ଧୋନିଙ୍କୁ ନେଇ ଗର୍ବିତ, ହକ୍‌ର ସମ୍ମାନ ମିଳିବ : ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଚର୍ଚା ଥମିବାର ନାଁ ଧରୁନାହିଁ। ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଏଥିନେଇ ମୁହଁ ଖୋଲିଛନ୍ତି। ଧୋନି ଯେଉଁ ସମ୍ମାନର ହକ୍‌ଦାର ତାଙ୍କୁ ତାହା ମିଳିବ ବୋଲି ଗାଙ୍ଗୁଲି ମତ ରଖିଛନ୍ତି। ସେ କହିଛନ୍ତି, ଧୋନିଙ୍କ ମନରେ କ’ଣ ଅଛି, ମୁଁ ତାହା ଜାଣିନାହିଁ। ଧୋନିଙ୍କ ଭଳିଆ ଖେଳାଳି ପାଇ ଭାରତ ଗର୍ବିତ। ଜଣେ ଚାମ୍ପିଅନ୍‌ ଖେଳାଳିଙ୍କ ଖେଳ ଶୀଘ୍ର ଶେଷ ହୋଇନଥାଏ। ମୁଁ ଥିଲାଯାଏ ସମସ୍ତଙ୍କୁ ସମ୍ମାନ ମିଳିବ। ଧୋନିଙ୍କ ସଫଳତା ପାଇଁ ଆମେ ସମସ୍ତେ ତାଙ୍କୁ ନେଇ ଗର୍ବ କରିବା ଉଚିତ। ଧୋନିଙ୍କ ସହ ସେ ଖୁବଶୀଘ୍ର ଆଲୋଚନା କରିବେ ବୋଲି ଗାଙ୍ଗୁଲି ଜଣାଇଥିଲେ। ସେ କହିଥିଲେ, ମୁଁ ତାଙ୍କ ସହ କଥା ହେବି। ଭାରତୀୟ କ୍ରିକେଟର ଅନ୍ୟତମ ମହାନ ତାରକାଙ୍କ ସହ ମୁଁ ନିଶ୍ଚିତ କଥା ହେବି। ଧୋନିଙ୍କ ପ୍ରତ୍ୟାବର୍ତନ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ଗାଙ୍ଗୁଲି ନିଜର ଉଦାହରଣ ଦେଇଥିଲେ। ମୁଁ ଯେତେବେଳେ ଦଳରୁ ବାଦ୍‌ ପଡ଼ିଥିଲି, ଆଉ ଫେରି ପାରିବି ନାହିଁ ବୋଲି ସମଗ୍ର ବିଶ୍ବ କହିଥିଲା। ହେଲେ ମୁଁ ଦଳକୁ ଫେରି ଢେର କିଛି ସମୟ ଖେଳିଥିଲି। ଧୋନିଙ୍କର ମଧ୍ୟ ଏଭଳି କରିବାର ଶକ୍ତି ଏବଂ ସାମର୍ଥ୍ୟ ରହିଛି।

ସମ୍ବନ୍ଧିତ ଖବର