କପିଳ ଦେବଙ୍କ ପରେ ଦ୍ବିତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଭାରତକୁ ୨୮ ବର୍ଷ ପରେ ୨୦୧୧ ମସିହାରେ ଦିନିକିଆ ବିଶ୍ବକପ୍ ବିଜୟୀ କରାଇଥିଲେ। କପିଳଙ୍କ ଭଳି ଧୋନି ମଧ୍ୟ ଏକ ଛୋଟ ସହରରୁ ଆସି ବଡ଼ ତାରକା ପାଲଟିଥିଲେ। ୧୯୮୧ ମସିହା ଜୁଲାଇ ୭ ତାରିଖରେ ତତ୍କାଳୀନ ବିହାର ରାଜ୍ୟର ରାଞ୍ଚି (ବର୍ତମାନ ଝାଡ଼ଖଣ୍ଡ)ରେ ଏକ ହିନ୍ଦୁ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୈତୃକ ଘର ଉତ୍ତରାଖଣ୍ଡ ଅଲମୋରା ଜିଲ୍ଲାର ଲ୍ବାଲି ଗାଁରେ ହୋଇଥିଲେ ମଧ୍ୟ ରାଞ୍ଚିରେ ପ୍ରତିଷ୍ଠିତ। ଧୋନିଙ୍କ ପିତା ପାନ୍ ସିଂହ ମେକନ କମ୍ପାନିରେ ଏକ କନିଷ୍ଠ ପଦରେ ଅଧିଷ୍ଠିତ। ଅଷ୍ଟ୍ରେଲୀୟ ୱିକେଟରକ୍ଷକ ଆଦାମ ଗିଲକ୍ରିଷ୍ଟଙ୍କୁ ଆଦର୍ଶ ମାନି ଆଗକୁ ବଢ଼ିଥିଲେ।
।ଫୁଟ୍ବଲ୍ ଖେଳାଳିରୁ କ୍ରିକେଟର୍
ରାଞ୍ଚିର ଶ୍ୟାମଳିସ୍ଥିତ ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଛାତ୍ର ଜୀବନ ବିତାଇବା ବେଳେ ଧୋନି ତାଙ୍କ ଆଦ୍ୟ ଜୀବନରେ ବ୍ୟାଡମିଣ୍ଟନ୍ ଏବଂ ଫୁଟ୍ବଲ୍ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରିଥିଲେ। ଜିଲ୍ଲା ଓ କ୍ଲବ୍ ସ୍ତରରେ ବି ଖେଳିଥିଲେ। ନିଜ ଫୁଟ୍ବଲ୍ କ୍ଲବ୍ର ଗୋଲ୍ରକ୍ଷକ ଥିଲେ। ଥରେ ତାଙ୍କ ଫୁଟ୍ବଲ୍ ପ୍ରଶିକ୍ଷକ ହିଁ ତାଙ୍କୁ ଏକ କ୍ରିକେଟ୍ ପ୍ରତିଯୋଗିତା ଲାଗି ୱିକେଟରକ୍ଷକ ଭାବେ ଖେଳିବାକୁ ବାଛିଥିଲେ। ପ୍ରଥମ ମ୍ୟାଚ୍ରୁ ପ୍ରଭାବୀ ପ୍ରଦର୍ଶନ କରିବା ପରେ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଦେଇଥିଲେ। ୧୯୯୫-୯୮ କମାଣ୍ଡର୍ କ୍ରିକେଟ୍ କ୍ଲବ୍ ପାଇଁ ଖେଳିବା ପରେ ୧୯୯୭-୯୮ରେ ବିନୁ ମଙ୍କଡ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଖେଳିଥିଲେ। ଏହା ପରେ ଆଉ ସବୁ ଇତିହାସ ପାଲଟିଯାଇଥିଲା।
। ବିହାର ପାଇଁ ରଣଜୀ ପଦାର୍ପଣ
୧୯୯୯-୨୦୦୦ କ୍ରିକେଟ୍ ଋତୁରେ ମାତ୍ର ୧୮ ବର୍ଷ ବୟସରେ ବିହାର ପାଇଁ ରଣଜୀ ଟ୍ରଫିରେ ପଦାର୍ପଣ କରି ଘରୋଇ କ୍ରିକେଟ୍କୁ ଆସିଥିଲେ ଧୋନି। ଆସାମ ବିପକ୍ଷ ସେହି ମ୍ୟାଚ୍ରେ ୬୮* ରନ୍ କରିଥିଲେ। ସେହି ଋତୁରେ ୫ ମ୍ୟାଚ୍ରୁ ୨୮୩ ରନ୍ କରିଥିଲେ। ୨୦୦୦-୦୧ ଋତୁରେ ବେଙ୍ଗଲ ବିପକ୍ଷରେ ନିଜ ପ୍ରଥମ ରଣଜୀ ଶତକ ହାସଲ କରିଥିଲେ। ଝାଡ଼ଖଣ୍ଡ ପାଇଁ ଘରୋଇ କ୍ରିକେଟ୍ ଖେଳିବା ପରେ ସେ ନିଜର ପ୍ରଥମ ଦିନିକିଆ ମ୍ୟାଚ୍ରେ ମଧ୍ୟ ଶତକ (୧୨୮*) ହାସଲ କରିଥିଲେ। ଦେଓଧର ଟ୍ରଫି ଓ ଦଲିପ ଟ୍ରଫିରେ ଭଲ ଖେଳି ଜାତୀୟ ଚୟନକର୍ତାଙ୍କ ନଜରକୁ ଆସିଥିଲେ।
। ଭାରତ ‘ଏ’ ପାଇଁ ବିସ୍ଫୋରକ ବ୍ୟାଟିଂ
ବିସିସିଆଇର ପ୍ରତିଭା ଅନ୍ବେଷଣ ଅଭିଯାନ ଟିଆରଡିଡବୁଲ୍ୟ ମାଧ୍ୟମରେ ଧୋନିଙ୍କ ଆବିର୍ଭାବ ହୋଇଥିଲା। ପୂର୍ବତନ ବେଙ୍ଗଲ ଅଧିନାୟକ ପ୍ରକାଶ ପୋଦ୍ଦାର ତାଙ୍କୁ ଚୟନ କରି ଏନସିଏ ପଠାଇବା ପରେ ଧୋନିଙ୍କ ଭାଗ୍ୟରେ ବଡ଼ ପରିବର୍ତନ ଘଟିଥିଲା। ୨୦୦୩-୦୪ ଋତୁରେ ଜିମ୍ବାୱେ ଓ କେନିଆ ଗସ୍ତରେ ନିଜ ୱିକେଟରକ୍ଷଣ ଦକ୍ଷତାର ଭରପୁର ପ୍ରଦର୍ଶନ କରିଥିଲେ। ଏହା ପରେ ହରାରେଠାରେ କେନିଆ, ଭାରତ ‘ଏ’ ଏବଂ ପାକିସ୍ତାନ ‘ଏ’କୁ ନେଇ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ହିଁ ଧୋନିଙ୍କୁ ଉତ୍ଥାନ ପଥକୁ ଆଣିଥିଲା। ପାକିସ୍ତାନ ବିପକ୍ଷରେ ଆକର୍ଷଣୀୟ ଅର୍ଧଶତକ ସହ ଦଳକୁ ଜିତାଇବା ପରେ ଲଗାତାର ଭାବେ ଦୁଇଟି ଶତକ (୧୨୦ ଓ ୧୧୯*) ହାସଲ କରି ଆଗକୁ ବଢ଼ିଯାଇଥିଲେ।
। ଖଡ଼ଗପୁର ଟିକେଟ୍ କଲେକ୍ଟର
ଖ୍ୟାତି ଓ ସୁନାମ ଅର୍ଜନ କରିବା ପୂର୍ବରୁ ଯେ କେତେ କଷ୍ଟ ଓ ପରିଶ୍ରମ କରିବାକୁ ପଡ଼ିଥାଏ ଏହାର ଶ୍ରେଷ୍ଠ ଉଦାହରଣ ଧୋନିଙ୍କଠାରୁ ଅନ୍ୟ କେହି ହୋଇପାରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିବା ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ରେଳବାଇରେ ଟିକେଟ୍ କଲେକ୍ଟର କାମ ବି କରିଥିଲେ। ଏଥି ପାଇଁ ଦିନେ ତାଙ୍କୁ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଦୌଡିବାକୁ ପଡୁଥିଲା। ଅନ୍ୟ ଟିକେଟ୍ କଲେକ୍ଟରଙ୍କ ଭଳି ତାଙ୍କ ପାଇଁ ବି ବସିବାକୁ ଜାଗାଟିଏ ନଥିଲା କି ରହିବାକୁ ଘରନଥିଲା। ସାଙ୍ଗ ସହ ଗୋଟିଏ ରୁମ୍ରେ ରହୁଥିଲେ ଏବଂ ବାହାରେ ଗାଧୋଉଥିଲେ।
। ପଛରେ ପଡ଼ିଗଲେ କାର୍ତିକ, ପାର୍ଥିବ
ଧୋନିଙ୍କ ଆବିର୍ଭାବ ପୂର୍ବରୁ ଭାରତୀୟ ଦଳର ନିୟମିତ ୱିକେଟରକ୍ଷକ ଦୌଡ଼ରେ ରହିଥିଲେ ଦୀନେଶ କାର୍ତିକ ଏବଂ ପାର୍ଥିବ ପଟେଲ୍। ମାହିଙ୍କ ଆବିର୍ଭାବ କିନ୍ତୁ ଏମାନଙ୍କୁ ପଛରେ ପକାଇ ଦେଇଥିଲା। ଏପରିକି ମାହିଙ୍କ ପୂର୍ବରୁ ଏମାନେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିଲେ। ପୂର୍ବାଞ୍ଚଳରେ ଦୀପ ଦାସଗୁପ୍ତାଙ୍କୁ ପଛରେ ପକାଇବା ପରେ ମଧ୍ୟ ଋଦ୍ଧିମାନ ସାହାଙ୍କ ବାଟ ଓଗାଳି ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରିଥିଲେ। ହେଲେ କାର୍ତିକ, ପଟେଲ୍ ଓ ସାହାଙ୍କ ଖେଳ ଜୀବନ ଶେଷ ପୂର୍ବରୁ ଧୋନିଙ୍କ ଅନ୍ତର୍ଜାତୀୟ ଜୀବନ ଶେଷ ହୋଇଯାଇଛି।
। ହେଲିକପ୍ଟର୍ ସଟ୍ର ସ୍ରଷ୍ଟା
ଅନେକ କୀର୍ତ୍ତିମାନର ଅଧିକାରୀ ଧୋନିଙ୍କ ଖେଳ ଶୈଳୀ ମଧ୍ୟରେ ହେଲିକପ୍ଟର ସଟ୍ ସ୍ବତନ୍ତ୍ର। ଏହି ଅଭିନବ ତଥା ଆକର୍ଷଣୀୟ ସଟ୍ର ସ୍ରଷ୍ଟା ରହିଛନ୍ତି ଧୋନି। ବିଶେଷ ଭାବେ ହାତ ଓ ବ୍ୟାଟ୍ର ଠିକଣା ସମନ୍ବୟରେ ଘୁର୍ଣ୍ଣାୟବ ତାଙ୍କ ବ୍ୟାଟ୍ରୁ ଏହି ସଟ୍ରେ ଛକା ଦେଖିବାକୁ ପ୍ରଶଂସକ ପ୍ରତି ଥର ଆଶା ରଖିଥା’ନ୍ତି। ୧୬ ବର୍ଷର ଖେଳ ଜୀବନ ମଧ୍ୟରେ ଅନେକ ଥର ସେ ଏହି ସଟ୍ ଜରିଆରେ ବି ପ୍ରଶଂସକଙ୍କୁ ବିମୋହିତ କରି ଭାରତକୁ ବହୁ ମ୍ୟାଚ୍ରେ ବିଜୟ ଦେଇଛନ୍ତି।
। କ୍ୟାପ୍ଟେନ୍ କୁଲ୍
ବିଶ୍ବର ଏକମାତ୍ର ଅଧିନାୟକ ଭାବେ ସମସ୍ତ ଫର୍ମାଟ (ଟି-୨୦, ଦିନିକିଆ ଏବଂ ଟେଷ୍ଟ୍)ରେ ଭାରତକୁ ବିଶ୍ବ ବିଜେତା କରିଥିଲେ ମହେନ୍ଦ୍ର ସିଂହ ଧୋନି। ମିଳିତ ଭାବେ ଏହି ୩ ଫର୍ମାଟରେ ୩୩୨ ମ୍ୟାଚ୍ରେ ଭାରତର ନେତୃତ୍ବ ନେଇଥିଲେ। ଅଦ୍ୟାବଧି ଏକମାତ୍ର ୱିକେଟରକ୍ଷକ ଭାବେ ସମସ୍ତ ଫର୍ମାଟରେ ବି ୧୫୦ରୁ ଊର୍ଧ୍ବ ଡିସମିସାଲ୍ କରିବାର କୀର୍ତ୍ତିମାନ ରଖିଛନ୍ତି। ଖେଳ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାପ ପରିସ୍ଥିତିରେ ହେଉ କି ପରାଜୟ ମୁହାଁ ସ୍ଥିତି ହେଉ କେବେ ବି ଧୋନିଙ୍କ ଶାରୀରିକ ଭାଷାରେ ଏହା ପ୍ରତିଫଳିତ ହୁଏ ନାହିଁ। ଏଥି ପାଇଁ ବିଶ୍ବର ସମସ୍ତ ଅଧିନାୟକଙ୍କ ମଧ୍ୟରେ ତାଙ୍କୁ କ୍ୟାପ୍ଟେନ୍ କୁଲ୍ କୁହାଯାଇଥାଏ। ତାଙ୍କ ଅବସର ପରେ ଏହି ଧାରାକୁ ନ୍ୟୁଜିଲାଣ୍ଡ୍ର କେନ୍ ୱିଲିୟମସନ୍ ଆଗକୁ ନେବେ ବୋଲି ଆଶା।
। ୱିକେଟ୍ରକ୍ଷକ ତୁଳନା
ୱିକେଟରକ୍ଷକଙ୍କ ମଧ୍ୟରେ ଧୋନିଙ୍କ ତୁଳନା ନିଶ୍ଚିତ ଭାବେ ଅତୁଳନୀୟ ରହିବ। ଦୁଇ ପୂର୍ବତନ ଭାରତୀୟ ୱିକେଟରକ୍ଷକ ସୟଦ କିର୍ମାନି ଏବଂ ଫାରୁକ୍ ଇଞ୍ଜିନିୟରଙ୍କୁ ବି ବହୁ ପଛରେ ପକାଇଥିଲେ ଧୋନି। ନିଜ ଖେଳ ଜୀବନରେ ମାହି ୯୦ ଟେଷ୍ଟରୁ ୨୯୪ ଡିସମିସଲ୍, ୩୫୦ ଦିନିକିଆରୁ ୪୪୪ ଡିସମିସାଲ୍ କରିଥିଲେ। କର୍ମାନି ୮୮ ଟେଷ୍ଟରୁ ୧୯୮, ୪୯ ଦିନିକିଆରୁ ୩୬ରେ ସୀମିତ ରହିଥିବା ବେଳେ ଫାରୁକ୍ ୪୬ ଟେଷ୍ଟରୁ ୮୨ ଏବଂ ୫ ଦିନିକିଆରୁ ୪ ଡିସମିସାଲରେ ଖେଳ ଜୀବନ ଶେଷ କରିଥିଲେ। ଅନ୍ତର୍ଜାତୀୟ ସ୍ତରର ତୁଳନାରେ ବି ଆଦାମ୍ ଗିଲକ୍ରିଷ୍ଟ, ମାର୍କ ବାଉଚର, କୁମାର ସାଙ୍ଗାକାରାଙ୍କ ୱିକେଟରକ୍ଷଣଠାରୁ କୌଣସି ଗୁଣରେ କମ୍ ନ ଥିଲେ। ଖୋଜିଲେ ଏମିତି କ୍ବଚିତ୍ ଉଦାହରଣ ମିଳିବ କେଉଁ ମ୍ୟାଚ୍ ଧୋନିଙ୍କ ଖରାପ ୱିକେଟରକ୍ଷଣ ପାଇଁ ଭାରତ ହାରିଥିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/DHONI.jpg)