ମହିତୋଷଙ୍କୁ ପ୍ରଥମ ଆଇଏମ୍‌ ନର୍ମ

ଭୁବ‌‌ନେଶ୍ବର: ଓଡ଼ିଶାର ଉଦୀୟମାନ ଚେସ୍ ପ୍ରତିଭା ମହିତୋଷ ଦେ ନିଜ ଖେଳ ଜୀବନର ପ୍ରଥମ ବଡ଼ ପାହାଚ ଚଢ଼ିଛନ୍ତି। ୨୦୧୯ରେ ପ୍ରଥମ ଫିଡେ ଟାଇଟଲ୍ ପାଇଥିବା ମହିତୋଷ ଏବେ ପ୍ରଥମ ଆଇଏମ୍‌ ନର୍ମ ହାସଲ କରିଛନ୍ତି। କରୋନା ପାଇଁ ୨ ବର୍ଷ ଅଫଲାଇନ୍ ‌ଚେସ୍‌ ବନ୍ଦ ରହିଥିଲେ ମଧ୍ୟ ମହିତୋଷ ନିଜର କଠୋର ପ୍ରଚେଷ୍ଟା ଜାରି ରଖିଥିଲେ। ବର୍ତ୍ତମାନ ସର୍ବିୟାର ଆରେଣ୍ଡ ଜେଲୋଭାକ୍‌ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର ଚେସ୍ ପ୍ରତିଯୋଗିତାରେ ଭାଗନେଇ ତାଙ୍କର ପ୍ରଥମ ଆଇଏମ ନର୍ମ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଆଇଏମ୍‌ ଟାଇଟଲ ପାଇବାକୁ ଜଣେ ଖେଳାଳିଙ୍କୁ ୩ଟି ନର୍ମ କରିବାକୁ ପଡ଼ିଥାଏ। ମହିତୋଷ ଏହି ପ୍ରତିଯୋଗିତାରେ ୨ ଆଇଏମ୍ ଓ ୨ ଜିଏମ୍‌ଙ୍କୁ ହରାଇ ଏହି ଟାଇଟଲ ହାସଲ କରିଛନ୍ତି। ଫଳରେ ଓଡ଼ିଶା ଚେସ୍‌କୁ ଆଉ ଜଣେ ଆଇଏମ୍‌ ଭେଟିଦେବା ପାଇଁ ଆଶା ଉଜ୍ବଳ କରିଛନ୍ତି।

ମହିତୋଷଙ୍କ ବୟସ ୧୬ ବର୍ଷ। ୫ ବର୍ଷ ବୟସରେ ସେ ଚେସ୍ ଶିକ୍ଷା ଆରମ୍ଭ କରି ୭ ବର୍ଷ ବୟସରେ ପ୍ରଥମେ ୨୦୧୨ରେ ଜାତୀୟସ୍ତରରେ ଉପବିଜେତା ହୋଇ ଚେସ୍ ଜୀବନର ଅୟମାରମ୍ଭ କରିଥିଲେ। ସେହିବର୍ଷ ଜାତୀୟ ସ୍କୁଲ୍ ଚେସ୍‌ରେ କାଂସ୍ୟ ପଦକ, ୨୦୧୫ରେ ରାଜ୍ୟଗୋଷ୍ଠୀ ଚେସ୍‌ରେ କାଂସ୍ୟ ପଦକ ପାଇଥିଲେ। ୨୦୧୩ରେ ସେ ଏସୀୟ ଯୁବ ଚେସ୍ ଇରାନ ଓ ବିଶ୍ୱ ଯୁବ ଚେସ୍ ୟୁଏଇଠାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଇତି ମଧ୍ୟରେ ସେ ୧୩ଟି ଦେଶରେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଅଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ପ୍ରଥମ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଓ ୟୁକ୍ରେନ୍ ଗ୍ରାଣ୍ଡମାଷ୍ଟର ଆଲେକ୍‌ଜାଣ୍ଡାର ଗୋଲସ୍‌ଚୋଭ୍‌ଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ଓଡ଼ିଶା ଖଣି ନିଗମର ସହାୟତା ଯୋଗୁଁ ପ୍ରଥମ ଆଇଏମ୍ ନର୍ମ ହାସଲ କରିପାରିଥିବାରୁ ସେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗକୁ କଠୋର ପରିଶ୍ରମ କରି ଗ୍ରାଣ୍ଡମାଷ୍ଟର ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର