ଧୋନି ଘାସ କାଟିଲେ, ଅନ୍ୟମାନେ ରୋଷେଇ ଓ ବ୍ୟାୟାମ କଲେ

ରାଞ୍ଚି : ବର୍ଷର ଠିକ୍ ଏହି ସମୟରେ ସାଧାରଣତଃ ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ ଧୁମ ଧାମରେ ଚାଲିଥାଏ। ଗତ ୧୨ ବର୍ଷ ହେବ ଏହି ଧାରା ଜାରି ରହିଅସୁଥିଲା। କରୋନା ପାଇଁ କିନ୍ତୁ ଚଳିତ ବର୍ଷ ଆଇପିଏଲ୍ ହେବା ନେଇ ଆଶଙ୍କା ଦେଖାଦେଇଛି। ନହେବାର ଶତ ପ୍ରତିଶତ ସମ୍ଭବନା ବି ରହିଛି। ଏଭଳି ସ୍ଥିତିରେ ଲିଗ୍ ସହ ସଂପୃକ୍ତ ଥିବା ଖେଳାଳିମାନେ ନିଜ ଘରେ ରହିବାକୁ ବାଧ୍ୟ ‌ହେଉଛନ୍ତି। ସେଥିପାଇଁ ଭିନ୍ନ ଭିନ୍ନ କାମ କରି ସମୟ କାଟୁଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ବଗିଚାରେ ଘାସ କାଟୁଥିବା ଦେଖିବାକୁ ମିଳିଛି। ସେ ଘାସ କଟା ମେସିନରେ ରାଞ୍ଚିସ୍ଥିତ ନିଜ ଘର ବଗିଚାକୁ ସଫା କରୁଥିବାର ଏକ ଫଟୋ ସାମାଜିକ ଗଣାମଧ୍ୟମରେ ଘୂରି ବୁଲୁଛି। ଧୋନି ନିଜ ଟ୍ବିଟର ପୃଷ୍ଠାରେ ଫଟୋଟିକୁ ପ୍ରକାଶ କରିବା ପରେ ଏହା ଲୋକପ୍ରିୟ ହେବାରେ ଲାଗିଛି। ୩୮ ବର୍ଷୀୟ ଧୋନି ବିଶ୍ବକପ୍ ସେମିଫାଇନାଲ୍ ପରଠାରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ସେ ଆଇପିଏଲରେ କ୍ରିକେଟକୁ ଫେରିବାର ସମ୍ଭାବନା ଥିଲା। ହେଲେ ଦୁର୍ଭାଗ୍ୟବଶତଃ କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ଆଇପିଏଲ୍ ସ୍ଥଗିତ ହୋଇଯାଇଥିଲା।

ସେପଟେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ ରୋଷେଇ କରୁଥିବାର ଫଟୋ ଛାଡ଼ିଛନ୍ତି। ସେହିଭଳି ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା ସାର୍ଦୁଲ ଠାକୁର ଚା’ କରୁଥିବାରୁ ଫଟୋ ଟ୍ବିଟ୍ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ’ ପ୍ଲେସିସ୍ ଓ ଭାରତୀୟ କ୍ରିକେଟର ସୁରେଶ ରାଇନା ବ୍ୟାୟାମ କରୁଥିବାର ଫଟୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର