃଦାନନ୍ଦ ଦାସ, ସ୍ବୟମଜିତ୍ ସାହୁ, ହର୍ଷବର୍ଦ୍ଧନ ସାହୁ, ଜ୍ୟୋସ୍ନା ଶବର, ସଦାନନ୍ଦ ବରିହା, ସ୍ନେହା ସୋରେନ ଢ଼େର ପଦକ ଅମଳ କରିଥିଲେ। ଜ୍ୟୋସ୍ନା କିନ୍ତୁ ଶ୍ରେଷ୍ଠ ଭାରୋତ୍ତୋଳିକା ସମ୍ମାନ ଅର୍ଜନ କରିଥିଲେ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଜ୍ୟୋସ୍ନା ଶବର, ସଦାନନ୍ଦ ବରିହା ସ୍ବର୍ଣ୍ଣ ଏବଂ ପ୍ରୀତିସ୍ମିତା ଭୋଇ, ସୀନୀ ସାନ୍ତା (ଏ) ରୌପ୍ୟ ପଦକ ଜିତିଥିଲେ। ଦୀପକ କୁମାର ପ୍ରଧାନ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଭୁବନେଶ୍ବରରେ ଅନୁଷ୍ଠିତ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଅନ୍ତଃଜୋନ୍ ଲିଗ୍ରେ ଓଡ଼ିଶା ୧୬ ସ୍ବର୍ଣ୍ଣ ସହ ମୋଟ ୩୫ ପଦକ ଜିତିଥିଲା। ବରିଷ୍ଠ, କନିଷ୍ଠ ଓ ଯୁବ ବର୍ଗରେ ଓଡ଼ିଶା ଦଳଗତ ବିଜେତା ହୋଇ ତ୍ରିମୁକୁଟ ଅର୍ଜନ କରିଥିଲା। ମୀନା ସାନ୍ତା (ଏ) କନିଷ୍ଠ ବର୍ଗରେ ଏବଂ ଜ୍ୟୋସ୍ନା ଶବର ଯୁବ ବର୍ଗରେ ଶ୍ରେଷ୍ଠ ଲିଫ୍ଟର ବିବେଚିତ ହୋଇଥିଲେ। ଅକ୍ଟୋବରରେ ହିମାଚଳରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ୭ ସ୍ବର୍ଣ୍ଣ ସହ ୧୯ ପଦକ ଜିତି ବର୍ଷ ଶେଷ କରିଛି। ଜ୍ୟୋସ୍ନା ଶବର ପୁଣି ଥରେ ଯୁବ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବାବେଳେ ହୃଦାନନ୍ଦ ଦାସ କ୍ଲିନ୍ ଆଣ୍ଡ୍ ଜର୍କରେ ନୂଆ ଯୁବ ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିଲେ।
ସନ୍ତରଣରେ ଅପୂର୍ବ ସଫଳତା
ସୁଇମିଂ ପୁଲ୍ରେ ବିଦାୟୀ ବର୍ଷ ଦେଇଛି ଅପୂର୍ବ ସଫଳତା। ଜାତୀୟ ବରିଷ୍ଠ ବର୍ଗରେ ଓଡ଼ିଶା ଝିଅମାନେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ସ୍ବର୍ଣ୍ଣିମ ସଫଳତା ସହିତ। ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ ବ୍ୟକ୍ତିଗତ ଓ ଦଳଗତ ଭାବେ ଓଡ଼ିଶାକୁ ବିଜେତା କରାଇବା ସବୁଠାରୁ ଉଲ୍ଲେଖନୀୟ ରହିଛି। ପ୍ରତ୍ୟାଶା ରାୟ ପ୍ରଥମ ଓଡ଼ିଶା ମହିଳା ଭାବେ ବ୍ୟକ୍ତିଗତ ସ୍ବର୍ଣ୍ଣ ସହ ମୋଟ ୪ ପଦକ ଜିତି ଶ୍ରେଷ୍ଠ ସଫଳତା ପାଇଛନ୍ତି। ଜାତୀୟ କାନୋଇଂରେ ବି ଓଡ଼ିଶା ବିଜେତା ହେବା ଜଳକ୍ରୀଡ଼ାରେ ଓଡ଼ିଶାର ଉତ୍ଥାନକୁ ପ୍ରମାଣିତ କରିଛି।
ଚେସ୍ ଚମକହୀନ
ଅନ୍ୟତମ ଲୋକପ୍ରିୟ ଖେଳ ଚେସ୍ରେ ଦଳଗତ କି ବ୍ୟକ୍ତିଗତ ପ୍ରଦର୍ଶନ ଭଲ ବିତିନି ଚବିଶରେ। କେବଳ ଗୋଟିଏ ବର୍ଷ ଦୁଇ ଥର ଓଡ଼ିଶା ଓପନ୍ ସୋଆ ଗ୍ରାଣ୍ଡ୍ ମାଷ୍ଟର୍ ପ୍ରତିଯୋଗିତା ଏବଂ କିଟ୍ ଅନ୍ତର୍ଜାତୀୟ ଗ୍ରାଣ୍ଡ୍ମାଷ୍ଟର୍ ପ୍ରତିଯୋଗିତା ଖେଳାଯିବା ନୂଆ ଧାରା ସୃଷ୍ଟି କରିଥିଲା। ଚେସ୍ ଅଲିମ୍ପିଆଡ୍ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ମହିଳା ଦଳର ସହକାରୀ ପ୍ରଶିକ୍ଷକ ଭାବେ ଓଡ଼ିଆ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ରଙ୍କ କୃତିତ୍ବ ବିଶେଷ ଚର୍ଚ୍ଚା ଆଣିଥିଲା। ଜାତୀୟ ମହିଳା ଚେସ୍ରେ ପଦ୍ମିନୀ ରାଉତ ତୃ୍ତୀୟ ସ୍ଥାନରେ ରହିବା ରାଜ୍ୟର ସମ୍ମାନ ରଖିଥିଲା। ଦୃଷ୍ଟିହୀନ ଚେସ୍ରେ ଦୁଇ ଭାଇ ସୌନ୍ଦର୍ଯ୍ୟ ଓ ପ୍ରାଚୁର୍ଯ୍ୟ ପ୍ରଧାନଙ୍କ ସଫଳତା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜାରି ରହିଥିଲା। ଉଦୀୟମାନ ସାତ୍ତ୍ବିକ ସ୍ବାଇଁ ଫିଡେ ବିଶ୍ବକପ୍ ଏବଂ ଫିଡେ ବିଶ୍ବ କ୍ୟାଡେଟ୍ ପ୍ରତିଯୋଗିତାର ବୟସ ବର୍ଗ (୮ ବର୍ଷରୁ କମ୍)ରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତି ଭବିଷ୍ୟତ ପାଇଁ ଆଶା ଦେଖାଇଛନ୍ତି।
ସାଇକ୍ଲିଂରେ କେବଳ ସ୍ବସ୍ତି
ସାଇକ୍ଲିଂରେ କିନ୍ତୁ ଓଡ଼ିଶାର ସଫଳତା ସ୍ବସ୍ତି ସିଂହଙ୍କ ସଫଳତାରେ ସୀମିତ ରହିଯାଇଛି। ଏକାକୀ ହେଲେ ବି ସ୍ବସ୍ତି ୨୦୨୪କୁ ସ୍ମରଣୀୟ କରିଛନ୍ତି। ଜାନୁଆରିରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସ୍ବସ୍ତି ୧୦ ସ୍ବର୍ଣ୍ଣ, ୧୫ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୨୮ ପଦକ ଜିତି ସାରିଛନ୍ତି। ଏସବୁ ପଦକ ଜାତୀୟ ଓପନ୍, ୨୮ତମ ଜାତୀୟ ରୋଡ୍ ସାଇକ୍ଲିଂ, ଜୋନାଲ୍ ମହିଳା ଲିଗ୍, ଜାତୀୟ ଟ୍ରାକ୍ ମହିଳା ଲିଗ୍, ଖେଲୋ ଇଣ୍ଡିଆ ଜୋନାଲ୍ ଟ୍ରାକ୍ ମହିଳା ଲିଗ୍, ୭୬ତମ ଜାତୀୟ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରୁ ଅର୍ଜନ କରିଛନ୍ତି ଏହି ରାଉରକେଲା ଝିଅ। ବର୍ଷର ଶେଷ ଭାଗରେ ପୁରୀରେ ଜାତୀୟ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତା ଅନୁଷ୍ଠିତ ହେବା ରାଜ୍ୟର ଗୁରୁତ୍ବକୁ ବଢ଼ାଇଛି।