ଫୁଟ୍ବଲ୍ ଖେଳକୁ ଖୁବ୍ ସମ୍ମାନ କରୁଥିବା ଦେଶ ବ୍ରାଜିଲ୍ର ଜଣେ ଯୁବ କ୍ରୀଡ଼ାବିତ୍ ସେ ଦେଶର ଏକ ଜନପ୍ରିୟ ଦଳରେ ସାମିଲ ହୋଇଛନ୍ତି। ସେହି ଖେଳାଳିଙ୍କ ନାମ ଭାରତୀୟମାନଙ୍କ ପାଇଁ ଆକର୍ଷଣର ବିଷୟ ହୋଇଛି। ‘ତ୍ରିନ୍ଦେଦ୍’ ନାମକ ଫୁଟ୍ବଲ୍ କ୍ଲବ୍ର ସେହି ନୂଆ ଖେଳାଳିଙ୍କ ନାମ ହେଉଛି ମହାତ୍ମା ଗାନ୍ଧୀ (ପୂରା ନାମ ‘ମହାତ୍ମା ଗାନ୍ଧୀ ହବେର୍ପିଓ ମାଟୋସ୍ ପାଇରେସ୍’)। ଏହି ୩୧ ବର୍ଷୀୟ ମଧ୍ୟମ କ୍ଷେତ୍ର ଖେଳାଳି ଜଣକ ୨୦୧୧ ମସିହାରେ ବ୍ରାଜିଲ୍ର ଅନ୍ୟତମ ଫୁଟ୍ବଲ୍ କ୍ଲବ୍ ‘ଆଟ୍ଲେଟିକୋ କ୍ଲବ୍ ଗଏନିଏନ୍ସ’ ପାଇଁ ଖେଳିବା ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୧୮୯୩ରୁ ୧୯୧୫ ଯାଏ ଦକ୍ଷିଣ ଆଫ୍ରିକାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ରହଣି କାଳ ଭିତରେ ସେଠାରେ ‘ପାସିଭ୍ ରେଜିଷ୍ଟର୍ସ ଫୁଟ୍ବଲ୍ କ୍ଲବ୍’ର ତିନିଟି ଦଳ ଗଠନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।
ସେହିପରି ୧୮୯୬ ମସିହାରେ ସେଠାରେ ‘ଟ୍ରାନଭର୍ସାଲ୍ ଇଣ୍ଡିଆନ୍ ଫୁଟ୍ବଲ୍ ଆସୋସିଏସନ୍’ ସ୍ଥାପନରେ ମଧ୍ୟ ଗାନ୍ଧୀଜୀ ସହଯୋଗ କରିଥିଲେ। ବର୍ତ୍ତମାନ ଯୁବ ‘ମହାତ୍ମା ଗାନ୍ଧୀ’ଙ୍କୁ ଦଳରେ ସ୍ଥାନ ଦେଇଥିବା ଏହି ବ୍ରାଜିଲୀୟ କ୍ଲବ୍ରେ ଆହୁରି ରୋଚକ ନାମଧାରୀ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ‘ଜନ୍ ଲେନନ୍ ସିଲ୍ଭା ସାଣ୍ଟୋସ’ ଯାହାଙ୍କ ନାମ ମହାନ ‘ବିଟଲ୍ସ’ ବ୍ୟାଣ୍ଡ୍ ଗାୟକ ‘ଜନ୍ ଲେନନ୍’ଙ୍କ ଦ୍ବାରା ଅନୁପ୍ରାଣିତ। ସେହିପରି ଇହୁଦୀ ସମ୍ରାଟ ‘ବେନ୍ ହୁର୍’ଙ୍କ ନାମରେ ‘ବେନ୍ ହୁର୍ ମୋରେଇରା ପେରେସ୍’ ଓ ମହାନ୍ ଆମେରିକୀୟ ଅଭିନେତା ‘ମାର୍ଲନ୍ ବ୍ରାଣ୍ଡୋ’ଙ୍କ ନାମରେ ଜଣେ ଖେଳାଳି ରହିଛନ୍ତି।