ଚେନ୍ନାଇ: ଗୋଟିଏ ସେକେଣ୍ଡ୍ର ମାତ୍ର କିଛିକାଂଶ ଭିତରେ ତାଙ୍କ ହାତ ଷ୍ଟମ୍ପ୍ରୁ ବେଲ୍ ଖସାଇ ଦେଉଥିଲା। ବ୍ୟାଟସମ୍ୟାନ୍ ବି ବ୍ୟାଟ୍ ଚାଳନା କରିବା କ୍ଷଣି କ୍ରିଜ୍ରେ ନିଜ ଉପସ୍ଥିତିକୁ ଅନୁଭବ କରିବାକୁ ମୁହୂର୍ତଟିଏ ପାଉଥିଲା। କିନ୍ତୁ ଧୋନିଙ୍କ ସ୍ପର୍ଶରେ ବେଲ୍ ଆଲୋକ ଜଳିବାର ପ୍ରତି ୧୦ ଥରରୁ ୯ ଥର ସଠିକ୍ ସାବ୍ୟସ୍ତ ହୋଇଛନ୍ତି। ସଦ୍ୟତମ ଶିକାର ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର କ୍ରିସ୍ ମୋରିସ୍ ଏବଂ ଶ୍ରେୟସ ଆୟର୍। ରବୀନ୍ଦ୍ର ଜାଦେଜାଙ୍କ ଗୋଟିଏ ଓଭରରେ ହିଁ ଏହି ଦୁଇ ଜଣ ଷ୍ଟମ୍ପିଂ ଆଉଟ୍ ହୋଇଛନ୍ତି। ଧୋନିଙ୍କ କ୍ଷୀପ୍ର ହସ୍ତଚାଳନା ହିଁ ବୁଧବାର ଚେପକରେ ପ୍ରଶଂସକଙ୍କୁ ଚମକାଇ ଦେଇଥିଲା। ଗୋଟିଏ ମୁହୂର୍ତରେ ସେ ଟର୍ନକୁ ଠିକଣା ଭାବେ ପଢ଼ିବା ପରେ ବଲ୍କୁ ସଂଗ୍ରହ କରିବା ଏବଂ ବେଲ୍କୁ ଖସାଇବା ଧୋନିଙ୍କ ପାଇଁ ଯେଭଳି ଅତି ସରଳ ସୂତ୍ର ଭଳି ହୋଇଛି। ଗରିଲା ଶ୍ରେଣୀୟ ଜନ୍ତୁ ତଥା ଜାପାନି ସାମରିକ କଳା ଭାବେ ପରିଚିତ ନିଞ୍ଜା ଯେଭଳି ମାରାତ୍ମକ ଧୋନିଙ୍କ ୱିକେଟରକ୍ଷଣ ଶୈଳୀ ସେଭଳି ବୋଲି ମଧ୍ୟ ଚର୍ଚ୍ଚା ହୋଇଛି। ‘ଏହା ଟେନିସ୍ ବଲ୍ କ୍ରିକେଟ୍ରୁ ଆସିଛି, ଯାହାକୁ ମୁଁ ଢ଼େର ଖେଳିଛି’ ବୋଲି ଧୋନି ବୁଧବାର ପ୍ରକାଶ କରିଥିଲେ। ମୌଳିକତାକୁ ସଠିକ ରଖି ଏହାକୁ ପରବର୍ତୀ ସ୍ତରକୁ ନିଆଯାଇଛି। ଫ୍ଲିକ୍ ଖେଳିବା ସମୟକୁ ଯଦି କମ୍ କରାଯାଇ ପାରିବ ତେବେ ଏହା ସହାୟକ ହୋଇଥାଏ ବୋଲି ମଧ୍ୟ ଧୋନି ପ୍ରକାଶ କରିଥିଲେ। ସେହିଭଳି ନିଜ ଶେଷ ଓଭର ବ୍ୟାଟିଂ ସମ୍ପର୍କରେ ମଧ୍ୟ ଧୋନି କହିଥିଲେ, ‘ବଲ୍କୁ ଦେଖ, ବଲ୍କୁ ପିଟ’ ମୋ ଯୋଜନା ଥିଲା। ବୁଧବାର ଟ୍ରେଣ୍ଟ ବୋଲଟଙ୍କ ଶେଷ ଦୁଇ ବଲକୁ ଛକା ମାରିବା ସହିତ ୨୦ ରନ୍ ଆଦାୟ କରିଥିଲେ ଧୋନି।
ବୁଧବାର ଧୋନିଙ୍କ ଏହି ଦୁଇ ଷ୍ଟମ୍ପିଂ ମଧ୍ୟ ପ୍ରଶଂସାର ଖୋରାକ ଯୋଗାଇଛି। ‘ଏହା ଆଶ୍ଚର୍ଯ୍ୟଭରା ଏବଂ ଚମକଦାର’ ବୋଲି ଅଭିହିତ କରିଛନ୍ତି ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସ ସାଥୀ ସୁରେଶ ରାଇନା। ଏହା (ୱିକେଟରକ୍ଷଣ) ହିଁ ଫରକ ପକାଇଥାଏ। ତାଙ୍କ ଦକ୍ଷତାକୁ ନେଇ ମୁଁ ଖୁସୀ। ତାଙ୍କ ଦକ୍ଷତା ମସ୍ତିସ୍କଠାରୁ ବି ଉନ୍ନତ। ତାଙ୍କୁ ଭଲ ଭାବରେ ଜଣାପଡ଼େ କେଉଁ ବଲ୍ ମିଡଲ୍ ଷ୍ଟମ୍ପ୍ରୁ ଏବଂ କେଉଁ ବଲ୍ ଲେଗ୍ ଷ୍ଟମ୍ପ୍ରୁ ଟର୍ନ କରିବ। ତାଙ୍କ ଗତି ମଧ୍ୟ ଚମତ୍କାର। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅମ୍ବାତି ରାୟୁଡୁ ଏଭଳି ସୁଯୋଗ ହାତଛଡ଼ା କରିଥିଲେ। ୱିକେଟରକ୍ଷଣ ହିଁ ଏମ୍ଏସ୍ଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ବୋଲି ରାଇନା ପ୍ରକାଶ କରିଥିଲେ। ଧୋନିଙ୍କ ଅନ୍ୟତମ ଚେନ୍ନାଇ ସୁପର୍ କିଙ୍ଗସ ସାଥୀ ସାମ୍ ବିଲିଙ୍ଗସ ମଧ୍ୟ ପ୍ରଶଂସା କରିଛନ୍ତି। ‘ଲୋକମାନେ ବୁଝିପାରନ୍ତି ନାହିଁ ଏତେ କଷ୍ଟକର କାମକୁ ସେ କିଭଳି ସହଜରେ କରିଦିଅନ୍ତ’ ବୋଲି ଏହି ଇଂଲଣ୍ଡ ବ୍ୟାଟସମ୍ୟାନ୍ ତଥା ୱିକେଟରକ୍ଷକ ପ୍ରକାଶ କରିଛନ୍ତି। ଧୋନିଙ୍କ ବିନା ଚେନ୍ନାଇ ସୁପର୍ କିଙ୍ଗ୍ସ ଚଳିତ ଋତୁରେ ଖେଳିଥିବା ୨ ମ୍ୟାଚ୍ (ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ)କୁ ହାରିଯାଇଥିଲା। ଏ ସମ୍ପର୍କରେ ରାଇନା କହିଛନ୍ତି, ‘ଅଧିନାୟକ ଭାବେ ତାଙ୍କ ବିନା ଖେଳିବା ଏକ ପ୍ରସଙ୍ଗ ନୁହେଁ, କିନ୍ତୁ ବ୍ୟାଟସମ୍ୟାନ୍ ଭାବେ ତାଙ୍କ ବିନା ଖେଳିବା କଷ୍ଟକର’। ଏହି କାରଣରୁ ଆମେ ଉପରୋକ୍ତ ୨ ମ୍ୟାଚ୍ ହାରିଥିଲୁ। ତାଙ୍କ ବିନା ଆମେ ପ୍ରତିପକ୍ଷ ଉପରେ ଚାପ ପକାଇବାରେ ବିଫଳ ହେଉଛୁ ବୋଲି ରାଇନା ମଧ୍ୟ ସ୍ବୀକାର କରିଛନ୍ତି।