ତରାନ୍ନା ଓ ଦୁର୍ଗାଦତ୍ତଙ୍କୁ ମହାସୁଆର ସମ୍ମାନ

ଭୁବନେଶ୍ୱର: ଉଦୀୟମାନ ମହିଳା କ୍ରିକେଟର୍‌ ତରାନ୍ନା ପ୍ରଧାନ ଏବ˚ ବିସିସିଆଇ ପ୍ୟାନେଲ୍ ଅମ୍ପାୟାର‌୍‌ ‌ଦୁର୍ଗାଦତ୍ତ ଦାସଙ୍କୁ ମିଳିବ ବିଗତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’। ୧୭ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର‌୍‌ ବର୍ଗ ଲାଗି ତରାନ୍ନା ଏବ˚ ଶ୍ରେଷ୍ଠ ଅମ୍ପାୟାର‌୍‌ ଭାବେ ଦୁର୍ଗାଦତ୍ତ ମନୋନୀତ ହୋଇଛନ୍ତି। କରୋନା ପାଇଁ ସ୍ଥଗିତ ଥିବା ୨୦୨୦ ମସିହାର ଏହି ପୁରସ୍କାର ଉତ୍ସବ ଆସନ୍ତା ୨୧ ତାରିଖ (ରବିବାର) ପୁରୁଣା ଭୁବନେଶ୍ବରସ୍ଥିତ ଟାଉନ୍‌ କ୍ଲବ୍‌ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି।

ଓଡ଼ିଶା ପାଇଁ ନିୟମିତ ଖେଳି ଆସୁଥିବା ୨୦ ବର୍ଷୀୟା ଅଲରାଉଣ୍ଡର୍‌ ତରାନ୍ନା ଗତ ୨୦୧୮-୧୯ ଋତୁରେ ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିରେ ଇଣ୍ଡିଆ ବ୍ଲୁ ପାଇଁ ଖେଳିବାର ସୌଭାଗ୍ୟ ପାଇଥିଲେ। ଏହି ଚର୍ଚ୍ଚିତ ଋତୁରେ ତରାନ୍ନା ନିଜ ମଧ୍ୟମଗତି ବୋଲିଂ ଜରିଆରେ ୨୩ ବର୍ଷରୁ କମ୍‌ ବର୍ଗରେ ସୀମିତ ଓଭରରେ ୧୩ ମ୍ୟାଚ୍‌ରୁ ୨୦ ୱିକେଟ୍ ଏବଂ ୧୯ ବର୍ଷରୁ କମ୍‌ ଦିନିକିଆରେ ୮ ମ୍ୟାଚ୍‌ରୁ ସର୍ବାଧିକ ୧୨ ୱିକେଟ୍ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ଗାୟତ୍ରୀ ପ୍ରଧାନଙ୍କ କନ୍ୟା ତରାନ୍ନା ଭୁବନେଶ୍ବର ଇନ୍ଦିରା ମଇଦାନ ଜାଗୃତି କ୍ରିକେଟ୍‌ ଏକାଡେମି ପ୍ରଶିକ୍ଷକ କ୍ଷୀରୋଦ ବେହେରାଙ୍କ ଅଧିନରେ ତାଲିମ ନେଇ ଆଗକୁ ବଢ଼ିଛନ୍ତି।

ସେହିଭଳି ୨୦୧୨ ମସିହାରୁ ଓସିଏ ପ୍ୟାନେଲ୍ ଅମ୍ପାୟାର୍‌ ଥିବା ଦୁର୍ଗାଦତ୍ତ ଦାସ ୨୦୧୯ ମସିହାରେ ବିସିସିଆଇ ପ୍ୟାନେଲ୍ ଅମ୍ପାୟାର ହେବାର ଗୌରବ ଅର୍ଜନ କରିଥିଲେ। ଅଦ୍ୟାବଧି ବିସିସିଆଇର ସିନିୟର୍‌ ମହିଳା ଟି-୨୦, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, କୁଚ ବେହାର ଟ୍ରଫି, ୨୩ ଓ ୧୯ ବର୍ଷରୁ କମ୍‌ ମହିଳା ଟି-୨୦ ପ୍ରତିଯୋଗିତାରେ ୫୫ ମ୍ୟାଚ୍‌ ପରିଚାଳନା କରିଛନ୍ତି। ଓସିଏ ଅମ୍ପାୟାର୍‌ ଭାବେ ୨୦୦ରୁ ଊର୍ଧ୍ବ ମ୍ୟାଚ୍‌ ପରିଚାଳନା କରି ସାରିଛନ୍ତି।

ସୂଚନାଯୋଗ୍ୟ, ଶ୍ରେଷ୍ଠ ଯୁବ କ୍ରିକେଟ୍‌ର ପୁରସ୍କାରକୁ ପୂର୍ବରୁ ଦୀପକ ମଙ୍ଗରାଜ, ପରେଶ ପଟେଲ, ଆତିଶ ଜେନା, ଆଲୋକ ସାହୁ-ଆଲୋକ ମଙ୍ଗରାଜ, ହଳଧର ଦାସ, ବସନ୍ତ ମହାନ୍ତି, ନଟରାଜ ବେହେରା, ସୌମେନ୍ଦ୍ର ଦାସ, ମାଧୁରୀ ମେହେଟା, ରୋସନାରା ପରବିନ୍‌, ସ୍ବାଗତିକା ରଥ, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ର˚ଜିତ ସି˚ହ, ପ୍ରୀତ ସି˚ହ କଁଵର, ରଘୁନାଥ ମଲ୍ଲ, ସ୍ବସ୍ତିକ ସାମଲଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅମ୍ପାୟାର ପୁରସ୍କାରକୁ ବିଗତ ବର୍ଷ ଗୁଡ଼ିକରେ ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନସିସ୍‌, ବିଭୂ ଶତପଥୀ, ପରାସର ବିଶ୍ବାଳ, ଚଣ୍ଡୀପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବିତ୍ର ପ୍ରଧାନ, ଶରତ କୁମାର ସାହୁ, ନିର୍ମଳ ମିଶ୍ର, ସତ୍ୟନ୍ଦ୍ର ମୋହନ ମହାନ୍ତି-ଅନନ୍ତ ବାସୁବେଦ ମିଶ୍ର ପାଇଥିଲେ। ସୂଚନାଯୋଗ୍ୟ, ଜଣାଶୁଣା ଅମ୍ପାୟାର ସରୋଜ ମହାସୁଆର ୨୦୦୨ ମସିହାରେ କଟକରେ ଅନ୍ତଃଜିଲା ପ୍ରତିଯୋଗିତାର ଏକ ମ୍ୟାଚ୍‌ ପରିଚାଳନା କରି ଭୁବନେଶ୍ବର ଫେରୁଥିବା ବେଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର