ଗ୍ରାଣ୍ଡ୍‌ମାଷ୍ଟର୍‌ଙ୍କୁ ହରାଇଲେ ମହିତୋଷ

ଭୁବନେଶ୍ବର: ଇଟାଲିରେ ଚାଲିଥିବା ସପ୍ତଦଶ ଓପନ୍‌ ଅନ୍ତର୍ଜାତୀୟ ଡି ସ୍କାଚି ସ୍ପିଲିମବର୍ଗ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ପୁଅ ମହିତୋଷ ଦେ’ଙ୍କୁ ବଡ଼ ସଫଳତା ମିଳିଛି। ଶନିବାର ଦ୍ବିତୀୟ ରାଉଣ୍ଡରେ ଏହି ଭୁବନେଶ୍ବର ବାଳକ ସ୍ଥାନୀୟ ଗ୍ରାଣ୍ଡମାଷ୍ଟର୍‌ ମୋରୋନି ଲୁକା ଜୁନିୟରଙ୍କୁ ହରାଇ ଚର୍ଚାକୁ ଆସିଛନ୍ତି। ମହିତୋଷ (୧୯୮୧)ଙ୍କ ଏଲୋ ରେଟିଂଠାରୁ ମୋରନି (୨୫୭୨) ପ୍ରାୟ ୬୦୦ରୁ ପଏଣ୍ଟରେ ଆଗୁଆ ଥିଲେ ମଧ୍ୟ ମହିତୋଷଙ୍କ ଚାଲ ଆଗରେ ସେ ହାର୍ ମାନିଥିଲେ। ପ୍ରାରମ୍ଭରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିବା ମହିତୋଷ ମଧ୍ୟଭାଗରେ କୌଶଳ କରି ଆକ୍ରମଣାତ୍ମକ ଗୋଟିଚାଳନା କରିଥିଲେ। ୧୧୫ ନମ୍ବର ମାନ୍ୟତାରୁ ଅଭିଯାନ ଆରମ୍ଭ କରିଥିବା ମହିତୋଷ ଦ୍ବିତୀୟ ରାଉଣ୍ଡ୍ ସୁଦ୍ଧା ୧.୫ ପଏଣ୍ଟ୍‌ ପାଇ ୩୭ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ପୂର୍ବଦିନ ମହିତୋଷ ନିଜଠାରୁ ଉଚ୍ଚମାନ୍ୟତାପ୍ରାପ୍ତ ଅନ୍ୟତମ ଇଟାଲୀ ଫିଡେ ମାଷ୍ଟର୍‌ କାର୍ନିସେଲି ଭାଲେରିଓ (୨୨୮୨)ଙ୍କ ସହ ପଏଣ୍ଟ ଭାଗ କରିଥିଲେ। ରବିବାର ସେ ରୋମାନିଆ ଗ୍ରାଣ୍ଡମାଷ୍ଟର୍ ମିରୋନ୍‌ ଲୁସିଆନ୍-କଷ୍ଟିନ୍ (୨୪୯୪)ଙ୍କୁ ଭେଟିବେ। ରାଜ୍ୟର ଦ୍ବିତୀୟ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ରଙ୍କଠାରୁ ପ୍ରଶିକ୍ଷଣ ନେବା ପରେ ମହିତୋଷଙ୍କ ଖେଳରେ ଢ଼େର ଉନ୍ନତି ଘଟିଛି।

ସମ୍ବନ୍ଧିତ ଖବର