ଢାକା: ବାଂଲାଦେଶର ସ୍ବର୍ଣ୍ଣିମ କ୍ରିକେଟ୍ ଯୁଗର ଆଉ ଏକ ସ୍ତମ୍ଭ ଗଡ଼ିଛି। ତମିମ ଇକବାଲ୍, ସକିବ-ଅଲ୍-ହାସନ ଓ ମୁସଫିକର ରହିମଙ୍କ ଭଳି ଶ୍ରେଷ୍ଠ ବାଂଲାଦେଶୀ କ୍ରିକେଟର୍ଙ୍କ ସମସାମୟିକ ତଥା ଆଇସିସି ପ୍ରତିଯୋଗିତାଗୁଡ଼ିକରେ ବାଂଲାଦେଶକୁ ଅନେକ ସ୍ମରଣୀୟ ବିଜୟ ଉପହାର ଦେଇଥିବା ମହମଦୁଲ୍ଲା ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଟ୍ବେଣ୍ଟି-୨୦ ଓ ଟେଷ୍ଟ୍ରୁ ଅବସର ଘୋଷଣା କରି ସାରିଥିବାରୁ ମହମଦୁଲ୍ଲାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଗୁରୁବାର ପୂର୍ଣ୍ଣଛେଦ ପଡ଼ିଛି। ଗତମାସରେ ୩୯ବର୍ଷ ବୟସରେ ପାଦ ଥାପିଥିବା ଏହି ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟର୍ ତଥା ମଧ୍ୟମଗତି ବୋଲର୍ ୨୦୨୧ରେ ଟେଷ୍ଟ୍ ଏବଂ ୨୦୨୪ରେ ଟ୍ବେଣ୍ଟି-୨୦ରୁ ସନ୍ନ୍ୟାସ ନେଇଥିଲେ। ଏବେ ଦିନିକିଆ ମଧ୍ୟ ଛାଡ଼ିଛନ୍ତି।
ମୁସଫିକର ରହିମ, ସକିବ-ଅଲ୍-ହାସନ ଓ ତମିମ ଇକବାଲଙ୍କ ପରେ ବାଂଲାଦେଶର ଚତୁର୍ଥ ସର୍ବାଧିକ ଏକଦିବସୀୟ ରନ୍ ସଂଗ୍ରହକାରୀ ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଛନ୍ତି। ମହମଦୁଲ୍ଲାଙ୍କ ଭିଣୋଇ ତଥା ବାଂଲାଦେଶ କ୍ରିକେଟ୍ର ଅନ୍ୟତମ ସଫଳ ତାରକା ମୁସଫିକର ରହିମ ମଧ୍ୟ ଗତ ସପ୍ତାହରେ ଦିନିକିଆ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଫଳରେ ବାଂଲାଦେଶ କ୍ରିକେଟ୍ରେ ଏକ ଯୁଗର ଅବସାନ ଘଟିଛି। ୨୦୨୫-୨୬ କ୍ରିକେଟ୍ ଋତୁର କେନ୍ଦ୍ରୀୟ ଚୁକ୍ତି ଲାଗି ତାଙ୍କ ନାମକୁ ବିଚାରକୁ ନନେବାକୁ ମହମଦୁଲ୍ଲା ଅନୁରୋଧ କରିଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ ସୂଚନା ଦେବାର କିଛି ଘଣ୍ଟା ପରେ ପ୍ରେସ୍ ବିଜ୍ଞପ୍ତି ଜାରି କରି ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି ମହମଦୁଲ୍ଲା। ସେ ୫୦ ଟେଷ୍ଟ୍, ୨୩୯ ଦିନିକିଆ ଓ ୧୪୧ ଟ୍ବେଣ୍ଟି-୨୦ରେ ବାଂଲାଦେଶର ପ୍ରତିନିଧିତ୍ବ କରିଛନ୍ତି।
ଟେଷ୍ଟ୍ରେ ୨୯୧୪ ଏବଂ ଟ୍ବେଣ୍ଟି-୨୦ରେ ୨୪୪୪ ରନ୍ କରିଛନ୍ତି। ଦିନିକିଆ କ୍ରିକେଟ୍ରେ ସବୁଠୁ ବେଶି ସଫଳତା ଲାଭ କରି ୪ ଶତକ ଏବଂ ୩୨ ଅର୍ଦ୍ଧଶତକ ବଳରେ ୫୬୮୯ ରନ୍ କରିଛନ୍ତି। ସଂଯୋଗବଶତଃ ତାଙ୍କର ଚାରିଟି ଯାକ ଶତକ ଆଇସିସି ପ୍ରତିଯୋଗିତାରେ ଆସିଛି। ମହମଦୁଲ୍ଲା ମଧ୍ୟ ଦିନିକିଆରେ ୮୨ ଏବଂ ଟେଷ୍ଟ ଓ ଟ୍ବେଣ୍ଟି-୨୦ରେ ଯଥାକ୍ରମେ ୪୩, ୪୧ ୱିକେଟ୍ ଅକ୍ତିଆର କରିଛନ୍ତି। ଅବସର ଘୋଷଣା କରିବାକୁ ଯାଇ ସେ ନିଜ ଫେସବୁକ୍ ପୃଷ୍ଠାରେ ଲେଖିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିବାକୁ ମୁଁ ଆଜି ନିଷ୍ପତ୍ତି ନେଇଛି। ସାଥୀ ଖେଳାଳି, ପ୍ରଶିକ୍ଷକ ଏବଂ ସ୍ବତନ୍ତ୍ର ଭାବେ ମୋ ପ୍ରଶଂସକଙ୍କୁ ସେମାନେ ଦେଇଥିବା ଭଲପାଇବା ଓ ସମର୍ଥନ ଲାଗି ଧନ୍ୟବାଦ ଦେବାକୁ ଚାହିବି। ମୋ ପରିବାରକୁ ମଧ୍ୟ ମୁଁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଦେଉଛି। ସେମାନଙ୍କ ସମର୍ଥନ ଓ ଭଲପାଇବା ବିନା ମୁଁ ଏତେ ବାଟ ଆଦୌ ଆସି ପାରି ନଥା’ନ୍ତି।