ଟେଷ୍ଟ୍ ୫ ଦିନିଆ ରହିବା ଉଚିତ୍‌: ଜୟବର୍ଧନେ

ଟେଷ୍ଟ୍ କ୍ରିକେଟ୍‌କୁ ଏକୁଟିଆ ଛାଡ଼ିଦିଅ: ବୋଥାମ

ଦୁବାଇ : ଟେଷ୍ଟ୍‌ କ୍ରିକେଟ୍‌କୁ ୪ ଦିନିଆ କରିବା ପାଇଁ ପ୍ରଥମେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପ୍ରସ୍ତାବ ଦେବା ପରେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏହାକୁ କାର୍ଯ୍ୟକାରୀ କରିବାର ଯୋଜନା କରୁଛି। ‌ହେଲେ ଆଇସିସିର ଏଭଳି ଯୋଜନାକୁ କେତେକ ସମର୍ଥନ ଦେଉଥିଲା ବେଳେ ଅଧିକାଂଶ ନାପସନ୍ଦ କରୁଛନ୍ତି। ଏଭଳି ସମୟରେ ଆଇସିସି କ୍ରିକେଟ୍ ସମିତିର ସଦସ୍ୟ ମାହେଲା ଜୟବର୍ଧନେ ବୁଧବାର ଟେଷ୍ଟ୍ କ୍ରିକେଟ୍‌ ୫ ଦିନିଆ ରହିବା ଉଚିତ ବୋଲି ମତ ରଖିଛନ୍ତି। ଶ୍ରୀଲଙ୍କାର ଏହି ପୂର୍ବତନ ଅଧିନାୟକ ଅବଶ୍ୟ ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି କହିବା ସାଙ୍ଗକୁ ଆଇସିସିର ପରବର୍ତ୍ତୀ ବୈଠକରେ ଏ ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ଆଇସିସି କ୍ରିକେଟ୍‌ କମିଟିର ମୁଖ୍ୟ ଥିଲା ବେଳେ ସେମଧ୍ୟ ଏଭଳି ପ୍ରସ୍ତାବ ଉପରେ ପରବର୍ତୀ ଆଇସିସି ବୈଠକ (ମାର୍ଚ ୨୭ରୁ ୩୧, ଦୁବାଇ)ରେ ଆଲୋଚନା କରାଯିବ ବୋଲି କହିଛନ୍ତି। କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜୟବର୍ଧନେଙ୍କ ବ୍ୟତୀତ ଆଣ୍ଡ୍ର୍ୟୁ ଷ୍ଟ୍ରସ, ରାହୁଲ ଦ୍ରାବିଡ ଓ ସନ୍ ପୋଲକ ରହିଛନ୍ତି।

ଟେଷ୍ଟ୍ କ୍ରିକେଟ୍‌କୁ ଏକୁଟିଆ ଛାଡ଼ିଦିଅ: ବୋଥାମ
ଇଂଲଣ୍ଡର କିଂବଦନ୍ତି ଅଲରାଉଣ୍ଡର ସାର୍ ଇଆନ୍ ବୋଥାମ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌ର ଉଦାହରଣ ଦେବା ସହିତ ଟେଷ୍ଟ୍ କ୍ରିକେଟ୍‌କୁ ଏକୁଟିଆ ରହିବାକୁ ଛାଡ଼ିଦିଅ ବୋଲି କହିଛନ୍ତି। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ ପଞ୍ଚମ ଦିନର ଶେଷ ବେଳକୁ ଫଳାଫଳ ଆସିଥିଲା। ୧୪୩ ବର୍ଷ ଧରି (୧୮୭୭ରୁ ଆରମ୍ଭ) ଟେଷ୍ଟ୍ ମ୍ୟାଚ୍ ୫ ଦିନିଆ ରହିଆସିଥିବା ବେଳେ ଏହା ବଦଳରେ ଆଇସିସି କ୍ରିକେଟ୍ ସମିତି ୨୦୨୩ରୁ ୨୦୩୧ ଚକ୍ର ପାଇଁ ୪ ଦିନିଆ ଟେଷ୍ଟ ପାଇଁ ପ୍ରସ୍ତାବ ଦେଇଛି। ଏ କ୍ଷେତ୍ରରେ ଆଇସିସି ଦ୍ବାରା ଅଣାଯାଇଥିବା ପ୍ରସ୍ତାବକୁ ବିରୋଧ କରୁଥିବା ବିରାଟ କୋହଲି, ସଚିନ ତେନ୍ତୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ବିବୃତ୍ତିକୁ ସମର୍ଥନ ଜଣାଇଛନ୍ତି ବୋଥାମ।

ସମ୍ବନ୍ଧିତ ଖବର