ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଗଲ୍ଫ ପ୍ରେମ: ମାଡ୍ରାସରେ ଗଢ଼ିଥିଲେ କ୍ଲବ୍

ପାରଳାଖେମୁଣ୍ତି: ଗଜପତି ରାଜ ପରିବାର କ୍ରୀଡ଼ାର ବିକାଶ ଓ ଏଥିପାଇଁ ପ୍ରୋତ୍ସାହନ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ଇତିହାସରୁ ଜଣାପଡ଼େ। ତେବେ ଅନେକ ଜାଣନ୍ତି ନାହିଁ, କ୍ରିକେଟ୍‌ ଏବଂ ଲନ୍‌ଟେନିସ୍‌ ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଗଲ୍ଫ ଖେଳ ପ୍ରତି ମଧ୍ୟ ବିଶେଷ ଦୁର୍ବଳତା ଥିଲା। ପାରଳାଖେମୁଣ୍ତିରେ ଗଲ୍ଫ ଖେଳିବା ପାଇଁ ଭିତ୍ତିଭୂମି ନଥିବା ଯୋଗୁଁ ମହାରାଜା ୧୯୪୯ରେ ମାଡ୍ରାସରେ ଏକ ଗଲ୍ଫ କ୍ଲବ୍‌ ଆରମ୍ଭ କରିଥିଲେ। ସେହି କ୍ଲବ୍‌ର ପ୍ରଥମ ତଥା ପ୍ରତିଷ୍ଠାତା ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ପରବର୍ତ୍ତୀ ସମୟରେ ସେ ସଭାପତି ଦାୟିତ୍ବ ବିଜୟନଗରମ୍‌ ରାଜାଙ୍କୁ ହସ୍ତାନ୍ତର କରିଥିଲେ।

ଗଲ୍ଫ ଖେଳ ପ୍ରତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସେତେବେଳେ ଆଗ୍ରହ ଜନ୍ମିଥିଲା, ଯେତେବେଳେ ସେ ୧୯୩୦ ମସିହାରେ ଇଂଲଣ୍ତ ଯାଇଥିଲେ। ସେହି ସମୟରୁ ଗଲ୍ଫ ଭିତ୍ତିଭୂମି ବିକାଶ ଓ ଏହି ଖେଳକୁ ପ୍ରୋତ୍ସାହନ ଦେବା ଦିଗରେ ମହାରାଜାଙ୍କ ଆଗ୍ରହ ବଢ଼ିଥିଲା। ମାଡ୍ରାସରେ ଏଥିପାଇଁ ସେ ଭିତ୍ତିଭୂମି ପ୍ରତିଷ୍ଠା ଆରମ୍ଭ କରିଥିଲେ। ମାଡ୍ରାସ୍‌ ଗଲ୍ଫ କ୍ଲବ୍‌ର ତଥ୍ୟ ଅନୁସାରେ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୫ରୁ ୬ଥର ଏହି କ୍ଲବ୍‌ର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ବର୍ଷ ଗୁଡ଼ିକରେ ସମୟ ଅଭାବ ଯୋଗୁଁ ମହାରାଜା ଗଲ୍ଫ ଖେଳିବାକୁ ସୁଯୋଗ ପାଇପାରି ନଥିଲେ।

ସମ୍ବନ୍ଧିତ ଖବର