କୋଲକାତା: ଚଳିତ ଆଇପିଏଲ୍‌ରେ ବୁଧବାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମୁକାବିଲା। ଇଡେନ୍ ଗାର୍ଡେନ୍ସରେ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆକ୍ସନ ଦେଖିବାକୁ ପ୍ରଶଂସକ ଆଶା ବାନ୍ଧିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ କୋଲକାତା ନାଇଟ୍ ରାଇଡର୍ସ ରହିଛି ‘କର ବା ମର’ ପରିସ୍ଥିତିରେ। ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିଲେ ମଧ୍ୟ ଧୋନିଙ୍କ ପ୍ରତି ‘ସିଟି ଅଫ୍‌ ଜୟ’ର ଭଲ ପାଇବା ଅତୁଟ ରହିଥିବାରୁ ପ୍ରଶଂସକମାନେ ବି ଦ୍ବନ୍ଦ୍ବରେ ରହିଛନ୍ତି। କେଉଁ ଦଳକୁ ପସନ୍ଦ କରିବାର ସଂଶୟ ଭିତରେ ସେମାନେ କିନ୍ତୁ ଇଡେନ୍‌କୁ ଆସିବାକୁ ବ୍ୟାକୁଳ ହୋଇଛନ୍ତି। ଧୋନିଙ୍କ ଭଲ ଖେଳ ଓ କେକେଆର୍‌ ବିଜୟ ସେମାନଙ୍କ ପାଇଁ ଆଶା ଅସୁମାରୀ ଭିତରେ ରହିଛି। ପ୍ଲେ ଅଫ୍ ପ୍ରବେଶ ପାଇଁ ଅଜିଙ୍କ୍ୟ ରାହାଣେଙ୍କ କେକେଆର୍‌ ସମ୍ମୁଖରେ ବିଜୟ ବ୍ୟତୀତ ଆଉ କିଛି ବିକଳ୍ପର ବାଟ ନାହିଁ। କେକେଆର୍‌ ଚଳିତ ଆଇପିଏଲ୍‌ରେ ଇଡେନ୍‌ରେ ବୁଧବାର ନିଜ ଶେଷ ଲିଗ୍‌ ଖେଳିବ। ପ୍ଲେ ଅଫ୍ ଯୋଗ୍ୟତା ନ ପାଇଲେ ବି ଏହି ବିଜେତା ଦଳର ଅଭିଯାନ ଘରୋଇ ମାଟିରେ ଶେଷ ହୋଇଯିବ। ଦଳର ଶେଷ ଦ‌ୁଇ ଲିଗ୍‌ ମ୍ୟାଚ୍‌ ଘର ବାହାରେ ରହିଛି। ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଯଥାକ୍ରମେ ଏସ୍‌ଆର୍‌ଏଚ୍‌ ଓ ଆର୍‌ସିବି ସହ ଖେଳିବ।

Advertisment

ଚଳିତ ଋତୁରେ କେକେଆର୍‌ ଘରୋଇ ଇଡେନ୍ ପଡ଼ିଆରେ ପ୍ରଭାବୀ ପ୍ରଦର୍ଶନ କରିପାରିନାହିଁ। ଅଦ୍ୟାବଧି ୬ ମ୍ୟାଚ୍‌ ଖେଳି ମାତ୍ର ୨ ଜିତିଛି। ଗୋଟିଏ ବର୍ଷା ଧୋଇ ନେଇଥିବା ବେଳେ ଏଠାରେ ରାହାଣେଙ୍କ ଦଳ ୩ଟି ହାରିଛି। ମୋଟ ଉପରେ କିନ୍ତୁ ଦଳ ଶେଷ ୩ ମ୍ୟାଚ୍‌ରେ ଅପରାଜିତ ଥିବାରୁ ଆତ୍ମବିଶ୍ବାସ ରଖିଛି। ଇଡେନ୍‌ରେ ରାହାଣେଙ୍କ ଦଳ ୨ ଦିନ ତଳେ ରାଜସ୍ଥାନ ରୟାଲ୍ସକୁ ମାତ୍ର ୧ ରନ୍‌ରେ (୨୦୬-୨୦୫) ହରାଇ ମନୋବଳକୁ ଉଚ୍ଚରେ ରଖିଛି। ଚଳିତ ଋତୁରେ ବି ଚେନ୍ନାଇ ମୁକାବିଲାରେ କେକେଆର୍‌ ଶୋଚନୀୟଭାବେ ସିଏସ୍‌କେକୁ ପରାସ୍ତ କରିଥିଲା। ଧୋନିଙ୍କ ଦଳ ଏହାର ପ୍ରତିଶୋଧ ନେଇ କେକେଆର୍‌ ନାଇଟ୍‌କୁ ଅନ୍ଧକାରମୟ କରିବା ଲକ୍ଷ୍ୟରେ ବି ରହିଛି। ଆଇପିଏଲ୍‌ ଇତିହାସରେ ଏହି ଦୁଇ ସଫଳ ଦଳ ୩୧ ଥର ମୁହାଁମୁହିଁ ହୋଇଥିବା ବେଳେ ‌ସିଏସ୍‌କେ ୧୯-୧୧ରେ ଆଗୁଆ ରହିଛି। ଗୋଟିଏରୁ ଫଳାଫଳ ମିଳି ନଥିଲା। ଇଡେନ୍‌ରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ମୁକାବିଲାଟି ମଧ୍ୟ ଜିତିଥିଲା କୋଲକାତା। କିନ୍ତୁ ଏକ ନୂଆ ରାତି ଓ ନୂଆ ମୁକାବିଲାରେ କିଏ ବାଜି ମାରୁଛି ଦେଖିବାକୁ ଅପେକ୍ଷା ରହିଛି।

କେକେଆର୍‌ ସମ୍ଭାବ୍ୟ: ରହମାନୁଲ୍ଲା ଗୁରବାଜ (ୱିକେଟ୍‌ରକ୍ଷକ), ସୁନିଲ ନାରାୟଣ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିସ୍ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମୋଇନ୍ ଅଲୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ବୈଭବ ଅରୋ‌ରା।
ସିଏସ୍‌କେ ସମ୍ଭାବ୍ୟ: ଆୟୁଷ ମହାତ୍ରେ, ଉର୍ଭିଲ ପଟେଲ୍‌/ସେକ୍‌ ରସିଦ୍‌, ସାମ୍‌ କରନ୍‌, ଦିୱାଦ ବ୍ରେଭିସ୍‌, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଓ ୱିକେଟ୍‌ରକ୍ଷକ), ଦୀପକ ହୁଡ଼ା, ଖଲିଲ୍ ଅହମଦ, ନୂର ଅହମଦ, ଅଂଶୁଲ କମ୍ବୋଜ, ମଥିସା ପଥିରଣା।