ହେଡେନ୍‌ଙ୍କ ‘ମଙ୍ଗୁଜ୍’ ବ୍ୟାଟ୍ ପାଇଁ ଚିନ୍ତାରେ ପଡ଼ିଥିଲେ ମାହି

ଚେନ୍ନାଇ: ପାଖାପାଖି ଏକ ଦଶନ୍ଧି ତଳେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ଆଇପିଏଲ୍‌ରେ ‘ମଙ୍ଗୁଜ୍’ ବ୍ୟାଟ୍ ବ୍ୟବହାର କରି ଚହଳ ସୃଷ୍ଟି କରିଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ ସୁପରଷ୍ଟାର ହେଡେନଙ୍କ ଏହି ବ୍ୟାଟ୍‌ର ହ୍ୟାଣ୍ଡଲ୍ ବଡ଼ ଥିଲା ବେଳେ ଆକାର ତୁଳନାତ୍ମକ ଭାବେ ଛୋଟ ଥିଲା। ଯାହା ଦ୍ବାରା ବଟମ୍‌ହ୍ୟାଣ୍ଡର ବ୍ୟବହାର କରି ସେ ବହୁତ ବଡ଼ ବଡ଼ ଛକା ମାରୁଥିଲେ। ତେବେ ହେଡେନଙ୍କ ଏହି ବ୍ୟାଟ୍ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚିନ୍ତା ବଢ଼ାଇ ଦେଇଥିଲା। କ୍ରିକେଟ୍‌ର ପ୍ରଚଳିତ ମାନଦଣ୍ଡଠାରୁ ଭିନ୍ନ ଥିବାରୁ ଏଭଳି ବ୍ୟାଟ୍ ବ୍ୟବହାର କରିବା ନୈତିକତା ଓ ଆଇନ ସଙ୍ଗତ ନୁହେଁ ବୋଲି ଧୋନି ହୃଦୟଙ୍ଗମ କରିଥିଲେ। ହେଲେ ହେଡେନ୍ ଛାଡ଼ିବାର ଲୋକ ନଥିଲେ। ଆଇପିଏଲ୍‌ରେ ଏହି ବ୍ୟାଟ୍ ବ୍ୟବହାର କରିବା ଲାଗି ସେ ଦେଢ଼ ବର୍ଷ ଧରି ଅଭ୍ୟାସ କରିଥିଲେ। ଏଣୁ କିଛି ମ୍ୟାଚ୍ ‘ମଙ୍ଗୁଜ୍’ ବ୍ୟାଟ୍‌ରେ ଖେଳିବାକୁ ଚାହୁଁଥିଲେ। ଏହା ମଧ୍ୟ ହୋଇଥିଲା। ତେବେ କିଛି ମ୍ୟାଚ୍ ପରେ ଧୋନି ଦିନେ ହେଡେନ୍‌ଙ୍କ ପାଖକୁ ଯାଇ ତାଙ୍କୁ ଏହି ବ୍ୟାଟ୍‌କୁ ନ ବ୍ୟବହାର କରିବା ଲାଗି ଅନୁରୋଧ କରିଥିଲେ।

ଏହି ବିଷୟ ମନେ ପକାଇ ହେଡେନ୍ କହିଛନ୍ତି ଯେ ଧୋନି ମୋତେ କହିଥିଲେ, ‘ତୁମକୁ ମୁଁ ଯାହା ଚାହିଁବ ତାହା ଦେଇ ପାରିବି, ହେଲେ ଦୟାକରି ଏହି ବ୍ୟାଟ୍ ବ୍ୟବହାର କରନାହିଁ।’ ମୁଁ କିନ୍ତୁ ମୋ ଦଳକୁ ବିପଦରେ ପକାଇବାକୁ ଚାହିଁ ନଥିଲି। ଆଗରୁ ମଧ୍ୟ ମୁଁ ଏହି ବ୍ୟାଟ୍ ବ୍ୟବହାର କରିଥିଲି ଏବଂ ଏହା ଦ୍ବାରା ବଲ୍ ଅଧିକ ୨୦ ମିଟର ଅଗକୁ ଯାଉଥିବା ଜାଣି ପାରିଥିଲି। ଏଣୁ ଦୁଇ ତିନିଟି ମ୍ୟାଚ୍ ଏହି ବ୍ୟାଟ୍‌ରେ ଖେଳିଥିଲି। ହେଡେନଙ୍କ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ହେଡେନ ‘ମଙ୍ଗୁଜ୍’ ବ୍ୟାଟ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷରେ ଖେଳିଥିବା ୯୩ ରନ୍‌ର ପାଳିକୁ ମନେ ପକାଇଥିଲେ। ହେଡେନ୍ ୨୦୧୦ରେ ଖେଳିଥିବା ସେହି ପାଳି ତାଙ୍କ ପସନ୍ଦର ଆଇପିଏଲ୍ ପାଳି ବୋଲି ରାଇନା କହିଥିଲେ। ହେଡେନ୍ ତାଙ୍କର ଏହି ଚର୍ଚିତ ୪୩ ବଲ୍ ପାଳିରେ ୭ ଛକା ଓ ୯ ଚୌକା ମାରିଥିଲେ। ରାଇନା ଏହାକୁ ମନେ ପକାଇ କହିଥିଲେ ଯେ ହେଡେନ୍ ସେହି ପାଳି ମଙ୍ଗୁଜ୍ ବ୍ୟାଟ୍‌ରେ ଖେଳିଥିଲେ। ସବୁ ବଲ୍ ପଡ଼ିଆ ବାହାରକୁ ଯାଉଥିଲା। ମ୍ୟାଚ୍ ଶେଷ ପରେ ‌ହେଡେନ୍ ସେହି ବ୍ୟାଟ୍ ମୋତେ ତାଙ୍କ ଦସ୍ତଖତ ସହ ଉପହାର ଦେଇଥିଲେ। ମୁଁ ସେହି ବ୍ୟାଟ୍‌କୁ ଏବେବି ସାଇତି ରଖିଛି।

ସମ୍ବନ୍ଧିତ ଖବର