ହରାରେ: ମହମୁଦୁଲା ଓ ତସ୍‌କିନ ଅହମ୍ମଦଙ୍କ କୀର୍ତ୍ତିମାନଭରା ନବମ ୱିକେଟ୍‌ ଭାଗୀଦାରି ବଳରେ ଭ୍ରମଣକାରୀ ବାଂଲାଦେଶ ଏଠାରେ ଚାଲିଥିବା ଘରୋଇ ଜିମ୍ବାୱେ ବିପକ୍ଷ ଏକମାତ୍ର ଟେଷ୍ଟ୍‌ର ପ୍ରଥମ ପାଳିରେ ୪୬୮ ରନ୍‌ କରି ଦୃଢ଼ ସ୍ଥିତି ପାଇଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପକ୍ଷରୁ ବୁଧବାର ପ୍ରଥମ ଦିବସରେ ୱିକେଟ୍‌ରକ୍ଷକ ଲିଟନ ଦାସ (୯୫) ଶତକରୁ ୫ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲା ବେଳେ ଅଧିନାୟକ ମୋମିନୁଲ ହକ୍‌ (୭୦) ଅର୍ଦ୍ଧଶତକ ଜମାଇଥିଲେ। ଏହାସତ୍ତ୍ବେ ବାଂଲାଦେଶ ୨୯୪/୮ରେ ସଂଘର୍ଷ କରିଥିଲା। ହେଲେ ଗୁରୁବାର ଦ୍ବିତୀୟ ଦିବସରେ ମହମୁଦୁଲା ଓ ତସ୍‌କିନ୍‌ ଘରୋଇ ଦଳର ବୋଲରଙ୍କୁ ନୟାନ୍ତ କରିଥିଲେ।

Advertisment

ଦୁହେଁ ନବମ ୱିକେଟ୍‌ରେ ୧୯୧ ରନ୍ ଯୋଡ଼ିବାରୁ ଭ୍ରମଣକାରୀ ଦଳ ୨୭୦/୮ରୁ ୪୬୧ ରନ୍‌ରେ ପହଞ୍ଚିଯାଇଥିଲା। ତେବେ ତସ୍‌କିନ୍‌ (୭୫)ଙ୍କୁ ଶୁମ୍ବା ଆଉଟ୍‌ କରି ଯୋଡ଼ି ଭାଙ୍ଗିଥିଲେ। ହେଲେ ଏହି ଯୋଡ଼ି ନବମ ୱିକେଟ୍‌ରେ ଦ୍ବିତୀୟ ସର୍ବାଧିକ ସ୍କୋର୍‌ ସଂଗ୍ରହ କରିବାର ମାଇଲଖୁଣ୍ଟ ପ୍ରତିଷ୍ଠା କରିଯାଇଥିଲେ। କିନ୍ତୁ ମାତ୍ର ୪ ରନ୍‌ ପାଇଁ ୧୯୯୮ରେ ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ମାର୍କ ବୁଚର ଓ ପ୍ୟାଟ୍‌ ସିମ୍‌କକ୍ସ (୧୯୫ ରନ୍‌)ଙ୍କ ସର୍ବାଧିକ ଭାଗୀଦାରି ରେକର୍ଡକୁ ଟପିବାରୁ ବଞ୍ଚିତ ହୋଇଥିଲେ। ତସ୍‌କିନଙ୍କ ଆଉଟ୍‌ର ଆଉ ୭ ରନ୍‌ ପରେ ଏବାଦତ୍‌ ହୋସେନ୍‌(୦)ଙ୍କୁ ମୁଜାରବାନି ଆଉଟ୍‌ କରିଦେବାରୁ ବାଂଲା ପ୍ରଥମ ପାଳି ଶେଷ ହୋଇଯାଇଥିଲା। ଫଳରେ ମହମୁଦୁଲା ୧୫୦ ରନ୍‌ରେ ଅପରାଜିତ ରହିଯାଇଥିଲେ। ଘରୋଇ ଦଳ ପକ୍ଷରୁ ବ୍ଲେସିଂ ମୁଜାରବାନି ୪, ଡୋନାଲ୍‌ଡ ତିରିପାନୋ ଓ ଭିକ୍ଟର ନ୍ୟାଉଚି ୨-୨ ଏବଂ ରିଚାର୍ଡ ଏନ୍‌ଗାରାଭେ ଓ ମିଲ୍‌ଟନ୍‌ ଶୁମ୍ବା ୧-୧ ୱିକେଟ୍‌ ଦଖଲ କରିଥିଲେ।

ଜବାବରେ ଘରୋଇ ଜିମ୍ବାୱେ ମଧ୍ୟ ଚମତ୍କାର ଆରମ୍ଭ କରିଛି। ଏହି ଦଳ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଓପ୍‌ନର ମିଲ୍‌ଟନ୍‌ ଶୁମ୍ବା (୪୧)ଙ୍କ ଏକମାତ୍ର ୱିକେଟ୍‌ ହରାଇ ୪୧ ଓଭରରେ ୧୧୪ ରନ୍‌ କରିନେଇଛି। ଟି କୈତାନ (୩୩) ଓ ଅଧିନାୟକ ବ୍ରେଣ୍ଡନ ଟେଲର (୩୭) କ୍ରିଜ୍‌ରେ ଜମି ରହିଛନ୍ତି। ଶୁମ୍ବା ଓ କୈତାନ ପ୍ରଥମ ୱିକେଟ୍‌ରେ ୬୧ ରନ୍ ଯୋଡ଼ିବା ପରେ କୈତାନ ଓ ଟେଲର ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ୫୩ ରନ୍ ଯୋଡ଼ି ସାରିଛନ୍ତି। ଏକମାତ୍ର ୱିକେଟ୍‌ଟି ବାଂଲାଦେଶ ପକ୍ଷରୁ ସାକିବ ଅଲ୍‌ ହାସନ୍‌ଙ୍କୁ ମିଳିଛି। ଫଳରେ ହାତରେ ୯ ୱିକେଟ୍‌ ଥାଇ ଜିମ୍ବାୱେ ପ୍ରଥମ ପାଳିରେ ୩୫୪ ରନ୍ ପଛରେ ରହିଛି।