କୋଲକାତା: ୬ ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ି ସାରିଛନ୍ତି ମାହି ଓରଫ୍ ମହେନ୍ଦ୍ର ସିଂହ ଧୋନି। ଏଥର ଆଇପିଏଲ୍‌ରେ ଅଛନ୍ତି ଏକମାତ୍ର ଅନ୍‌କ୍ୟାପଡ୍‌ ଅଧିନାୟକ। ବିଗତ କିଛି ବର୍ଷ ହେବ ଏକାଧିକ ଥର ଛାଡ଼ିଛନ୍ତି ସିଏସ୍‌କେ ଅଧିନାୟକ ପଦ। ଏଥର ବି ପରିସ୍ଥିତି ସେଭଳି ହେଲା, ନିଯୁକ୍ତ ଅଧିନାୟକ ଋତୁରାଜ ଗାଏକ୍ବାଡ ଆହତ ହୋଇପଡ଼ିବାରୁ ଅଧାରୁ ସିଏସ୍‌କେ ନେତୃତ୍ବ ନେଇଛନ୍ତି। ନା ବ୍ୟକ୍ତିଗତ ଚମକ ରହିଛି, ନା ଦଳଗତ ପ୍ରଦର୍ଶନରେ ଫରକ ପଡ଼ିଛି। ତାଙ୍କ ନେତୃତ୍ବରେ ୫ ଥର ବିଜେତା ସିଏସ୍‌କେ ଏବେ ୬ ମ୍ୟାଚ୍‌ରୁ ଗୋଟିଏ ମାତ୍ର ବିଜୟ ପାଇଛି। ପଏଣ୍ଟ୍‌ ଟେବୁଲ୍‌ର ଶେଷରେ ସଂଘର୍ଷ କରୁଛି ଏହି ସଫଳତମ ଦଳ। ଏସବୁ ସ‌ତ୍ତ୍ବେ ମହାନ ମାହିଙ୍କ ପ୍ରଶଂସକଙ୍କ ସଂଖ୍ୟା ଯେ କମିନାହିଁ ଏହା ପୁଣିଥରେ ନଜରକୁ ଆସିଛି।

Advertisment

ଇଡେନ୍ ଗାର୍ଡେନ୍ସରେ ବୁଧବାର ଘରୋଇ କୋଲକାତା ନାଇଟ୍ ରାଇଡର୍ସ ଖେଳୁଥିଲେ ବି ଏହି ଐତିହାସିକ ପଡ଼ିଆରେ ପ୍ରଶଂସକ ହଳଦିଆ ଜର୍ସିରେ ଭରପୂର ଥିଲେ। କେକେଆର୍‌ ଜର୍ସି ବାଇଗଣି ରଙ୍ଗର ଉପସ୍ଥିତି ନଗଣ୍ୟ ରହିଥିଲା। ଏହାର ଅର୍ଥ ନୁହେଁ ପ୍ରଶଂସକମାନେ ସିଏସ୍‌କେକୁ ସମର୍ଥନ କରୁଥିଲେ। ଅଧିକାଂଶଙ୍କ ଆଶା ଥିଲା କେକେଆର୍‌ ଜିତୁ, ଧୋନି ଚମକନ୍ତୁ। ଖାସ୍ ମାହିଙ୍କ ପାଇଁ ସେମାନେ ଆସିଥିଲେ ବୋଲି କିଛି ପ୍ରଶଂସକ ବି କହିଥିଲେ। କାରଣ ସିଏସ୍‌କେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଧୋନିଙ୍କ  ପାଇଁ ଏହା ମଧ୍ୟ ଶେଷ ଇଡେନ୍ ମ୍ୟାଚ୍‌ ହେବ ବୋଲି ବିଶ୍ବାସ କରି ସେମାନେ ସ୍ମୃତି ସାଉଁଟିବାକୁ ଆସିଥିବା ସ୍ବୀକାର କରିଛନ୍ତି। ମାହି ବି ମ୍ୟାଚ୍‌ ପୂର୍ବରୁ ଫୁଟ୍‌ବଲ୍ ଅଭ୍ୟାସ ପାଇଁ ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ ବିପୁଳ ମାତ୍ରାରେ ସ୍ବାଗତ କରିଥିଲେ।

ଭୁଭୁଜେଲା ବାଣ୍ଟିଲା କେକେଆର୍‌
ପ୍ଲେ ଅଫ୍ ଆଶାରେ ଥିବା କେକେଆର୍‌ ବୁଧବାର ନୂଆ କୌଶଳରେ ପ୍ରଥମରୁ ପ୍ରତିଆକ୍ରମଣ କରିଥିଲା। ଚେନ୍ନାଇକୁ ଚକ୍‌ମା ଦେବା ଯୋଜନାରେ ପଡ଼ିଆ ବାହାରୁ ହିଁ ଖସଡ଼ା ପ୍ରସ୍ତୁତ କରିଥିଲା। କେକେଆର୍‌ ମ୍ୟାନେଜମେଣ୍ଟ୍ ପକ୍ଷରୁ ପ୍ରଶଂସକମାନଙ୍କୁ ମାଗଣାରେ ଜର୍ସି ଓ ଭୁଭୁଜେଲା ବଣ୍ଟନ କରାଯାଇଥିଲା। ପ୍ରଥମ ଥର ପାଇଁ ଏଭଳି କରାଯାଇଥିବାରୁ ଇଡେନ୍ ବି ଭୁଭୁଜେଲା ପେଁକାଳି ରଡ଼ିରେ କମ୍ପିଥିଲା ମ୍ୟାଚ୍‌ସାରା। ବାସ୍ତବରେ ଚେପକ୍‌ରେ ସିଏସ୍‌କେ ଏଭଳି କରୁଥିବାରୁ ଏଥର କେକେଆର୍ ଏହାର ଜବାବ ଦେବା ଓ ଚାପ ପକାଇବା ପାଇଁ ଏଭଳି କରିଥିବା ବିଶ୍ବାସ ହୋଇଥିଲା।

ଭାରତୀୟ ସେନାଙ୍କୁ ସମ୍ମାନ
ସମଗ୍ର ଦେଶ ବୁଧବାର ପାକିସ୍ତାନ ଉପରେ ଭାରତର ପ୍ରତିଶୋଧମୂଳକ ‘ଅପରେସନ୍ ସିନ୍ଦୂର’ ଏୟାରଷ୍ଟ୍ରାଇକ୍‌କୁ ନେଇ ଉତ୍ସବ ମନାଉଥିବା ବେଳେ ଇଡେନ୍‌ ଗାର୍ଡେନ୍ସ ବି ଏହି ଜାତୀୟ ଉତ୍ସବରେ ସାମିଲ ହୋଇଯାଇଥିଲା। ମ୍ୟାଚ୍‌ ପୂର୍ବରୁ ଦୁଇ ଦଳର ସମସ୍ତ ଖେଳାଳିଙ୍କ ସହ ଷ୍ଟାଡିୟମ୍‌ରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଛିଡ଼ା ହୋଇ ଭାରତୀୟ ସେନାକୁ ସଲାମ କରିଥିଲେ। ଜାତୀୟ ସଂଗୀତ ବି ବାଜିଥିଲା। ‘ଭାରତୀୟ ସେନା ବାହିନୀ ପାଇଁ ଗର୍ବିତ’ ବୋଲି ବାର୍ତ୍ତା ମଧ୍ୟ ମ୍ୟାଚ୍‌ ସାରା ପ୍ରଦର୍ଶିତ ହୋଇଥିଲା।