ମୁମ୍ବାଇ, ୧୭ା୧: ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ଶୁକ୍ରବାର ୮୬ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ଝିଅ ଘରେ ଦେହାନ୍ତ ହୋଇଛି। ତାଙ୍କ ନାମରେ ଗୋଟିଏ ଟେଷ୍ଟ୍ରେ ଲଗାତାର ୨୧ ଓଭର ମେଡେନ୍ ନେବାର କୀର୍ତ୍ତିମାନ ରହିଥିଲା। ସେ ୧୯୬୩-୬୪ରେ ମାଡ୍ରାସ (ଏବର ଚେନ୍ନାଇ)ରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ସେହି ମ୍ୟାଚ୍ରେ ତାଙ୍କ ବୋଲିଂ ଚିତ୍ର ୩୨-୨୭-୫-୦ ଥିଲା। ଏହା ବ୍ୟତୀତ ୧୯୬୦-୬୧ ପାକିସ୍ତାନ ବିପକ୍ଷ ଶୃଙ୍ଖଳାର କାନପୁର ଟେଷ୍ଟ୍ରେ ୩୨-୨୪-୨୩-୦ ଏବଂ ଦିଲ୍ଲୀ ଟେଷ୍ଟ୍ରେ ୩୪-୨୪-୨୪-୧ର ବୋଲିଂ ଚିତ୍ର ପାଇଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ସ୍ପିନର ୪୧ ଟେଷ୍ଟ୍ ଖେଳି ୧୪୧୪ ରନ୍ କରିବା ସହ ୮୮ ୱିକେଟ୍ ଦଖଲ କରିଥିଲେ। ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ୬/୪୩। ଏହି ମୁମ୍ବାଇ ତାରକା ୧୯୧ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୫୦୦ ୱିକେଟ୍ ନେବା ସହ ୮୮୮୦ ରନ୍ କରିଥିଲେ। ନାସିକରେ ଜନ୍ମ ଗ୍ରହଣ କରିଥିବା ନାଦକର୍ଣ୍ଣି ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲା ବେଳେ ସେହି ସମାନ ଦଳ ବିପକ୍ଷରେ ଅକ୍ଲାଣ୍ଡ୍ରେ ୧୯୬୮ରେ ଅବସର ନେଇଥିଲେ। ଦେହାନ୍ତ ବେଳେ ତାଙ୍କର ଦୁଇ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ଜ୍ବାଇଁ ବିଜୟ ଖାରେ କହିଛନ୍ତି।
ତାଙ୍କର କୀର୍ତ୍ତିମାନ ଶୁଣି ବଡ଼ ହୋଇଛି: ସଚିନ
ବାପୁ ନାଦକର୍ଣ୍ଣିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ବିସିସିଆଇଠୁ ଆରମ୍ଭ କରି ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର୍, କ୍ରୀଡ଼ା ସଂଗଠକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସଚିନ ତେନ୍ଦୁଲକର, ଚେତନ ଶର୍ମା, ହର୍ଷ ଭୋଗ୍ଲେ, ରାଜଦୀପ ସେରଦେଶାଇ, ମଦନ ଲାଲ ପ୍ରମୁଖ ରହିଛନ୍ତି।
।ବାପୁଙ୍କ ଦେହାନ୍ତ ଖବର ପାଇ ବହୁତ ଦୁଃଖିତ। ତାଙ୍କର କୀର୍ତ୍ତିମାନ (ଲଗାତାର ୨୧ ମେଡେନ୍) ଶୁଣି ମୁଁ ବଡ଼ ହୋଇଛି। ତାଙ୍କ ପରିବାରବର୍ଗଙ୍କୁ ସମ୍ବେଦନା ଜଣାଉଛି:
କିଂବଦନ୍ତି କ୍ରିକେଟର୍ ସଚିନ୍ ତେନ୍ଦୁଲକର
।ଭଗବାନଙ୍କୁ ପ୍ରାର୍ଥନା ବାପୁ ନାଦକର୍ଣ୍ଣି... ମେଡେନ୍ ମାଷ୍ଟରଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଓମ୍ ଶାନ୍ତି! ଜଣେ ଶ୍ରେଷ୍ଠ ମଣିଷଙ୍କୁ ହରାଇବାକୁ ପଡ଼ୁଛି ସାର୍: ଚେତନ ଶର୍ମା
।ନାଦକର୍ଣ୍ଣିଙ୍କ ପରଲୋକ କ୍ରିକେଟ୍ ପାଇଁ ଅପୂରଣୀୟ କ୍ଷତି, ତାଙ୍କ ଆତ୍ମାକୁ ଶାନ୍ତି ମିଳୁ: ବିସିସିଆଇ
।ବାପୁଙ୍କ ଆତ୍ମାକୁ ଶାନ୍ତି ମିଳୁ। ଏହି ଭଦ୍ର କ୍ରିକେଟର୍ଙ୍କ ମୃତ୍ୟୁରେ ମୁଁ ବହୁତ ଦୁଃଖିତ: ମଦନ ଲାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bapu-nadkarni-1579280177.jpg)